ଟେଣ୍ଡର ଫିକ୍ସି ନେଇ ଅଭିଯୋଗ ଆସିବା ପରେ ମୁହଁ ଖୋଲିଲେ ମାଲକାନଗିରି ଜିଲ୍ଲାପାଳ । କହିଲେ, ସୁରକ୍ଷା ଦୃଷ୍ଟିରୁ ଘରକୁ ନେଇଥିଲି ଟେଣ୍ଡର ବକ୍ସ ।

241

କନକ ବ୍ୟୁରୋ: ଖଣି ଖାଦାନରେ ଟେଣ୍ଡର ନେଇ ଦୁର୍ନତୀ ଅଭିଯୋଗ ଆସିବା ପରେ ଏହାର ସ୍ପଷ୍ଟୀକରଣ ରଖିଛନ୍ତି ମାଲକାନଗିରି ଜିଲ୍ଲାପାଳ । କଂଗ୍ରେସର ଅଭିଯୋଗକୁ ସେ ଭିତିହୀନ ବୋଲି କହିଛନ୍ତି । ଗଣାମଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା ବେଳେ ଜିଲ୍ଲାପାଳ ୟେଦୁଲା ବିଜୟ ପ୍ରତିକ୍ରିୟା ରଖି କହିଛନ୍ତି, ସୁରକ୍ଷା ଦୃଷ୍ଟିକୋଣକୁ ସେ ଟେଣ୍ଡର ବକ୍ସକୁ ନିଜ ଘରକୁ ନେଇ ଆସିଥିଲେ । ଟେଣ୍ଡର ଖୋଲିବାରେ ବିଳମ୍ବକୁ ନେଇ ଉଠିଥିବା ପ୍ରଶ୍ନ ଉପରେ ସ୍ପଷ୍ଟୀକରଣ ରଖି କହିଛନ୍ତି, ନିର୍ଦ୍ଦିଷ୍ଟ ସମୟରେ ଖୋଲିବା ନେଇ ସେଭଳି କୌଣସି ନିୟମ ନାହିଁ । କୌଣସି ପ୍ରକାରର ଅନିୟମିତତାକୁ ସେ ଖଣ୍ଡନ କରିଛନ୍ତି । ଯେହେତୁ ସରକାରୀ ବାସଭବନରେ ଗାର୍ଡ ଓ ପୁଲିସ କର୍ମୀଙ୍କ ବ୍ୟବସ୍ଥା ରହିଛି, ସେଥିପାଇଁ ସେ ଟେଣ୍ଡରକୁ ଘରକୁ ନେଇଆସିଥିଲେ ।

ଜିଲ୍ଲାପାଳଙ୍କ ଏହି ସ୍ପଷ୍ଟୀକରଣକୁ ମାନିବାକୁ ପ୍ରସ୍ତୁତ ନୁହନ୍ତି ଅଭିଯୋଗ ଆଣିଥିବା କଂଗ୍ରେସ ନେତା ପ୍ରଦୀପ ମାଝି ।
ଜିଲ୍ଲାପାଳଙ୍କ ଏହି ସ୍ପଷ୍ଟୀକରଣ ଅନେକ ପ୍ରଶ୍ନବାଚୀ ତିଆରି କରିଛି । ଏଠାରେ ପ୍ରଶ୍ନ ଉଠୁଛି,

-ଏଣିକି ସମସ୍ତ ସରକାରୀ କାଗଜପତ୍ର କଣ ଜିଲ୍ଲାପାଲଙ୍କ ବାସଭବନକୁ ଯିବ ?
-ସମସ୍ତ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଟ୍ରେଜେରୀରେ ରହୁଥିବାବେଳେ ଟେଣ୍ଡର ବକ୍ସ ରଖିବାରେ ଅସୁବିଧା କେଉଁଠି
-ପୂର୍ବରୁ ମଧ୍ୟ ଟେଣ୍ଡର ବକ୍ସ କଣ ଜିଲ୍ଲାପାଳଙ୍କ ବାସଭବନକୁ ଯାଉଥିଲା
-ତହସିଲଦାରଙ୍କ ନିଲାମ ପ୍ରକ୍ରିୟାରେ କାହିଁ ପଶିଲେ ଜିଲ୍ଲାପାଳ
-ଟେଣ୍ଡର ବକ୍ସକୁ ସୁରକ୍ଷା ପାଇଁ ନେଇଥିଲେ ନା ଭିନ୍ନ କାରଣ ପାଇଁ
-ମୂଳ ଟେଣ୍ଡର ବକ୍ସ ବଦଳିଗଲା ବୋଲି କାହିଁକି ଅଭିଯୋଗ ଆଣୁଛନ୍ତି ବିଡର

ମାଲକାନଗିରି ଜିଲ୍ଲାପାଳଙ୍କ ବିରୁଦ୍ଧରେ ଆସିଛି ଟେଣ୍ଡର ଫିକ୍ସିଙ୍ଗ ଭଳି ସାଂଘାତିକ ଅଭିଯୋଗ । ଆନ୍ଧ୍ରର ଏକ ଘରୋଇ କମ୍ପାନି ହାତରେ ଜିଲ୍ଲାର ଅଧିକାଂଶ ଖଣି ଖାଦାନ ଟେକି ଦେଇଥିବା ନେଇ ଅଭିଯୋଗ ଆଣିଛି କଂଗ୍ରେସ । ଲଘୁ ଖଣି ଖାଦାନର ନିଲାମୀ ଲାଗି ସ୍ଥାନୀୟ ତହସିଲଦାର ମାନଙ୍କୁ କ୍ଷମତା ଦିଆଯାଇ ଥିବା ବେଳେ ଆନ୍ଧ୍ରର ଏକ ଘରୋଇ କମ୍ପାନୀକୁ ଅନୁକମ୍ପା ଦେଖାଇ ନିଜେ ଜିଲ୍ଲାପାଳ ଟେଣ୍ଡର ଆହ୍ୱନ କରିଥିଲେ । ଏତିକି କି ଟେଣ୍ଡର ବକ୍ସକୁ ନିଜ ଘରେ ରଖି କାଗଜପତ୍ରକୁ ପରିବର୍ତନ କରାଯାଇ ଥିବା ଅଭିଯୋଗ କରିଛନ୍ତି ପୂର୍ବତନ ସାଂସଦ ପ୍ରଦୀପ ମାଝି ।