କନକ ବ୍ୟୁରୋ: ତାମିଲନାଡୁ ବାସିନ୍ଦା ପାଲମ୍ କଲ୍ୟାଣସୁନ୍ଦରମ୍ । ପାଖରେ ୨ହଳ ପୋଷାକ, କିଛି ଆସବାବ ପତ୍ର, ଦି ବଖରା ଘର ଛଡା ଆଉ କିଛି ବି ନାହିଁ । ତଥାପି ସେ ବିଶ୍ୱର ସବୁଠୁ ବଡ ଧନୀ ।

Advertisment

୧୯୫୩ରେ ତାମିଲନାଡୁର ତିରୁନାବଲି ଜିଲ୍ଲାର ଏକ ଛୋଟିଆ ଗାଁରେ କଲ୍ୟାଣସୁନ୍ଦରମଙ୍କ ଜନ୍ମ । ତାଙ୍କୁ ବର୍ଷେ ପୁରିବା ବେଳକୁ ବାପା ଛାଡି ଆରପାରିକୁ ଚାଲିଗଲେ । ମା’ ଅତି କଷ୍ଟରେ ପୁଅକୁ ଭଲ ମଣିଷଟିଏ ଗଢିତୋଳିବାକୁ ଅଣ୍ଟା ଭିଡିଲେ । ମା’ ସବୁବେଳେ ତାଙ୍କୁ ଖୁସି ରହିବାର ୩ ଟି ମନ୍ତ୍ର ଦେଉଥିଲେ: ଜୀବନରେ କେବେ ଲୋଭ କରିବୁନି, ରୋଜଗାରର ୧୦ ପ୍ରତିଶତ ଦାନ କରିବୁ ଓ ପ୍ରତିଦିନ ଜଣକୁ ସାହାଯ୍ୟ କରିବୁ । ମା’ଙ୍କର ଏଇ କେଇ ପଦକ କଥାକୁ ଗୁରୁମନ୍ତ୍ର କରିନେଲେ କଲ୍ୟାଣସୁନ୍ଦରମ୍ । ଆଉ ମା’ଙ୍କ ଉପଦେଶ ଠାରୁ ଆହୁରି ଆଗେଇଯାଇ କିଛି ଏପରି କଲେ ଯାହାକୁ ସାରା ବିଶ୍ୱ ପ୍ରଶଂସା କରୁଛି ।

କଲ୍ୟାଣସୁନ୍ଦରମ୍ ଗାଁ ସ୍କୁଲରୁ ଦଶମ ଓ ପାଖ ଏକ ସରକାରୀ କଲେଜରୁ ଦ୍ୱାଦଶ ପଢା ଶେଷ କରିବା ପରେ ତାମିଲ ବିଷୟରେ ଡିଗ୍ରୀ କରିବାକୁ ଇଚ୍ଛା କଲେ । ହେଲେ ଏହି ବିଷୟ ଅପ୍ସନାଲ ନେଇ ପଢିବାରେ ସେ ପ୍ରଥମ ଓ ଏକମାତ୍ର ଛାତ୍ର ଥିବାରୁ ଅନ୍ୟ କୌଣସି ବଷୟ ନେଇ କଲେଜ କର୍ତ୍ତୃପକ୍ଷ ତାଙ୍କୁ କହିଥିଲେ । ହେଲେ ସେ ମନା କରିଦେଇଥିଲେ । ଏହି କଥା ଜାଣିପାରିଥିଲେ ଏମଟିଟି ହିନ୍ଦୁ କଲେଜର ଫାଉଣ୍ଡର କାରୁମୁଟୁ ତ୍ୟାଗରାଜା ଚେତିଆର । ତାଙ୍କୁ ନିଜ କଲେଜରେ ତାମିଲ ବିଷୟ ନେଇ ପଢିବାକୁ ଅନୁମତି ଦେବା ସହ ତାଙ୍କର ସବୁ ପଢା ଖର୍ଚ୍ଚ ଉଠାଇଥିଲେ । ଏହାପରେ ସେ ୩ଟି ବିଷୟରେ ଏମଏ କଲେ । ପ୍ରଥମେ ସାହିତ୍ୟ ଓ ଇତିହାସରେ ସ୍ନାତକୋତ୍ତର କରିବା ପରେ ଲାଇବ୍ରେରୀ ସାଇନ୍ସରେ ସ୍ନାତକୋତ୍ତର କଲେ । ଆଉ ପଢା ଶେଷ ପରେ ତାଙ୍କୁ ତାମିଲନାଡୁ ୟୁନିଭର୍ସିଟିରେ ଲାଇବ୍ରେରିଆନ୍ ଭାବେ ନିଯୁକ୍ତି ମିଳିଲା । କଲ୍ୟାଣସୁନ୍ଦରମ ବିଶ୍ୱର ୧୦ଜଣ ଶ୍ରେଷ୍ଠ ଲାଇବ୍ରେରିଆନଙ୍କ ମଧ୍ୟରେ ସ୍ଥାନିତ ହୋଇଛନ୍ତି ।

