ସୋନପୁରରେ ହାଡଭଙ୍ଗା ଶୀତ । ୯ ଡିଗ୍ରୀ ସେଲିସିୟସ ତଳକୁ ଖସିଲା ପାରଦ । ଦିନରେ ବି ହ୍ରାସ ପାଉଛି ତାପମାତ୍ରା ।

116

କନକ ବ୍ୟୁରୋ : ସୋନପୁରରେ ହାଡ଼ଭଙ୍ଗା ଶୀତ, ୯ ଡିଗ୍ରୀ ସେଲସିୟସ ତଳକୁ ଖସିଲା ପାରଦ । ଗତ କିଛି ଦିନ ହେଲେ ସୋନପୁର ଜିଲ୍ଲାରେ ଦିନରେ ତାପମାତ୍ରା ହ୍ରାସ ପାଇବାରେ ଲାଗିଛି । ଜିଲ୍ଲାରେ ଏହାର ପ୍ରଭାବରେ ଲୋକେ ତ୍ରାହି ତ୍ରାହି ଡାକିଲେଣି । ଏଠାରେ ସର୍ବନିମ୍ନ ତାପମାତ୍ରା ୭.୬ ଡିଗ୍ରୀ ସେଲିସିୟସ ଥିବାବେଳେ ସବୁବେଳ ତାପମାତ୍ର ୯ ଡିଗ୍ରୀ ତଳେ ରହିଛି । ଶୀତର ମାତ୍ରା ଦିନବେଳା ପର୍ୟ୍ୟନ୍ତ ମଧ୍ୟ ଏତେ ଅଧିକ ଯେ, ଦିନବେଳା ୧୦ଟା ପର୍ୟ୍ୟନ୍ତ ଲୋକେ ନିହାତି କାମ ନପଡିଲେ ଘରୁ ପଦାକୁ ବାହାରୁ ନାହାନ୍ତି । ଲୋକେ ନିଆଁ ଜାଳି ରହୁଥିବା ଦେଖିବାକୁ ମିଳିଛି ।

ଶୀତ ଆସିଛି ସୋନପୁର । ମହାନଦୀରେ ପ୍ରତିଫଳିତ ହେଉଛି ଶୀତୁଆ ସକାଳର ସୂର୍ଯ୍ୟଙ୍କ ରକ୍ତିମ କିରଣ । ଆଉ କାକର ଭିଜା ଶୀତୁଆ ସାକାଳରେ କିଏ ଚା’ ପିଇ ଦେହକୁ ତାଟକା କରୁଛି ତ ଆଉ କିଏ ପାର୍କରେ କସରତ କରୁଛନ୍ତି । ସହରୀ ମଣିଷ ସିନା ଶୀତର ମଜା ଉଠାଉଛନ୍ତି, ହେଲେ ଗରିବ ଖଟିଖିଆଙ୍କ ପାଇଁ ଶୀତ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି ।

ସୋନପୁରରେ ପାରଦ ଦିନକୁ ଦିନ ତଳକୁ ତଳ ଖସୁଛି । ସାରା ଜିଲ୍ଲା ଜାଡରେ ଥରୁଛି । ସକାଳୁ ଓ ସଂଧ୍ୟା ପରେ ଘରୁ ବାହାରିବା ମୁସ୍କିଲ ହୋଇ ପଡିଛି । ଶୀତ ସାଙ୍ଗକୁ ଘନ କୁହୁଡି ଯୋଗୁଁ ସକାଳୁ ସକାଳୁ ରାସ୍ତାଘାଟ ଭଲକରି ଦେଖାଯାଉନଥିବା ବେଳେ ଦିନ ୧୦ଟା ଯାଏଁ ଘରୁ ବାହାରି ହେଉନାହିଁ । ଫଳରେ ରିକ୍ସା କି ଟ୍ରଲି ଟାଣି ପେଟ ପୋଷୁଥିବା ଶ୍ରମିକମାନେ କାମକୁ ଯାଇ ପାରୁନାହାନ୍ତି ।

ପ୍ରତିବର୍ଷ ଭଳି ଏ ବର୍ଷ ବି ସୋନପୁରକୁ ଶୀତ ଆସିଛି । କାକର ବିନ୍ଦୁରେ ଜାଲ ବୁଣିଛି ବୁଢିଆଣୀ, ସଜେଇ ହୋଇଛି ଘାସ ଗାଲିଚା, ଫୁଲେଇ ହେଉଛି ଫୁଲ । ଗଛ ଡାଳରେ ବସି ଶୀତର କବିତା ଲେଖୁଛି ପକ୍ଷୀ, ହେଲେ ଏତେସବୁ ଭିତରେ ଜାଡରୁ ବର୍ତିବା ପାଇଁ ନିଆଁ ଜାଳି ବସି ରହୁଛନ୍ତି ଶ୍ରମିକ ।