ଦ୍ବିତୀୟ କୋଭିଡ୍‌ ଲହରରେ ଶିଶୁ ଏବଂ କିଶୋରଙ୍କ କ୍ଷେତ୍ରରେ ସଂକ୍ରମଣ ବୃଦ୍ଧି ହୋଇଛି। ପ୍ରଥମ ଲହର ତୁଳନାରେ ଦ୍ବିତୀୟ ଲହରରେ ଅଧିକାଂଶ ଶିଶୁ ଏବଂ କିଶୋର ସଂକ୍ରମିତ ହୋଇଛନ୍ତି। ତେବେ ମହାରାଷ୍ଟ୍ରରେ ମାର୍ଚ୍ଚ ସଂକ୍ରମଣ ଅତ୍ୟନ୍ତ ଚିନ୍ତାଜନକ ହୋଇଛି। ରାଜ୍ୟରେ ମାର୍ଚ୍ଚରେ କେବଳ ୬ ଲକ୍ଷ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ସବୁଠୁ ଗୁରୁତ୍ବପୂର୍ଣ୍ଣ ‌କଥା ହେଉଛି ମାର୍ଚ୍ଚରେ ମହାରାଷ୍ଟ୍ରରେ ୧୦ ବର୍ଷ ବୟସ ମଧ୍ୟରେ ୧୫,୫୦୦ ଶିଶୁ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟରେ ମୋଟ୍‌ ପଜିଟିଭ୍‌ ମାମଲାର ୧୦ ପ୍ରତିଶତ। ଗତ ଜାନୁଆରିରେ ରାଜ୍ୟରେ ୧୦ ବର୍ଷ ବୟସ ମଧ୍ୟରେ ପ୍ରାୟ ୨,୦୦୦ ଜଣ ସଂକ୍ରମିତ ହୋଇଥିଲେ ଏବଂ ଫେବ୍ରୁଆରିରେ ୨,୭୦୦ ଜଣ ସଂକ୍ରମିତ ହୋଇଥିଲେ।

Advertisment

ଅନ୍ୟପକ୍ଷେ ୧୧-୨୦ ବର୍ଷ ବୟସ ମଧ୍ୟରେ ୫୫ ହଜାର ଜଣ କରୋନା ସଂକ୍ରମିତ ହୋଇଛନ୍ତି। ଏହା ମୋଟ୍‌ ପଜିଟିଭ୍‌ ମାମଲାର ୧୧ ପ୍ରତିଶତ। ୩୧ରୁ ୪୦ ବର୍ଷ ବୟସ ମଧ୍ୟରେ ସଂକ୍ରମଣ ସର୍ବାଧିକ ରହିଛି। ୪୧-୫୦ ବର୍ଷ ମଧ୍ୟରେ ୧୮ ପ୍ରତିଶତ ଏବଂ ୨୧-୩୦ ବର୍ଷ ମଧ୍ୟରେ ୧୭ ପ୍ରତିଶତ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଗୋଟିଏ ପଟେ ଜାତୀୟ ପଜିଟିଭ୍‌ ହାର ୫.୫ ପ୍ରତିଶତ ରହିଥିବା ବେଳେ ମହାରାଷ୍ଟ୍ରରେ ପଜିଟିଭ୍‌ ହାର ୨୩ ପ୍ରତିଶତ ରହିଛି। ମହାରାଷ୍ଟ୍ରରେ ବିଗତ ୨୪ ଘଣ୍ଟା ମଧ୍ୟରେ ୩୯,୫୪୪ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ଏବଂ ୨୨୭ ଜଣଙ୍କ କ‌ରୋନାରେ ମୃତ୍ୟୁ ହୋଇଛି। ଗତବର୍ଷ ସେପ୍ଟେମ୍ବରରେ ପ୍ରଥମ ଲହର ସମୟରେ ରାଜ୍ୟରେ ୫.୦୩ ଲକ୍ଷରୁ ଅଧିକ ସଂକ୍ରମଣ ଥିଲା ଏବଂ ୧୨,୦୨୪ ଜଣଙ୍କ ମୃତ୍ୟୁ ହୋଇଥିଲା ।