କନକ ବ୍ୟୁରୋ: ରହସ୍ୟମୟ ଶ୍ରୀଜଗନ୍ନାଥ ସବୁବେଳେ ଭକ୍ତର । ଭକ୍ତ ପାଇଁ ସେ କେତେବେଳେ ବଣପାହାଡ ଭିତରୁ ଯାଇ ଶ୍ରୀମନ୍ଦିରରେ ବିଜେ ହୁଅନ୍ତି ତ,  ଆଉ କେତେବେଳେ ଶ୍ରୀମନ୍ଦିରରୁ ବାହାରି କେଉଁ ଅଗନାଅଗନି ବଣ ଭିତରେ ଆତ୍ମଗୋପନ କରନ୍ତି । ଆଉ ବଣର ଫଳମୂଳ ଖାଇ ଭକ୍ତର ନୈବେଦ୍ୟ ଗ୍ରହଣ କରନ୍ତି । ଏଭଳି ଏକ ପବିତ୍ର ହେଉଛି ଚିଲିକା ଭିତରେ ଥିବା ପାରିକୁଦ ଟାପୁ ନିକଟ ଗୁରୁବାଈ ଗାଁ । ହେଲେ ଆଜି ଏଠି ଅବେହେଳିତ ଏହି ପବିତ୍ର ଧାମ । ଭଙ୍ଗା ଆଜବେଷ୍ଟସ୍ ଘରେ ପୂଜା ପାଉଛନ୍ତି ମହାପ୍ରଭୁ । ଯାହାକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ମନରେ କ୍ଷୋଭ ।

Advertisment

୧୫୦୦ ଖ୍ରୀଷ୍ଟାବ୍ଦ, ସାରା ଉକ୍ରଳ ମାଟିରେ ଚାଲୁଥାଏ ଗଜପତି ରାମଚନ୍ଦ୍ର ଦେବଙ୍କ ଶାସନ । ହେଲେ ଏହି ସମୟରେ ମାଡିଆସିଲେ ଯବନ । ତକି ଖାଁ ଓ ତା’ର ସହଯୋଗୀମାନେ ସାରା ଓଡିଶାକୁ ନିଜ କରାୟତ୍ତ କରିବାକୁ ଚାହିଁଲେ । ଏ ମାଟିରୁ ଶ୍ରୀଜଗନ୍ନାଥଙ୍କ ସଂସ୍କୃତିକୁ ମୂଳପୋଛ କରିବାକୁ ଚାହୁଁଥିଲେ । ଶ୍ରୀମନ୍ଦିରରେ ପଶି ଧନରତ୍ନ ଲୁଟିନେଲେ । ହେଲେ ଏହାର ପ୍ରାକ୍ ସୂଚନା ପାଇଥିଲେ ରାଜା ରାମଚନ୍ଦ୍ର ଦେବ । ସେବାୟତଙ୍କ ସହଯୋଗରେ ମହାପ୍ରଭୁଙ୍କୁ ଶଗଡିରେ ନେଇ ରାତି ରାତି ଚିଲିକା କୂଳରେ ପହଞ୍ଚିଲେ । ଏଠାରୁ ଡଙ୍ଗାରେ ଚତୁର୍ଦ୍ଧା ମୂରତିଙ୍କୁ ନେଇ ପାରିକୁଦ ନିକଟ ଗୁରୁବାଇ ଗାଁରେ ପହଞ୍ଚିଲେ । କାରଣ ସେ ସମୟରେ ଏସବୁ ସ୍ଥାନ ଥିଲା ବିଧର୍ମୀ ଯବନଙ୍କ ପାଇଁ ଅପହଞ୍ଚ । ଏଠାରେ ଏକ କୁଡିଆ କରି କିଛି ମାସ ମହାପ୍ରଭୁଙ୍କ ସେବାରେ ରହିଲେ ଗଜପତି ଓ ସେବାୟତ । ସେବେଠାରୁ ଏଠାରେ ପୂଜା ପାଇଆସୁଛନ୍ତି ମହାପ୍ରଭୁ । ହେଲେ ଏତେ ବର୍ଷ ବିତିଗଲା ପରେ ବି ମହାପ୍ରଭୁଙ୍କ ଏହି ଗୋପନ କ୍ଷେତ୍ର ଉପରେ ପଡିନି ପ୍ରଶାସନର ଦୃଷ୍ଟି । ଅତି ଅବହେଳିତ ଅବସ୍ଥାରେ ଏକ ଭଙ୍ଗା ଆଜବେଷ୍ଟସ୍ ଘରେ ପୂଜା ପାଉଛନ୍ତି ଶ୍ରୀଜଗନ୍ନାଥ । ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମନରେ ଦୁଃଖ

ଯେତେଯାହା ହେଉପଛେ ମହାପ୍ରଭୁ ପ୍ରତ୍ୟେକ ଓଡିଆର ପ୍ରାଣରେ । ବିଧର୍ମୀ ଯେତେ ଚେଷ୍ଟା କରନ୍ତୁ ପଛେ କିନ୍ତୁ ପ୍ରାଣପ୍ରିୟ ଶ୍ରୀଜଗନ୍ନାଥଙ୍କୁ ସୁରକ୍ଷିତ ରଖିବାକୁ ଓଡିଆ ନିଜ ଜୀବନକୁ ବାଜି ଲଗାଇଦେଇଛି, ଯାହାର ପ୍ରମାଣ ହେଉଛି ଏହି ଗୁରୁବାଇ ଗାଁ । ତେଣୁ ଏହି ପବିତ୍ର କ୍ଷେତ୍ରର ଉନ୍ନତି କରିବାକୁ ଦାବି କରିଛନ୍ତି ସ୍ଥାନୀୟ ଲୋକେ ।