ଆହୁରୀ କଡାକଡି ହେଲା ଲକଡାଉନ କଟକଣା...ଏଣିକି ଖାଉଟିଙ୍କୁ ହୋଲସେଲ୍ ବା ପାଇକାରୀ ବଜାର ଯିବା ମନା...ଘର ପାଖ ଦୋକାନରୁ ଜିନିଷ କିଣିବାକୁ ସରକାରଙ୍କ ନିର୍ଦ୍ଦେଶ

Advertisment
ଆହୁରୀ କଡାକଡି ହେଲା ଲକଡାଉନ କଟକଣା...ଏଣିକି ଖାଉଟିଙ୍କୁ ହୋଲସେଲ୍ ବା ପାଇକାରୀ ବଜାର ଯିବା ମନା...ଘର ପାଖ ଦୋକାନରୁ ଜିନିଷ କିଣିବାକୁ ସରକାରଙ୍କ ନିର୍ଦ୍ଦେଶ

କନକ ବ୍ୟୁରୋ: ଓଡିଶାରେ ଠାବ ହୋଇଛନ୍ତି ଆଉ ଜଣେ କରୋନା ଆକ୍ରାନ୍ତ । ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ୪୦କୁ ବୃଦ୍ଧି ହୋଇଛି । ଏନେଇ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ଏହି ନୂଆ କରୋନା ଆକ୍ରାନ୍ତଙ୍କ ଘର କେନ୍ଦ୍ରାପଡା ଜିଲ୍ଲାରେ । ତାଙ୍କର ବୟସ ୩୨ ବର୍ଷ ହେବ । ଏହି ଯୁବକଙ୍କ ନମୁନା ସୋମବାର ପଜିଟିଭ୍ ଆସିଛି । ଗତ ମାସ ୨୪ ତାରିଖରେ ସେ ଦୁବାଇରୁ ଫେରିଥିଲେ । ତାଙ୍କ ନମୁନା ପଜିଟିଭ୍ ଆସିବା ପରେ ସେ କରୋନା ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଛି । ତେବେ ଆକ୍ରାନ୍ତ ଯୁବକଙ୍କ ସଂପର୍କରେ ଆଉ କେତେ ଜଣ ଆସିଛନ୍ତି , ଏବେ ତା ଉପରେ ନଜର ରହିଛି । ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ ଯାଂଚ ପରିସରକୁ ଅଣାଯିବ । ଏହି ଆକ୍ରାନ୍ତକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୪୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ଅନ୍ୟପକ୍ଷରେ ପାଇକାରୀ ବଜାରରୁ ଆଉ ଖାଉଟିମାନେ କୌଣସି ସାମଗ୍ରୀ କିଣିପାରିବେ ନାହିଁ ବୋଲି ରାଜ୍ୟ ସରକାର ନିର୍ଦ୍ଦେଶ ଜାରି କରିଛନ୍ତି। ପାଇକାରୀ ବା ହୋଲସେଲ୍ ଦୋକାନରୁ କେବଳ ଖୁଚୁରା ବ୍ୟବସାୟୀମାନେ ଜିନିଷ କିଣି ଖାଉଟିମାନଙ୍କୁ ଯୋଗାଇବେ। ଦୋକାନ ବଜାରରେ ସଉଦା କିଣିବାକୁ ଯାଉଥିବା ସମୟରେ ଲୋକମାନେ ସାମାଜିକ ଦୂରତ୍ବ ବଜାୟ ରଖୁ ନ ଥିବାରୁ ସରକାର ଏଭଳି କଟକଣା ଲଗାଇଛନ୍ତି। ଲୋକମାନେ ନିଜ ଅଞ୍ଚଳରେ ଥିବା ଦୋକାନରୁ ଜିନିଷ କିଣିପାରିବେ ବୋଲି କହିଛନ୍ତି କୋଭିଡ-୧୯ ପାଇଁ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ।

