ମାଙ୍କଡିଆ ଜନଜାତିକୁ ମିଳିପାରୁନି ସରକାରୀ ସହାୟତା । ଏବେ ବି ଦୁର୍ଦ୍ଦିନରେ କଟୁଛି ଜୀବନ ।

56

କନକ ବ୍ୟୁରୋ: ସରକାର ଗରିବ ତଥା ଆଦିମ ଆଦିବାସୀ ସଂପ୍ରଦାୟର ଜୀବନ ଶୈଳୀରେ ପରିବର୍ତ୍ତନ ସହ ଶିକ୍ଷା ଏବଂ ଆର୍ଥିକ ସ୍ଥିତିକୁ ବଦଳାଇବା ପାଇଁ ଯୋଜନା କରୁଛନ୍ତି । କିନ୍ତୁ ଅସାଧୁ କର୍ମଚାରୀ ଓ ସ୍ଥାନୀୟ ଜନ ପ୍ରତିନିଧିଙ୍କ ଦୂରଦୃଷ୍ଟି ଅଭାବରୁ ଯୋଜନା ବାଟବଣା ହେଉଛି । ଏଭଳି ଅଭିଯୋଗ ଆସିଛି ଦେବଗଡ ଜିଲ୍ଲା ଆଇଟିଡିଏ ବ୍ଲକ ତିଲେଇବଣୀ ଅନ୍ତର୍ଗତ କଳାମାଟି ଗାଁ ମାଙ୍କଡିଆବସା ବସ୍ତିରୁ ।

ଦଶନ୍ଧୀ ଦଶନ୍ଧୀ ଧରି ପାହାଡ ପାଦଦେଶରେ ବସବାସ କରୁଛନ୍ତି ମାଙ୍କଡିଆ ଜନଜାତି । ଜଙ୍ଗଲରୁ ଶିଆଳୀ ପଟ ସଂଗ୍ରହ କରି ସେଥିରୁ ରଶି ତିଆରି କରି ପରିବାର ପ୍ରତିପୋଷଣ କରନ୍ତି । ହେଲେ ଧିରେ ଧିରେ ଜଙ୍ଗଲ ନଷ୍ଟ ହେବାରୁ ଜୀବିକା ବଦଳି ଯାଇଛି, ଶିଆଳୀ ପଟ ବଦଳରେ ସିମେଣ୍ଟ ବସ୍ତାକୁ ବ୍ୟବହାର କରି ରଶି ଦଉଡି ପ୍ରସ୍ତୁତ କରି ପେଟ ପୋଷୁଛନ୍ତି । କିନ୍ତୁ ଏମାନଙ୍କ ଉପରେ ସରକାରଙ୍କ  ନଜର ପଡିନାହିଁ । ମାଙ୍କେଡିଆଙ୍କ ପାଖରେ ସରକାରୀ ଯୋଜନା ପହଞ୍ଚି ପାରିନାହିଁ ।

ଆଜି ମଧ୍ୟ ଝାଟିମାଟି ଘରେ ପଲିଥିନ ଟାଙ୍ଗି ରହୁଛନ୍ତି । ସରକାର ପକ୍କା ଘର ତ ମିଳିନି, ବୟସ୍କଙ୍କୁ ବାର୍ଦ୍ଧକ୍ୟ ଭତ୍ତା ବି ମିଳୁନାହିଁ । ବସ୍ତିର ପିଲାଙ୍କ ପାଇଁ ପ୍ରାଥମିକ ବିଦ୍ୟାଳୟଟିଏ ଅଛି, କିନ୍ତୁ ଲୋକେ ଶିକ୍ଷା ଠାରୁ ଅନେକ ଦୂରରେ, ତେଣୁ ସରକାରୀ ଯୋଜନା ବାବଦରେ ସେମାନେ ଅଜ୍ଞ । ୪୯ ନମ୍ବର ଜାତୀୟ ରାଜପଥକୁ ଲାଗି ରହିଥିବା ମାଙ୍କଡିଆବସା ବସ୍ତିକୁ ରାସ୍ତାଟିଏ ନାହିଁ । ଲୋକେ ମୌଳିକ ସୁବିଧାରୁ ବଞ୍ଚିଥିବା ବେଳେ ପରିବାର ପିଛା ମାସକୁ ୫ କେଜି ଚାଉଳ ଦେଇ କାମ ସାରି ଦେଇଛନ୍ତି ପ୍ରଶାସନ ଓ ସ୍ଥାନୀୟ ରାଜନେତା ।

ଦେବଗଡ ଜିଲ୍ଲା ମୁଖ୍ୟାଳୟରୁ ମାତ୍ର ୭ କି.ମି ଦୂରରେ ରହୁଥିବା ମାଙ୍କଡିଆବସାର ଆଦିମ ଜନଜାତି ବାସିନ୍ଦାଙ୍କ ଦୁର୍ଦ୍ଦିନକୁ ଦେଖିଲେ ଯେ କେହି ବି ସରକାରୀ ଯୋଜନାକୁ ନେଇ ପ୍ରଶ୍ନ କରିବେ । ଜନଜାତିଙ୍କ ପାଇଁ ସରକାର କରୁଥିବା ଯୋଜନା କାହା ପାଇଁ ବୋଲି ପ୍ରଶ୍ନ ଉଠିବା ସ୍ୱାଭାବିକ ।