କନକ ବ୍ୟୁରୋ: ଅବହେଳିତ ହୋଇପଡିଛି ୧୮ଶହ ମସିହାର ବହୁ ପୁରୁଣା ବିଦ୍ୟାଳୟ । ବର୍ଷ ବର୍ଷ ଧରି ଏଠାରୁ ବହୁ କୃତୀ ଛାତ୍ର ବାହାରେ ବେଶ ନାଁ କରିଛନ୍ତି । ହେଲେ ଏବେ ଅବହେଳା କାରଣରୁ ବିଦ୍ୟାଳୟ ବନ୍ଦ ହେବାକୁ ବସିଛି । ୫ଟି ଶ୍ରେଣୀରେ ଅଛନ୍ତି ମାତ୍ର ୬ଜଣ ପିଲା । ୧୮୮୫ ମସିହାରୁ ରହିଛି ଗଞ୍ଜାମ ଆସିକାର ମେକ୍ ମାଇକେଲ ସଂସ୍କୃତ ବିଦ୍ୟାଳୟ । ଗୁରୁକୁଳ ଢାଞ୍ଚାରେ ଗଢି ଉଠିଥିଲା ଏହି ବିଦ୍ୟାଳୟଟି । ଆସିକା ଓ ଏହାର ଆଖପାଖ ଅଂଚଳର ବ୍ରାହ୍ମଣ ପରିବାରର ପିଲାମାନେ ଏଠାରେ ବେଦ,ମନ୍ତ୍ର,ଶାନ୍ତ୍ର,ପୁରାଣ ଓ କର୍ମ କାଣ୍ଡ ଶିକ୍ଷା ଗ୍ରହଣ କରଥାନ୍ତି ।

Advertisment

ପୁରୀ ସଂସ୍କୃତ ବିଶ୍ୱବିଦ୍ୟାଳୟ ଦ୍ୱାରା ଏହା ପରିଚାଳିତ ହେଉଥଲା । ପରେ ଏହାର ପରିଚାଳନା ଭାର ୨୦୦୦ ମସିହାରୁ ରାଜ୍ୟ ସରକାଙ୍କ ମାଧ୍ୟମିକ ଶିକ୍ଷାପରିଷଦ ହାତକୁ ଯାଇଥିଲା । ହେଲେ ଶହ ଶହ କିଲୋମିଟର ଦୂରରୁ ପିଲା ଆସି ପଢୁଥିବା ଏହି ବିଦ୍ୟାଳୟଟି ବିଭିନ୍ନ କାରଣରୁ ଏବେ ଆବଶ୍ୟକ ମାତ୍ରାରେ ପିଲା ଅଭାବରୁ ବନ୍ଦ ହୋଇଯିବା ସ୍ଥିତିରେ । ଷଷ୍ଠରୁ ଦଶମ ପର୍ଯ୍ୟନ୍ତ ଏଠାରେ ଶିକ୍ଷାଦାନର ବ୍ୟବସ୍ଥା ରହିଛି । ହେଲେ ଶିକ୍ଷକ ଅଭାବ ଓ ବିଦ୍ୟାଳୟ ପରିଚାଳନାରେ ଅନିୟମିତତା କାରଣରୁ ଶହ ଶହ ଛାତ୍ରଛାତ୍ରୀ ପଢୁଥିବା ସ୍କୁଲଟି ଏବେ ପିଲା ଶୂନ୍ୟ ପଲଟିଛି । ଏବେ ଦଶମ ଶ୍ରେଣୀରେ ମଧ୍ୟ ଯେଉଁ ୬ ଜଣ ପିଲା ପଢୁଛନ୍ତି ସେମାନଙ୍କୁ ପଢାଇବା ପାଇଁ କୌଣସି ଶିକ୍ଷକ ନାହାନ୍ତି ।