publive-image

ଗତକାଲି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବାଗଚୀ କହିଥିଲେ ଯେ, ଲୋକମାନେ ପାଇକାରୀ ଦୋକାନରୁ ଜିନିଷ କିଣିବା ଲାଗି ଗାଡ଼ି ଧରି ଯାଉଛନ୍ତି। ତେଣୁ ଏଣିକି ଲୋକମାନେ ପାଦରେ ଚାଲି କରି କିମ୍ବା ସାଇକେଲରେ ଯାଇ ବାହାରୁ ଜିନିଷ ଆଣିପାରିବେ। ଅସାଧାରଣ ସମୟରେ ଏଭଳି ଅସାଧାରଣ ନିଷ୍ପତ୍ତି ନେବାକୁ ପଡ଼ୁଛି। ବର୍ତ୍ତମାନର ସମୟ ସଂଯମର ସମୟ, ସୁଖର ସମୟ ନୁହେଁ। ଏହି କଷ୍ଟ ସରକାରଙ୍କ ପାଇଁ ନୁହେଁ, ବରଂ ନିଜ ଓ ନିଜ ପରିବାର ପାଇଁ ଏହି କଷ୍ଟକୁ ସ୍ବୀକାର କରିବାକୁ ପଡ଼ିବ। ସେହିପରି କ୍ଲଷ୍ଟର କଣ୍ଟେନମେଣ୍ଟ ସଂପର୍କରେ ସୂଚନା ଦେବାକୁ ଯାଇ ବାଗଚୀ କହିଥିଲେ ଯେ, ଯେଉଁ ଅଞ୍ଚଳ ସଂକ୍ରମଣ ପ୍ରବଣ ବା ହଟସ୍ପଟ୍ ସେହି ଅଞ୍ଚଳକୁ କ୍ଲଷ୍ଟର କଣ୍ଟେନମେଣ୍ଟ କରାଯାଉଛି।

ଯେଉଁ ଅଞ୍ଚଳରୁ ଅଧିକ ସଂଖ୍ୟାରେ ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହେଉଛନ୍ତି ସେହି ଅଞ୍ଚଳକୁ ସଂକ୍ରମଣ ପ୍ରତିରୋଧ ଅଞ୍ଚଳ ବୋଲି ଘୋଷଣା କରାଯାଉଛି। ଏହା ଥରେ ଘୋଷଣା ହେବା ପରେ ସେହି ଅଞ୍ଚଳରେ ରହୁଥିବା ଲୋକମାନେ ଘରୁ ବାହାରକୁ ଆସିପାରିବେ ନାହିଁ ଓ ବାହାର ଲୋକ ସେହି ଅଞ୍ଚଳକୁ ଯାଇପାରିବେ ନାହିଁ। ଏକ ନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ସ୍ବାସ୍ଥ୍ୟ ଓ ପୌର ଅଧିକାରୀମାନେ ଘରକୁ ଘର ବୁଲି ସଂକ୍ରମଣର ଦୃଷ୍ଟାନ୍ତ ଖୋଜିବେ। ଏହି ସମୟ ଭିତରେ ପୌରସଂସ୍ଥା ସେହି ଅଞ୍ଚଳକୁ ସାନିଟାଇଜ କରିବ। ତେବେ ଏହା କେତେଦିନ ପର୍ଯ୍ୟନ୍ତ ଚାଲିବ ତାହା ଆରମ୍ଭରୁ କହି ହେବନାହିଁ। ଯେ ପର୍ଯ୍ୟନ୍ତ ସ୍ବାସ୍ଥ୍ୟ ବିଭାଗର ସବୁଜ ସଙ୍କେତ ମିଳିନାହିଁ, ସେ ପର୍ଯ୍ୟନ୍ତ ସେହି ଅଞ୍ଚଳ ତତ୍ତ୍ବାବଧାନରେ ରହିବ। ଏହି ସମୟରେ ପୌରସଂସ୍ଥା ପକ୍ଷରୁ ଯଥାସମ୍ଭବ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe