ଆକାଶରୁ ବର୍ଷୁଛି ନିଆଁ: ଅଧିକ ଜଳୁଛି ଉପକୂଳ, ଏପ୍ରିଲରେ ସର୍ବାଧିକ ଦିନ ଗ୍ରୀଷ୍ମପ୍ରବାହ !

219

କନକ ବ୍ୟୁରୋ: ଟକମକ ତାତିରେ ଫୁଟୁଛି ଗାଁରୁ ସହର । କଲବଲ କରୁଛି ଅସହ୍ୟ ଖରା । ଏପ୍ରିଲ ୨୦ ତାରିଖ ଯାଏ ତାତିରୁ ମିଳିବନି ନିସ୍ତାର । ସ୍ୱାଭାବିକ ଠାରୁ ୪ରୁ ୬ ଡିଗ୍ରୀ ଯାଏ ବଢ଼ିପାରେ ତାପମାତ୍ରା । ଏଭଳି ଆକଳନ ସହ ଗ୍ରୀଷ୍ମ ପ୍ରବାହ ନେଇ ରାଜ୍ୟବାସୀଙ୍କୁ ସତର୍କ କରାଇଛି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଆଜି ଅଧିଂକାଶ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଛୁଇଁଥିବା ବେଳେ ୧୮ ଓ ୧୯ ତାରିଖ ବେଳକୁ କିଛି ସ୍ଥାନରେ ପାରଦ ୪୫ ଡିଗ୍ରୀ ଛୁଇଁବାର ଆଶଙ୍କା ରହିଛି ।

ଏପ୍ରିଲ ତୃତୀୟ ସପ୍ତାହରେ ଦିନ ସହ ରାତିରେ ବି ହେଉଛି ଅସମ୍ଭାଳ ତାତି । ଉଷ୍ମ ଓ ଆର୍ଦ୍ର ପାଣିପାଗ ପାଇଁ ସ୍ଥିତି ସଙ୍ଗୀନ ହୋଇଛି । ପାଣିପାଗ ବିଭାଗର ଆକଳନ ଅନୁସାରେ
-ଆସନ୍ତା ୨୦ ତାରିଖ ଯାଏଁ ତାତିରୁ ନିସ୍ତାର ନାହିଁ
-ସ୍ୱାଭାବିକଠାରୁ ୪ରୁ ୬ ଡିଗ୍ରୀ ବଢିପାରେ ତାପମାତ୍ରା
-୧୮, ୧୯ ତାରିଖରେ ଅଧିକ ଗ୍ରୀଷ୍ମପ୍ରବାହ ଚେତାବନୀ
-ଭବାନୀପାଟଣା, ବଲାଙ୍ଗିର , ଟିଟଲାଗଡ, ନୟାଗଡ, ଝାରୁସୁଗୁଡା. ଅନୁଗୁଳ, ବୌଦ୍ଧ ଓ ମାଲକାନଗିରିରେ ପାରା ଛୁଇଁପାରେ ୪୫ ଡିଗ୍ରୀ
-ଗ୍ରୀଷ୍ମପ୍ରବାହ ପାଇଁ ୧୯ ଜିଲ୍ଲାକୁ ୟେଲୋ ଆଲର୍ଟ
-୨୧, ୨୨ ତାରିଖ ବେଳକୁ ପାଣିପାଗରେ ପରିବର୍ତ୍ତନ ସମ୍ଭାବନା

ଆଜି ବି ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ କିମ୍ବା ତା ଉପରେ ରହିଛି ।ଭୁବନେଶ୍ୱରରେ ଦିନ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଛି ।
ପାଣିପାଗ ବିଭାଗର ଚେତାବନୀ ଅନୁସାରେ, ଏଥର ଏପ୍ରିଲ ମାସରେ ସର୍ବାଧିକ ଦିନ ଗ୍ରୀଷ୍ମପ୍ରବାହ ହେବ । ଏପ୍ରିଲ ମାସରେ ସ୍ୱାଭାବିକ ଭାବେ ୧ରୁ ୩ ଦିନ ଗ୍ରୀଷ୍ମପ୍ରବାହ ହୋଇଥାଏ । କିନ୍ତୁ ଆଜି ସୁଦ୍ଧା ୩ ଦିନ ଗ୍ରୀଷ୍ମପ୍ରବାହ ହୋଇସାରିଛି । ଆହୁରି ୫ଦିନ ଗ୍ରୀଷ୍ମପ୍ରବାହ ହେବ ବୋଲି ଆକଳନ କରାଯାଇଛି । ତେଣୁ ୭ରୁ ୮ ଦିନ ଗ୍ରୀଷ୍ମପ୍ରବାହ ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।
ବୁଧବାର ରାମନବମୀଙ୍କୁ ନେଇ ସତର୍କ କରାଇଛି ପାଣିପାଗ ବିଭାଗ । ପିକ ଆୱାରରେ ନ ବାହାରିବା ଓ ଲମ୍ବା ବାଟ ଯାତ୍ରା କରୁଥିଲେ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି ।