ସୀମାରେ ଚୀନ୍ ସେନାର ନୂଆ ଷଡଯନ୍ତ୍ର ।  ୧୯୬୨ର ତରିକା ଦୋହରାଇଲା ପିପୁଲ୍ସ ଲିବରେସନ ଆର୍ମି : ଫିଙ୍ଗର-୪ ଅଂଚଳରେ ମାଇକ ଲଗାଇ ବଜାଉଛି ପଞ୍ଜାବୀ ଓ ହିନ୍ଦୀ ଗୀତ

374

କନକ ବ୍ୟୁରୋ : ସୀମାରେ ଚୀନ୍ ସେନାର ନୂଆ ଷଡଯନ୍ତ୍ର । ଗୁରୁତ୍ୱପୂର୍ଣ୍ଣ ଫିଙ୍ଗର-ଫୋର ଅଂଚଳରେ ମାଇକ ଲଗାଇ ବଜାଉଛି ପଞ୍ଜାବୀ ଓ ହିନ୍ଦୀ ଗୀତ । ଭାରତୀୟ ସେନାର କବଜାରେ ଥିବା ଉଚ୍ଚ ପାହାଡରୁ  ଚୀନ୍ ସେନାର ଗତବିଧି ଉପରେ କଡା ନଜର ରଖିଛି ଭାରତୀୟ ସେନା । ଏଥିପାଇଁ ଉସୁକାଇବା ଲାଗି ଏବଂ ବିଭ୍ରାନ୍ତ କରି ଅନୁପ୍ରବେଶ କରିବା ପାଇଁ ଡ୍ରାଗନ ସେନା ଏବେ ୧୯୬୨ର ତରିକାକୁ ଆପଣାଇଛି । ଦେଖନ୍ତୁ ଏହି ରିପୋର୍ଟ ।

ସୀମାରେ ଡ୍ରାଗନ ସେନାର ନୂଆ ଷଡଯନ୍ତ୍ର । ଲଦାଖ ସୀମାରେ ଭାରତୀୟ ସେନା ଠାରୁ ବାରମ୍ୱାର ମାତ୍ ଖାଇଲା ପରେ ବି ସୁଧୁରିନି ଚୀନ୍ । ଏବେ ଭାରତୀୟ ସେନାଙ୍କୁ ଉସୁକାଇବାକୁ ଏବଂ ତାଙ୍କ କାର୍ଯ୍ୟରୁ ବିଭ୍ରାନ୍ତିକର କରିବା ପାଇଁ ନୂଆ ଚାଲ୍ ଚଲାଇଛି ଚୀନ୍ । ଲଦାଖର ଏଲଏସିରେ ଭାରତ ଏବଂ ଚୀନ୍ ସେନା ମଧ୍ୟରେ ଉତେଜନାପୁର୍ଣ୍ଣ ସ୍ଥିତି ଲାଗି ରହିଛି । ପ୍ରତିଦିନ ଭାରତ ବିରୋଧରେ ନୂଆ ନୂଆ ଷଡଯନ୍ତ୍ର ରଚୁଛି ଚୀନ୍ । ଭାରତୀୟ ସେନାରେ ଶୀଖ୍ ଯବାନ ନିୟୋଜିତ ଥିବା ଫିଙ୍ଗର-୪ ଅଂଚଳରେ ମାଇକ୍ ଲଗାଇ ପଂଜାବୀ ଗୀତ ବଜାଉଛନ୍ତି ଡ୍ରାଗନ ସେନା । ଏଲଏସିର ଚୀନ୍ ପାଶ୍ୱର୍ରେ ଥିବା ଅଂଶରେ ଏବେ ଏପରି ତରିକା ଆପଣାଇଛି ପିପୁଲ୍ସ ଲିବରେସନ ଆର୍ମି ।

ଫିଙ୍ଗର ୪ର ଉଚ୍ଚ ପାହାଡରେ ମୁତୟନ ଭାରତୀୟ ଯବାନ ଚୀନ୍ ଉପରେ ୨୪ ଘଂଟିଆ କଡ଼ା ପହର ଦେଉଛନ୍ତି । ଯାହା ଚୀନ ସେନାକୁ ଚିନ୍ତାରେ ପକାଇଛି । ଏଥିପାଇଁ ନୂଆ ଷଡଯନ୍ତ୍ର ରଚିଛି ଡ୍ରାଗନ ସେନା । ଉସୁକାଇବା ଏବଂ ବିଭ୍ରାନ୍ତ କରିବା ପାଇଁ ପଂଜାବୀ ଗୀତ ସହ ହିନ୍ଦୀ ଓ ଅନ୍ୟ ଭାରତୀୟ ଭାଷାରେ ଲାଉଡସ୍ପିକରରେ ଗୀତ ବଜାଉଛି ଚୀନ୍ ।

ସେନା ପୂର୍ବ ଅଧିକାରୀଙ୍କ ମୁତାବିକ ଚୀନ୍ ସେନାର ଏପରି ଚାଲ କୌଣସି ନୂଆ କଥା ନୁହେଁ । ୧୯୬୨ର ଯୁଦ୍ଧ ସମୟରେ ମଧ୍ୟ ଚୀନ ଏହି ରଣନୀତି ଆପଣେଇଥିଲା । ଚୀନ ସେନା ଭାରତୀୟ ଯବାନଙ୍କ ଉପରେ ମାନସିକ ସ୍ତରରେ ଚାପ ପକାଇବା ପାଇଁ ଏଭଳି ଗୀତ ବଜାଉଥିବା କୁହାଯାଉଛି । ଭାରତୀୟ ଯବାନ ବର୍ତମାନ ଲଦାଖ ସୀମାନ୍ତ ଏଲଏସିର ଗୁରୁତ୍ୱପୂର୍ଣ୍ଣ ଘାଟି ଗୁଡିକର ଶୀର୍ଷ ସ୍ଥାନ କବଜା କରିନେଲାଣି । ଆଗକୁ ଶୀତ ଆସୁଛି । ଏହା ପୂର୍ବରୁ ଭାରତୀୟ ସେନାକୁ ମାନସିକ ସ୍ତରରେ ଦୁର୍ବଳ କରି ଏହାର ଫାଇଦା ନେବାକୁ ଡ୍ରାଗନ୍ ସେନା ଏପରି ରଣନୀତି କରୁଥିବା ଆଶଙ୍କା ପ୍ରକାଶ ପାଇଛି । ଚୀନ୍ ସେନାର ସବୁ ଷଡଯନ୍ତ୍ରର କଡା ଜବାବ ଦେବାକୁ ସଜାଗ ରହିଛି ଭାରତୀୟ ସେନା ।