ମାସ୍କ ତିଆରି ଦେଇଛିି ମହିଳାଙ୍କୁ ରୋଜଗାର । ସ୍ୱୟଂସହାୟିକା ଗୋଷ୍ଠୀର ୧୯୦ଜଣ ମହିଳା ମାସକୁ କରୁଛନ୍ତି ୧୫ ହଜାର ପର୍ଯ୍ୟନ୍ତ ରୋଜଗାର

80

କନକ ବ୍ୟୁରୋ: କରୋନା କଳାରେ ମାସ୍କ ଦେଉଛି ମହିଳାଙ୍କୁ ରୋଜଗାର । କରୋନା କାଳରେ ସାଧାରଣ ମହିଳା ଯେତେବେଳେ ରୋଜଗାର ହରେଇ ଘରେ ବସିଥିବା ବେଳେ ସ୍ୱୟଂସହାୟିକା ଗୋଷ୍ଟିର ମହିଳାକୁ ରୋଜଗାର ଦେଇଛି ମିଶନ ଶକ୍ତି ଫେଡେରେସନ । ହାତ ବାନ୍ଧି ବସିଥିବା ମହିଳାଙ୍କ ମୁହଁରେ ଫୁଟିଛି ହସ । ସ୍ୱୟଂସହାୟିକା ଗୋଷ୍ଟିର ୧୯୦ଜଣ ମହିଳା ମାଷିକ ୧୫ହଜାର ଟଙ୍କା ରୋଜଗାର କରି ସ୍ୱାବଲମ୍ବି ହେବା ସହ ଅନ୍ୟ ମହିଳାମାନଙ୍କ ପାଇଁ ପାଲଟିଛନ୍ତି ଉଦାହରଣ ।

କରୋନା କାଳରେ ଅନେକଙ୍କ ରୋଜଗାର ଯାଇଥିବା ବେଳେ ବହୁ ଜଣଙ୍କୁ କିଛି ନୂଆ କରିବାର ସୁଯୋଗ ବି ମିଳିଛି । ଆଉ ଆପଣଙ୍କ ସ୍କ୍ରିନରେ ଥିବା ଏ ଦୃଶ୍ୟ ହେଉଛି ତାହାର ଏକ ଉଦାହରଣ । କଟକ ଜିଲ୍ଲା ନିଆଳି ବ୍ଲକର ମିଶନ ଶକ୍ତି ଗୃହ, କରୋନା କାଳରେ ସାମାଜିକ ଦୂରତା ସାଙ୍ଗକୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ଏବଂ ଏହି ମାସ୍କ ଅନେକଙ୍କ ପାଇଁ ରୋଜଗାରର ମାଧ୍ୟମ ସୃଷ୍ଟି କରିଛି । ସ୍ୱୟଂସହାୟିକା ଗୋଷ୍ଟିର ମହିଳାମାନେ ତିଆରି କରୁଛନ୍ତି ମାସ୍କ । ଚଳିତ ବର୍ଷ ୬୦ଜଣ ମହିଳା ମାସ୍କ ତିଆରି କରୁଛନ୍ତି । ଏହି ଗୂହରେ ୩ଟି ସିଲେଇ ମେସିନ ସାହାର୍ଯ୍ୟରେ ମାସ୍କ ତିଆରି କରୁଥିବା ବେଳେ ଆଉ କିଛି ମହିଳା ଚଟାଣରେ ବସି ମାସ୍କ ଡିଜାଇନ କଟିଙ୍ଗ୍ କରୁଛନ୍ତି । ଆଉ କିଛି ମହିଳାଙ୍କ ଘର ଦୁରରେ ଥିବାରୁ ସେମାନେ କପଡା ଏଠୁ ନେଇ ଘରେ ମାସ୍କ ତିଆରି କରି ଦେଉଛନ୍ତି । ଲୋକମାନଙ୍କ ପସନ୍ଦକୁ ଦେଖି ମାସ୍କ ତିଆରି କରୁଛନ୍ତି ମହିଳା ।

ଜଣେ ମହିଳା ଦିନକୁ ୧ହଜାର ମାସ୍କ କପଡା କଟିଙ୍ଗ୍ କରି ୧ଟଙ୍କା ହିସାବରେ ହଜାର ଟଙ୍କା ରୋଜଗାର କରିଥାନ୍ତି । ସେହିପରି ମାସ୍କ ସିଲେଇ କରୁଥିବା ମହିଳା ଦିନକୁ ୧୦୦ ମାସ୍କ ସିଲେଇ କରି ମାସ୍କ ଗୋଟାକୁ ୪ଟଙ୍କା ହିସାବରେ ୪୦୦ ଟଙ୍କା ରୋଜଗାର କରନ୍ତି । ଜଣେ ମହିଳା ମାସକୁ ପଖାପାଖି ୧୫ ହଜାରରୁ ୨୦ ହଜାର ଟଙ୍କା ମାସ୍କ ତିଆରି କରି ରୋଜଗାର କରିଥାନ୍ତି । ଗତ ବର୍ଷ ବିଧାୟକ ଆଚଂଳିକ ଉନ୍ନୟନ ପାଣ୍ଠି ସହାୟତା ଜରିଆରେ ମାସ୍କ ତିଆରି ପାଇଁ ମିଶନ ଶକ୍ତିକୁ ୧୫ ଲକ୍ଷ ଟଙ୍କା ଯୋଗାଇ ଦେଇଥିଲେ ବିଧାୟକ ପ୍ରମୋଦ କୁମାର ମଲ୍ଲିକ ।