ଚାଲିଛି ପୋଲିସ କର୍ମଚାରୀଙ୍କ ମାନସିକ ସ୍ଥିତିର ଯାଞ୍ଚ । ୪୦ ବର୍ଷରୁ ଅଧିକ ବୟସର ପୋଲିସ କର୍ମଚାରୀଙ୍କ କରାଯାଉଛି ସ୍ୱାସ୍ଥ୍ୟ ପରୀକ୍ଷା

198

କନକ ବ୍ୟୁରୋ: ବ୍ରହ୍ମପୁରର ଏମକେସିଜି ବଡ ମେଡିକାଲରେ ଚାଲିଛି ପୁଲିସ କର୍ମଚାରୀ ଓ ଅଧିକାରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା । ବ୍ରହ୍ମପୁର ପୋଲିସ ଜିଲ୍ଲା ଏସପି ଙ୍କ ନିର୍ଦ୍ଦେଶରେ ଏହି ପରୀକ୍ଷା ହେଉଛି । ଏଥିରେ ୫୦୦ରୁ ଅଧିକ ପୁରୁଷ ଓ ମହିଳା କର୍ମଚାରୀ ଓ ଅଧିକାରୀଙ୍କ ପରୀକ୍ଷା କରୁଛନ୍ତି ଡାକ୍ତରୀ ଦଳ । ଏମକେସିଜି ମେଡିକାଲର ବିଭିନ୍ନ ବିଭାଗରେ ରକ୍ତ ପରୀକ୍ଷା ଠାରୁ ଆରମ୍ଭ କରି କାନ, ନାକ ଗଳା , ସୁଗର , ବିପି ସମେତ ମହିଳା ମାନଙ୍କ ବିଭିନ୍ନ ରୋଗର ନିରୁପଣ କରାଯାଉଛି । ବିଶେଷକରି ମାନସିକ ରୋଗ ନିରୁପଣ ପାଇଁ ସ୍ୱତନ୍ତ୍ର ପରୀକ୍ଷା ହେଉଛି । ଏମକେସିଜି ମେଡିକାଲ ବହିଃ ଚିକିତ୍ସା ବିଭାଗ ୬୮ନମ୍ବର କକ୍ଷରେ ମାନସିକ ରୋଗର ନିରୁପଣ ବେଳେ ସେମାନଙ୍କୁ ବିଭିନ୍ନ ପ୍ରଶ୍ନ ପଚରା ଯାଉଛି ।

  • ଆପଣଙ୍କୁ ଚିଡିଚିଡା ଲାଗୁଛି କି ?
  • ଆପଣଙ୍କ ମନକୁ ରାଗ ଆସୁଛି କି?
  • ଆପଣ ମାନସିକ ଭାରାକ୍ରାନ୍ତ ଅଛନ୍ତି କି?
  • ଆପଣଙ୍କ ମନରେ କିଛି ବିଭ୍ରାଟ ସୃଷ୍ଟି ହେଇଛି କି ?

ଏଭଳି କିଛି ପ୍ରଶ୍ନ ପଚାରି ରୋଗ ନିରୁପଣ କରୁଛନ୍ତି ମାନସିକ ରୋଗ ବିଶେଷଜ୍ଞ । ଗତ ୨୦ ଦିନରେ ୩୦୦ରୁ ଅଧିକ ପୋଲିସ କର୍ମଚାରୀ ଓ ଅଧିକାରୀଙ୍କ ପରୀକ୍ଷା ସରିଛି ।

ନବଦାସଙ୍କ ହତ୍ୟା ଅଭିଯୁକ୍ତ ଏଏସଆଇ ଗୋପାଳ ଦାସଙ୍କ ମାନସିକ ଅବସ୍ଥା ଠିକ୍ ନଥିବା ତଦନ୍ତ ବେଳେ ଜଣାପଡ଼ିଥିଲା । ତେଣୁ ସମସ୍ତ ପୋଲିସ କର୍ମଚାରୀଙ୍କ ମାନସିକ ସ୍ୱାସ୍ଥ୍ୟ ପରୀକ୍ଷା ଭଳିି ଆଗୁଆ ପଦକ୍ଷେପ ନେଇଛନ୍ତି ବ୍ରହ୍ମପୁର ଏସପି । ଏମକେସିଜି ସୁପରିଂଟେଣ୍ଡଣ୍ଟ ସୁଚିତ୍ରା ଦାସଙ୍କ ତତ୍ତ୍ୱାବଧାନରେ ସମସ୍ତ ପରୀକ୍ଷା ହୋଇଛି । ଏହା ପୋଲିସ କର୍ମଚାରୀଙ୍କୁ ସୁସ୍ଥ ରଖିପାରିବ ବୋଲି ମତ ପ୍ରକାଶ ପାଇଛି ।