ଲଘୁଚାପ ବର୍ଷାରେ ଭିଜିଲା ଓଡିଶା । ପଢନ୍ତୁ, ବର୍ଷା ନେଇ କେଉଁ ଜିଲ୍ଲାକୁ ସତର୍କ କଲା ପାଣିପାଗ ବିଭାଗ…

723

କନକ ବ୍ୟୁରୋ: ଉତ୍ତର ପଶ୍ଚିମ ଓ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଲାଗି ରହିଛି । ରାତି ସୁଦ୍ଧା ଏହି ଲଘୁଚାପ ଘନୀଭୂତ ହୋଇ ଉପକୂଳରେ ଅବପାତର ରୂପ ନେବ ବୋଲି କହିଛି ଆଞ୍ଚଳିକ ପାଣିପାଗ ବିଭାଗ । ତେବେ ଆଜିର ଏହିି ବର୍ଷା ପରେ କୋଣାର୍କ, କାକଟପୁର ମଙ୍ଗଳା ଏବଂ ପୁରୀ ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ର କୋଣାର୍କ ସୂର୍ଯ୍ୟ ମନ୍ଦିରରେ ପଶିଛି ପାଣି । ସେହିପରି କାକଟପୁରର ପ୍ରସିଦ୍ଧ ମଙ୍ଗଳା ମନ୍ଦିରରେ ବି ବର୍ଷାପାଣି ଲହଡି ଭାଙ୍ଗିଛି । ଲଘୁଚାପ ପ୍ରଭାବରେ ପୁରୀରେ ସର୍ବାଧିକ ୧୪୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ତା ସହିତ ଭୁବନେଶ୍ୱରରେ ୧୧୯ ଏବଂ ପାରାଦୀପରେ ୪୨ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଲଘୁଚାପ ପ୍ରଭାବରେ ବର୍ଷା ନେଇ ଆଗାମୀ ୨୪ଘଣ୍ଟା ପାଇଁ ସତର୍କ କରାଇଛି ପାଣିପାଗ ବିଭାଗ । ୭ ଜିଲ୍ଲାକୁ ରେଡ଼ ୱାର୍ଣ୍ଣିଂ ଜାରି କରାଯାଇଛି । ପୁରୀ , ଖୋର୍ଦ୍ଧ, କଟକ, ଜଗତସିଂହପୁର,  କେନ୍ଦ୍ରପଡ଼ା, ଢେଙ୍କାନାଳ ଏବଂ ନୟାଗଡ଼କୁ ରେଡ଼ ୱାଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଆସନ୍ତାକାଲି ସକାଳ ସାଢ଼େ ୮ଟା ଯାଏଁ ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ସେହିପରି ୬ଟି ଜିଲ୍ଲାକୁ ଅରେଞ୍ଜ ୱାଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଗଞ୍ଜାମ , କନ୍ଧମାଳ, ବୌଦ୍ଧ, ଅନୁଗୁଳ, ଯାଜପୁର ଓ ଭଦ୍ରକ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସତର୍କ କରିଦିଆଯାଇଛି । ତେବେ  ୮ଟି ଜିଲ୍ଲାକୁ ୟେଲୋ ୱାଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । କଳାହାଣ୍ଡି, ବଲାଙ୍ଗିର, ସୋନପୁର, ସମ୍ବଲପୁର, ଦେବଗଡ଼, କେନ୍ଦୁଝର ମୟୁରଭଞ୍ଜ ଏବଂ ବାଲେଶ୍ୱରକୁ ୟେଲୋ ୱାଣ୍ଣିଂ ଜାରି କରାଯାଇଛି । ଏସବୁ ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ।

ଆଗାମୀକାଲି ମଧ୍ୟ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରାଯାଇଛି । ୫ଟି ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଜାରି କରାଯାଇଥିବାବେଳେ ୭ଟି ଜିଲ୍ଲାକୁ ଅରେଞ୍ଜ ଓ ୧୧ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣଂ ଜାରି କରାଯାଇଛି । ୧୫ ତାରିଖ ପରେ ପାଗ ଶୁଖିଲା ହେବ ବୋଲି କହିଛି ଭୁବନେଶ୍ୱସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।