ସମ୍ମାନଜନକ ‘ଷ୍ଟେଟ୍‌ ଭିଜିଟ୍‌’ରେ ହ୍ବାଇଟ୍‌ ହାଉସ୍‌କୁ ଆମନ୍ତ୍ରିତ ହୋଇଥିବା ପ୍ରଧାନମନ୍ତ୍ରୀ ମ‌ୋଦୀ ଓ ଅନ୍ୟାନ୍ୟ ଅତିଥିଙ୍କୁ ଆଜି ହ୍ବାଇଟ୍‌ ହାଉସ୍‌ର ସାଉଥ୍‌ ଲନ୍‌ରେ ‘ଷ୍ଟେଟ୍‌ ଡିନର୍‌’ରେ ଆପ୍ୟାୟିତ କରାଯିବ।

Advertisment

ପ୍ରାପ୍ତ ସୂଚନା ଅନୁସାରେ, ଆଜି ପ୍ରସ୍ତୁତ ହେବାକୁ ଥିବା ଭାରତୀୟ ବ୍ୟଞ୍ଜନ ପାଇଁ ରୋଷେୟାଙ୍କ ନେତୃତ୍ବ ନେବେ ଶାକ୍‌ସବ୍‌ଜି ବ୍ୟଞ୍ଜନ ପ୍ରସ୍ତୁତିରେ ହ୍ବାଇଟ୍‌ ହାଉସ୍‌ ପ୍ରବୀଣ ରୋଷେୟା ନିନା କର୍ଟିସ୍‌। ‘ଷ୍ଟେଟ୍‌ ଡିନର୍‌’ରେ ନିରାମି‌ଷାଶୀ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଇଁ ‘ସେଫ୍‌’ (ରୋଷେୟା) ନିନା କର୍ଟିସ୍‌ ଚମତ୍କାର ନିରମିଷ ବ୍ୟଞ୍ଜନ ପ୍ରସ୍ତୁତ କରିବେ ବୋଲି ଆମେରିକାର ‘ଫାଷ୍ଟ୍‌ ଲେଡି’ ଜିଲ୍‌ ବାଇଡେନ୍‌ ଆଶା କରୁଛନ୍ତି।

ଆଜିର ଏହି ‘ଷ୍ଟେଟ୍‌ ଡିନର୍‌’କୁ ଆମନ୍ତ୍ରିତ ହୋଇଛନ୍ତି ପ୍ରାୟ ୪୦୦ ବିଶିଷ୍ଟ ଅତିଥି। ପିଟିଆଇ ରିପୋର୍ଟ ଅନୁସାରେ, ‘ଷ୍ଟେଟ୍‌ ଡିନର୍‌’ର ‘ଫାଷ୍ଟ୍‌ କୋର୍ସ’ରେ ରହିବ: ‘ମେରିନେଟେଡ୍‌’ ମାଣ୍ଡିଆ, ପୋଡ଼ା ମକା ଦାନା ସାଲାଡ୍‌, ତରଭୁଜ ଓ ଆମ୍ବିଳ ଆଭୋକାଡ଼ୋ ସସ୍‌। ସେହିପରି, ‘ମେନ୍‌ କ‌େର୍ସ’ରେ ରହିବ: ମସଲାଦିଆ ବଟନ୍‌ ଛତୁ, କେଶରଦିଆ ଇଟାଲୀୟ ଭାତ-ଜାଉ ଏବଂ ଅତିଥିମାନଙ୍କ ରୁଚି ଅନୁଯାୟୀ ବିଭିନ୍ନ ଆମିଷ ଓ ନିରାମିଷ ବ୍ୟଞ୍ଜନ।

ସୂଚନାଯୋଗ୍ୟ, ଏହା ‘ନିରୋଳା ନିରାମିଷ’ ‘ଡିନର୍‌’ ନୁହେଁ। ଅତିଥିମାନଙ୍କ ମଧ୍ୟରେ ଅନେକ ଆମିଷପ୍ରିୟ ଥିବାରୁ ସେମାନଙ୍କ ରୁଚି ଅନୁଯାୟୀ ବ୍ୟଞ୍ଜନ ପ୍ରସ୍ତୁତି କରାଯିବ। ସେମାନଙ୍କ ପାଇଁ ‘ସି ବାସ୍‌’ ନାମରେ ଗୋଟାଏ ଜାତିର ମାଛଭଜା କରାଯିବ। ଏହାଛଡ଼ା, ଏଥିରେ ରହିବ ଲେମନ୍‌-ଡିଲ୍‌ ୟୋଗର୍ଟ ସସ୍‌, କଡ଼ାଭଜା ମିଲେଟ୍‌ କେକ୍‌ ଏବଂ ‘ସମର୍‌ ସ୍କ୍ବାସ୍‌’ (କାକୁଡ଼ି ଜାତୀୟ ଫଳ)। ଶେଷକୁ ‘ଡେଜର୍ଟ’ ବା ମିଷ୍ଟାନ୍ନ ଭାବେ ପରିବେଷଣ କରାଯିବ ଗୋଲାପ ଓ ଅଳେଇଚ ମିଶ୍ରିତ ‌ଷ୍ଟ୍ରବେରି ‘ସର୍ଟକେକ୍‌’। ସେହିପରି, ମଦ ତାଲିକାରେ ରହିଛି ‘ଷ୍ଟୋନ୍‌ ଟାୱାର୍‌ କାର୍ଡୋନେ ‘କ୍ରିଷ୍ଟି’ ୨୦୨୧, ‘ପଟେଲ୍‌ ରେଡ୍‌ ବ୍ଲେଣ୍ଡ୍‌ ୨୦୧୯’ ଏବଂ ‘ଡୋମେନ୍‌ କାର୍ନେରୋଜ୍‌ ବ୍ରଟ୍‌ ‌ରୋଜ୍‌’।