ଓସ୍କାର ଆୱାର୍ଡ ପାଇଁ ଭାରତରୁ ଯିବ ମାଲାୟଲମ ଫିଲ୍ମ ଜଲିକାଟୁ : ବଲିଉଡ, ମରାଠୀ ଫିଲ୍ମକୁ ପଛରେ ପକାଇ ଜଲିକାଟୁ ହେଲା ମନୋନୀତ

ପୂର୍ବରୁ ୬୩ତମ ଲଣ୍ଡନ ଫିଲ୍ମ ଫେଷ୍ଟିଭାଲରେ ଡ୍ରାମା ଥିଲର ମୁଭି ଜଲିକାଟୁ ହୋଇଛି ପ୍ରଦର୍ଶିତ 

166

କନକ ବ୍ୟୁରୋ : ୯୩ ଓସ୍କାର ଆୱାର୍ଡ ପାଇଁ ମାଲାୟଲମ ଫିଲ୍ମ ଜଲିକାଟୁ ଭାରତ ପକ୍ଷରୁ ମନୋନୀତ ହୋଇଛି । ଓସ୍କାରରେ ବେଷ୍ଟ ଇଂଟରନେସନାଲ ଫିଚର ଫିଲ୍ମ ଶ୍ରେଣୀରେ ଏହି ଫିଲ୍ମକୁ ଭାରତ ପକ୍ଷରୁ ପଠାଯିବ । ଓସ୍କାର ଯିବା ପାଇଁ ଏକାଧିକ ଫିଲ୍ମ ଦୌଡରେ ରହିଥିଲେ ବି ବାଜି ମାରିନେଇଛି ମାଲାୟଲମ ଫିଲ୍ମ ଜଲିକାଟୁ । ବଲିଉଡ ମୁଭି ଶକୁନ୍ତଳା ଦେବୀ, ଶିକାରା, ଗୁଂଜନ ସକସେନା, ଭୌସଁଲେ, ଗୁଲାବୋ ସିତାବୋ, ସିରିୟସ ମ୍ୟାନ, ବୁଲବୁଲ, କାମୟାବ, ଦ ପିଙ୍କ ସ୍କାଏ ସମେତ ମରାଠୀ ଫିଲ୍ମ ବିରଟସ୍ପାଇଟ ଓ ଡିସାଇପଲ ଫିଲ୍ମ ଓସ୍କାର ଦୌଡରେ ରହିଥିଲେ ।

ମାଲାୟଲମ ମୁଭି ଜଲିକାଟୁ ଏକ ଡ୍ରାମା, ଥ୍ରିଲର ହୋଇଥିବା ବେଳେ ଦେଶ ବିଦେଶରେ ଏହି ଫିଲ୍ମ ଉଚ୍ଚ ପ୍ରଶଂସିତ ହୋଇଛି । ୬୩ତମ ବିଏଫଆଇ ଲଣ୍ଡନ ଫିଲ୍ମ ଫେଷ୍ଟିଭାଲରେ ୭୮ ଦେଶର ୨୨୯ଟି ଫିଲ୍ମ ପ୍ରଦର୍ଶିତ ହୋଇଥିଲା । ଲଣ୍ଡନ ଫିଲ୍ମ ଫେଷ୍ଟିଭାଲର ଜଲିକାଟୁର ସ୍କ୍ରିନିଂ ହୋଇଥିଲା । ଜଲିକାଟୁ ଫିଲ୍ମରେ ମଣିଷ ଓ ପଶୁଙ୍କ ମଧ୍ୟରେ ଥିବା ସଂପର୍କ ଓ ଭାବପ୍ରବଣତାକୁ ନିଖୁଣ ଭାବେ ପ୍ରଦର୍ଶିତ କରାଯାଇଛି । ପୂର୍ବରୁ ଓସ୍କାର ଆୱାର୍ଡରେ ଭାରତୀୟ ଫିଲ୍ମ ମଦର ଇଣ୍ଡିଆ, ଲଗାନ ଓ ସଲାମ ବମ୍ବେକୁ ବିଦେଶ ଭାଷା ଫିଲ୍ମରେ ମନୋନୀତ ହୋଇଥିଲେ ମଧ୍ୟ ଓସ୍କାର ଜିତିବାରେ ବିଫଳ ହୋଇଥିଲେ ।