ବୈଠକରୁ ବାହାରିପାରୁନି ନିଷ୍କର୍ସ : ଦିଲ୍ଲୀରେ ଆଜି ମଧ୍ୟାହ୍ନ ୧୨ଟାରେ ସରକାର ଓ ଚାଷୀନେତାଙ୍କ ଭିତରେ ଚତୁର୍ଥ ପର୍ଯ୍ୟାୟ ଆଲୋଚନା

ବୈଠକ ପୂର୍ବରୁ ଚାଷୀଙ୍କ ଚେତାବନୀ; କହିଲେ, କୃଷି ଆଇନ ପ୍ରତ୍ୟାହାର ନକଲେ ବନ୍ଦ କରିଦେବେ ଦିଲ୍ଲୀ ବାଟ । କୃଷି ମନ୍ତ୍ରୀ କହିଲେ, ଯେତେଦୂର ସମ୍ଭବ ସମାଧାନ ପାଇଁ କରାଯିବ ଉଦ୍ୟମ

67

କନକ ବ୍ୟୁରୋ : ଚାଷୀ ଆନ୍ଦୋଳନ ପ୍ରଶମିତ କରିବା ପାଇଁ ଆଜି ବୈଠକ ଡାକିଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ । ମଧ୍ୟାହ୍ନ ୧୨ଟାରେ ସରକାର ଓ ଚାଷୀନେତାଙ୍କ ଭିତରେ ଚତୁର୍ଥ ପର୍ଯ୍ୟାୟ ଆଲୋଚନା ହେବ । ନୂଆ କୃଷି ଆଇନକୁ ନେଇ କୃଷକ ସଂଗଠନ ଗୁଡିକର ଦ୍ୱନ୍ଦ୍ୱ ରହିଥିବା ପ୍ରତ୍ୟେକଟି ବିନ୍ଦୁ ଉପରେ ବିସ୍ତୃତ ଭାବରେ ଆଲୋଚନା କରାଯିବ । ଚାଷୀମାନଙ୍କର ଦାବି ହେଲା ଏମଏସପିକୁ ନେଇ ରହିଥିବା ସେମାନଙ୍କ ଦାବି ସରକାରଙ୍କଠାରୁ ପୂରଣ କରାଇନେବେ । ତେଣୁ ସେମାନେ ପୋଲିସ ପ୍ରଶାସନ ସାଙ୍ଗରେ ମୁହାଁମୁହିଁ ହେଉନାହାନ୍ତି ।

ବରଂ ଶାନ୍ତିପୂର୍ଣ୍ଣ ଭାବରେ ଦିଲ୍ଲୀରେ ପହଂଚି ନିଜ କଥା ସରକାରଙ୍କ କାନରେ ପକାଇବାକୁ ଅଡି ବସିଛନ୍ତି । ହେଲେ ଏହି ବୈଠକ ପୂର୍ବରୁ ଚେତାବନୀ ଦେଇ ଆନ୍ଦୋଳନକାରୀ କୃଷକ କହିଛନ୍ତି, କୃଷି ଆଇନ ପ୍ରତ୍ୟାହାର ନକଲେ ବନ୍ଦ କରିଦେବେ ଦିଲ୍ଲୀ ବାଟ । ମଙ୍ଗଳବାର ସରକାରଙ୍କ ସହିତ କୃଷି ସଂଗଠନର ନେତାମାନଙ୍କ ଆଲୋଚନା ହୋଇଥିଲା । କିନ୍ତୁ ସମାଧାନ ବାହାରିଲାନି । ପ୍ରଥମେ ନୂଆ କୃଷି ଆଇନକୁ ନେଇ ଚାଷୀଙ୍କ ଆପତି ଶୁଣିଥିଲେ କେନ୍ଦ୍ରମନ୍ତ୍ରୀ । ପରେ ସରକାରଙ୍କ ପକ୍ଷରୁ ନୂଆ କୃଷି ଆଇନକୁ ନେଇ ପ୍ରେଜେଂଟେସନ୍ ଦିଆଗଲା । ଏହାରି ଜରିଆରେ ଏମଏସପି ଓ ଏପିଏମସି ବାବଦରେ ଚାଷୀଙ୍କୁ ବୁଝାଗଲା । ପ୍ରେଜେଂଟେସନ୍ ପରେ ସରକାର ଏକ କମିଟି ଗଠନ କରିବାକୁ ପ୍ରସ୍ତାବ ଦେଲେ ।

ଉଭୟ ପକ୍ଷର ପ୍ରତିନିଧିଙ୍କୁ ନେଇ ଏକ ଛୋଟ କମିଟି କରିବାକୁ ପ୍ରସ୍ତାବ ଦିଆଗଲା । କମିଟିରେ ଚାଷୀ, ସରକାରୀ ପ୍ରତିନିଧି ଓ ବିଶେଷଜ୍ଞଙ୍କୁ ରଖିବାକୁ ପ୍ରସ୍ତାବ ଥିଲା ହେଲେ କମିଟି ଗଠନ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ କୃଷକ ସଂଗଠନ ନେତା । ଏଥିସହ କେନ୍ଦ୍ର ଆଣିଥିବା ୩ଟି କୃଷି ଆଇନକୁ ସଂପୂର୍ଣ୍ଣ ଖାରଜ କରିବାକୁ କହିଲେ । ଅନ୍ୟପଟେ କୃଷି ମନ୍ତ୍ରୀ କହିଛନ୍ତି, ଯେତେଦୂର ସମ୍ଭବ ସମାଧାନ ପାଇଁ ଉଦ୍ୟମ କରାଯିବ । ନୂଆ କୃଷି ଆଇନକୁ ବିରୋଧ କରି ଚାଷୀମାନେ ଦିଲ୍ଲୀର ସଂଯୋଗ ପଥରେ ଆନ୍ଦୋଳନ ଜାରି ରଖିଛନ୍ତି ।