୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ତଥା ଲସ୍କର ଆତଙ୍କୀ ଜାକି ଓର ରେହମାନ ଗିରଫ୍ । ଆତଙ୍କବାଦୀଙ୍କ ସହଯୋଗ କରିବା ଓ ସେମାନଙ୍କ ଟଙ୍କା ଦେବା ଅଭିଯୋଗରେ ଗିରଫ୍

296

କନକ ବ୍ୟୁରୋ : ୨୦୦୮ ମସିହା ନଭେମ୍ବର ମାସ ୨୬ ତାରିଖରେ ମୁମ୍ବାଇରେ ହୋଇଥିବା ଆକ୍ରମଣ ଘଟଣାର ମାଷ୍ଟର ମାଇଣ୍ଡ ତଥା ଲସ୍କର ଆତଙ୍କବାଦୀ ସଂଗଠନର ପ୍ରମୁଖ ଜାକି ଓର ରେହମାନ ଲଖବୀକୁ ଗିରଫ୍ କରାଯାଇଛି । ତାକୁ ଆତଙ୍କବାଦୀ ମାନଙ୍କୁ ସାହାଯ୍ୟ କରିବା, ସେମାନଙ୍କୁ ଆର୍ଥିକ ସହାୟତା ଦେବା ଅଭିଯୋଗରେ ଗିରଫ୍ କରାଯାଇଛି । ସୂଚନା ଥାଉକି ଜାକି ଓର ରେହମାନ ଲଖବୀ ହାଫିଜ୍ ସଇଦ ସହ ମିଶି ୨୬/୧୧ ମୁମ୍ବାଇ ଆକ୍ରମଣ ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ ।
ଆତଙ୍କବାଦୀ ସଂଗଠନ ଲସ୍କରେ-ଏ- ତୋଇବା ର ଅପରେସନ କମାଣ୍ଡର ଲାଖବୀ ମୁମ୍ବାଇ ଆକ୍ରମଣ ପରେ ୨୦୦୮ରେ ୟୁଏନଏସସିର ପ୍ରସ୍ତାବ ମାଧ୍ୟମରେ ସଂଯୁକ୍ତ ରାଷ୍ଟ୍ର ତାକୁ ବିଧିବଦ୍ଧ ଭାବେ ଆତଙ୍କବାଦୀ ଘୋଷଣା କରିଥିଲା । ମୁମ୍ବାଇ ଆକ୍ରମଣ ବାବଦରେ ଚାଲିଥିବା ତଦନ୍ତ ସ୍ପଷ୍ଟ କରିଥିଲା କି ଲଖବୀ ହାଫିଜ୍ ସଇଦର ସମସ୍ତ ଆକ୍ରମଣ ପୂର୍ବରୁ ଯୋଜନା ପ୍ରସ୍ତୁତ କରୁଥିଲା ଓ ତାକୁ ସଫଳ କରିବାକୁ କମାଣ୍ଡର ଭାବେ କାର୍ଯ୍ୟ କରୁଥିଲା ।
୨୬/୧୧ ମୁମ୍ବାଇ ଆକ୍ରମଣରେ ବେଳେ ପାକିସ୍ତାନର ଆତଙ୍କୀ ସଂଗଠନ ଲସ୍କର-ଏ-ତୋଇବାର ୧୦ ଜଣ ଆତଙ୍କବାଦୀ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଧରି ମୁମ୍ବାଇ ସହରରେ ଆଖିବୁଜା ଗୁଳି ଚଳାଇଥିଲେ । ଏହି ଆକ୍ରମଣରେ ମୁମ୍ବାଇର ୧୬୬ ଜଣ ସାଧାରଣ ଲୋକଙ୍କ ଜୀବନ ଯାଇଥିଲା , ଏହାସହ ୩୦୦ ରୁ ଅଧିକ ଲୋକ ଆହତ ହୋଇଥିଲେ । ଲାଖବୀ ପାଖା ପାଖି ୬ ବର୍ଷ ପାକିସ୍ତାନ ଜେଲରେ ରହିବା ପରେ ୨୦୧୫ ଏପ୍ରିଲ ମାସରେ ସେ ଜେଲରୁ ମୁକୁଳିଥିଲେ । ଏହାପରେ ଆଜି ତାଙ୍କୁ ଗିରଫ୍ କରାଯାଇଥିବା ସୂଚନା ମିଳିଛି ।