ମୃତ୍ୟୁ ପୂର୍ବରୁ ଗର୍ଭବତୀ ଡାକ୍ତରଙ୍କ କରୋନା ବାର୍ତା । କହିଲେ, ମହାମାରୀକୁ ହାଲୁକାରେ ନିଅନ୍ତୁନି, ପିନ୍ଧନ୍ତୁ ମାସ୍କ, ଗର୍ଭବତୀ ମହିଳାଙ୍କ ପ୍ରତି ରହିଛି ଅଧିକ ବିପଦ । ଦିଲ୍ଲୀରେ ଚାଲିଗଲା ଡାକ୍ତର ଓ ତାଙ୍କର ଗର୍ଭସ୍ଥ ଶିଶୁଙ୍କ ଜୀବନ

465

କନକ ବ୍ୟୁରୋ: ହସ୍ପିଟାଲ ବେଡରେ ଥାଇ ଜଣେ ଡାକ୍ତର ଯେତେବେଳେ କରୋନାର ଭୟାବହତାକୁ ନେଇ ଏହି ଭିଡିଓ ପ୍ରସ୍ତୁତ କରୁଥିଲେ, ସେ ନିଜେ ବି ଜାଣିନଥିଲେ ଯେ, ଆଉ କିଛି ଦିନ ପରେ ତାଙ୍କର ମୃତ୍ୟୁ ହୋଇଯିବ । ପେଟରେ ଥିବା କୁନି ପିଲାଟି ଏ ଦୁନିଆରେ ପାଦ ଦେବା ଆଗରୁ ଆଉ ଏକ ଦୁନିଆକୁ ଚାଲିଯିବ । ମୃତ୍ୟୁ ପୂର୍ବରୁ ଡକ୍ତର ଡିମ୍ପଲ ଅରୋରା ଚାୱଲାଙ୍କ ଏହି ୨୦ ସେକେଣ୍ଡର ଭିଡିଓ, କରୋନାର ଏମିତି ଏକ କରୁଣ କାହାଣୀ କହୁଛି, ଯାହା ଛାତିକୁ ଥରାଇ ଦେଉଛି ।

ସତରେ ଏ କରୋନା କାହାର ନୁହେଁ । କେତେବେଳେ କାହାର ଜୀବନ ନେଇଯିବ, କିଏ କହିବ? ରୋଗୀଙ୍କୁ ଚିକିତ୍ସା ଯୋଗାଉଥିବା ଡାକ୍ତର, ରୋଗ ଓ ରୋଗର ପ୍ରତିକାର ସମ୍ପର୍କରେ ଲୋକଙ୍କୁ ବୁଝାଉଥିବା ଡାକ୍ତର, ଯଦି ଏଭଳି ସ୍ଥିତିର ସମ୍ମୁଖିନ ହେଉଛନ୍ତି, ତେବେ ଆପଣ କଳ୍ପନା କରନ୍ତୁ କରୋନା କ’ଣ ପରିପାରେ?

ଦିଲ୍ଲୀର ଡାକ୍ତର ଡିମ୍ପଲ ଅରୋରା ଚାୱଲା ଗତ ଏପ୍ରିଲ ୧୧ ତାରିଖରେ କରୋନା ପିଜିଟିଭ୍ ଚିହ୍ନଟ ହୋଇଥିଲେ । ଆଉ ସେତେବେଳେ ପେଟରେ ଥିଲା ସାତ ମାସର ଗର୍ଭ । କ’ଣ କରିବେ ପରିବାର ଲୋକ କିଛି ବୁଝିପାରିନଥିଲେ । କ୍ରମଶଃ ଡିମ୍ପଲଙ୍କ ଅକ୍ସିଜେନ୍ ସ୍ତର କମିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଥିଲା । ଆଉ ଏହାରି ଭିତରେ ଏପ୍ରିଲ ୨୫ ତାରିଖରେ ପଟେରେ ହିଁ ଆଖି ବୁଜିଦେଲା କୁନି ପିଲା । ଆଉ ଠିକ୍ ପରଦିନ ସକାଳୁ ଅର୍ଥାତ୍ ୨୬ ତାରିଖ କରୋନରେ ଚାଲିଗଲା ଡକ୍ତର ଡିମ୍ପଲ ଅରୋରା ଚାୱଲାଙ୍କ ଜୀବନ ।

ମା’ ଚାଲିଗଲା, ପଟେରେ ଥିବା ପିଲାଟି ଦୁନିଆ ଦେଖିପାରିଲା ନାହିଁ । ଆଉ ଏବେ ୩ ବର୍ଷର କୁନି ପିଲାଟି ମା’ଙ୍କୁ ହରାଇ ମା ଛେଉଁଣ୍ଡ ହୋଇଗଲା । ଏତେ ସବୁ ଆଖି ଆଗରେ ଦେଖିଲା ପରେ ବି ଯଦି ଆପଣ କରୋନାକୁ ନେଇ ସଚେତନ ନୁହଁନ୍ତି, ତେବେ ଆପଣ କେବଳ ଝଳନା କରୁନାହାଁନ୍ତି, ବରଂ ଆପଣଙ୍କ ପରିବାର ଓ ସମାଜ ପାଇଁ ବିପଦ ନେଇ ଆସୁଛନ୍ତି ।