ଏହାପରେ ଆରମ୍ଭ ହୋଇଥିଲା ତାଙ୍କ ଜୀବନର କର୍ମମୟ ଜୀବନ ଯାହା ତାଙ୍କୁ ସାରା ବିଶ୍ୱ ଦରମାବରରେ ଦେଲା ପରିଚୟ । ମା’ଙ୍କ ୩ଟି ଉପଦେଶ ତାଙ୍କର ମନେରଖି ୟୁନିଭର୍ସିଟିରୁ ଯାହା ଦରମା ପାଅନ୍ତି ସବୁକିଛି ଗରୀବ ପିଲାଙ୍କ ପଢା ପାଇଁ ଦାନ କରିଦିଅନ୍ତି । ନିଜ ପାଇଁ କିଛି ବି ରଖନ୍ତି ନାହିଁ । ଗରୀବଙ୍କ ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା ପାଇଁ ସେ ସବୁ ଅର୍ଥ ଦାନ କରନ୍ତି । ଏପରିକି ଚାକିରି ଶେଷରେ ତାଙ୍କୁ ମିଳିଥିବା ୧୦ ଲକ୍ଷ ଟଙ୍କାରୁ ଟଙ୍କାଟିଏ ବି ନରଖି ସବୁ ଗରୀବଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାନ କଲେ ।

ଧିରେ ଧିରେ ତାଙ୍କର ସେବା କାର୍ଯ୍ୟ ବିଷୟରେ ରାଜ୍ୟ ଓ ରାଜ୍ୟ ବାହାର ଲୋକେ ଜାଣିବାକୁ ପାଇଲେ । ଅମେରିକାର ତକ୍ରାଳୀନ ରାଷ୍ଟ୍ରପତି ବିଲ କ୍ଲିଣ୍ଟନ ମଧ୍ୟ ତାଙ୍କୁ ଭେଟିବାକୁ ଖୋଜିଥିଲେ । ତାଙ୍କର ଅନନ୍ୟ ସେବା ଯୋଗୁଁ ଆମେରିକାର ଏକ ସଂସ୍ଥା ‘ ତାଙ୍କୁ ମ୍ୟୃାନ୍ ଅଫ୍ ଦି ମିଲେନିଅମ୍ ‘ ଉପାଧିରେ ସମ୍ମାନୀତ କରିଥିଲା । ଏବଂ ପୁରସ୍କାର ବାବଦରେ ୩୦ କୋଟି ଟଙ୍କା ଦେଇଥିଲେ । ଏହି ଅର୍ଥକୁ ମଧ୍ୟ କଲ୍ୟାଣସୁନ୍ଦରମ୍ ଗରୀବ ପିଲାଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାନ କରିଦେଇଥିଲେ । କଲ୍ୟାଣସୁନ୍ଦରମଙ୍କୁ ଦେଶ ବିଦେଶର ସଂସ୍ଥା ଗୁଡିକରୁ ଅଜସ୍ର ସମ୍ମାନ ମିଳିଛି । ଏପରିକି ସାଉଥ୍ ସୁପରଷ୍ଟାର ତାଙ୍କୁ ନିଜର ଗୁରୁ ବୋଲି ମାନିବା ସହ ତାଙ୍କୁ ପୋଷ୍ୟ ପିତା ଭାବେ ଗ୍ରହଣ କରିଛନ୍ତି ।

ସମାଜସେବା ଓ ତ୍ୟାଗ ହିଁ ତାଙ୍କର ଏକମାତ୍ର ବ୍ରତ । ଯାହାପାଇଁ ସେ ନିଜକୁ ଅବିବାହିତ ରଖିଲେ । ଏବେବି ମାସକୁ ମାସ ପାଉଥିବା ପୁରା ପେନସିନକୁ ଅସହାୟ , ଗରୀବଙ୍କ ସେବା ପାଇଁ ଦାନ କରୁଛନ୍ତି । ଜାଣି ଆଶ୍ଚର୍ଯ୍ୟ ହେବେ ନିଜର ଭରଣପୋଷଣ ପାଇଁ ସେ ଏକ ହୋଟେଲରେ ୱେଟର କାମ କରୁଛନ୍ତି । ନିଜ ପୈତୃକ ସମ୍ପତ୍ତିକୁ ମଧ୍ୟ ଦାନ କରିଛନ୍ତି । ଏତିକିରେ ତାଙ୍କ ଦାନ ସରିନି । ମୃତ୍ୟୁ ପରେ ତାଙ୍କ ଅଙ୍ଗକୁ ମଧ୍ୟ ଦାନ କରିବାକୁ ସେ ଘୋଷଣା କରିଛନ୍ତି । ସେଥିପାଇଁ ଆଜି ସାରା ବିଶ୍ୱ ତାଙ୍କୁ ‘କଳିଯୁଗର କର୍ଣ୍ଣ’ ବୋଲି ବିଦିତ କରିଛି ।