ଖସୁଛି ପାରଦ ବଢୁଛି ଥଣ୍ଡା : ୧୫ ଡିଗ୍ରୀ ତଳେ ଦାରିଙ୍ଗବାଡ଼ି ସମେତ ୩ ସହର

90

କନକ ବ୍ୟୁରୋ : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ସମେତ ରାଜ୍ୟର ଅନ୍ୟ ୩ ସହରରେ ତାପମାତ୍ରା ୧୫ ଡିଗ୍ରି ତଳକୁ ଖସିଛି । ଗତ ୨୪ ଘଣ୍ଟାରେ ଝାରସୁଗୁଡ଼ାରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୧୪.୨ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ସୋନପୁରରେ ୧୪.୪, ଦାରିଙ୍ଗବାଡ଼ି ୧୪.୫ ଓ ଅନୁଗୁଳରେ ୧୪.୬ ଡିଗ୍ରୀ ରେକର୍ଡ ହୋଇଛି । ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ମଧ୍ୟ ସ୍ୱାଭାବିକଠାରୁ ୨ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇଛି । ୨ ଦିନ ତଳେ ଏଠାକାର ତାପମାତ୍ରା ୨୧ଡିଗ୍ରୀ ରହିଥିବା ବେଳେ ଏବେ ତାହା ୧୯.୫ ଡିଗ୍ରୀକୁ ଖସି ଆସିଛି।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ, ବର୍ତ୍ତମାନ ଓଡ଼ିଶାକୁ ଉତ୍ତରା ପବନ ବହୁଥିବାରୁ ରାଜ୍ୟରେ ଥଣ୍ଡା ଅନୁଭୂତ ହେବ ଓ ତାପମାତ୍ରା ଧୀରେଧୀରେ କମିବ । ଆସନ୍ତା ୨/୩ ଦିନ ମଧ୍ୟରେ ଉତ୍ତର ଓ ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ତାପମାତ୍ରା ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ । ସେହିପରି ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର କନ୍ଧମାଳ, କଳାହାଣ୍ଡି ଓ ରାୟଗଡ଼ା ଆଦି ଜିଲ୍ଲାରେ ପାହାନ୍ତାରୁ ଏବେ କୁହୁଡ଼ି ପଡ଼ୁଥିବା ‌ଦେଖିବାକୁ ମିଳିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପାଗ ଶୁଖିଲା ଓ ଖରାଟିଆ ରହିଥିଲା । ତେବେ କୋରାପୁଟ, ରାୟଗଡ଼ା ଓ କନ୍ଧମାଳ ଜିଲ୍ଲାର କିଛି କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମଧରଣର ବର୍ଷା ହୋଇଯାଇଛି । ରାୟଗଡ଼ାରେ ୫୮.୦ ମିମି ବର୍ଷା ହୋଇଥିବା ରେକର୍ଡ ହୋଇଛି । କିନ୍ତୁ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷାର ସମ୍ଭାବନା ନାହିଁ । ପାଗ ଖରାଟିଆ ଓ ଶୁଖିଲା ରହିବ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି ।