କନକ ବ୍ୟୁରୋ: ମହାନଦୀ ଜଳ ବିବାଦର ଶୁଣାଣୀ ପାଇଁ ଗଠିତ ଟ୍ରିବ୍ୟୁନାଲର ଅବଧି ଚଳିତମାସ ୧୧ରେ ଶେଷ ହୋଇଛି । ପୂର୍ବରୁ ମହାନଦୀ ଜଳବିବାଦର ସମାଧାନ ଲାଗି ଗଠିତ ଟ୍ରିବ୍ୟୁନାଲର ଅବଧି ଗୋଟିଏଥର ବଢାଇଥିଲେ ସରକାର । କିନ୍ତୁ ଏବେ ଟ୍ରିବ୍ୟୁନାଲର ଅବଧି ବଢିବ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ଫଳରେ ଶୁଣାଣି ନେଇ ଅନିଶ୍ଚିତତା ଦେଖାଦେଇଛି ।
-ଆସନ୍ତା ୨୫ ତାରିଖ ଶୁଣାଣି ଓ କ୍ଷେତ୍ର ପରିଦର୍ଶନକୁ ବାତିଲ କରାଯାଇଛି
-୨୦୧୮ ମାର୍ଚ୍ଚ ୧୨ ତାରିଖରେ ମହାନଦୀ ଟ୍ରିବ୍ୟୁନାଲ ଗଠନ ହୋଇଥିଲା
-୨୦୨୧ରେ କାର୍ଯ୍ୟକାଳ ଦୁଇବର୍ଷ ବୃଦ୍ଧି ହୋଇଥିଲା
-ଫେବୃଆରୀ ଶୁଣାଣିବେଳେ ଓଡିଶା ଓ ଛତିଶଗଡ ଅବଧି ବୃଦ୍ଧି ପାଇଁ ଅନୁରୋଧ
-ଟ୍ରିବ୍ୟୁନାଲ ବି ପଠାଇଥିଲା ଷ୍ଟାଟସ ରିପୋର୍ଟ
ବର୍ତମାନ ଅବଧି ବୃଦ୍ଧି ଆବେଦନ ଆଇନ ମନ୍ତ୍ରଣାଳୟ ନିକଟରେ ବିଚାରାଧୀନ ଅଛି ।
କୋଭିଡ ମହାମାରୀ ଯୋଗୁଁ ଦୁଇବର୍ଷ ଧରି ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲରେ ଶୁଣାଣି ହୋଇପାରିନାହି । ଆଉ ଟ୍ରିବ୍ୟୁନାଲର ଅବଧି ବୃଦ୍ଧି ନ ହେବା ଜଳବିବାଦର ସମାଧାନକୁ ଅନିଶ୍ଚିତତା ଆଡକୁ ଠେଲିଦେଇଛି । ଏ ନେଇ କେନ୍ଦ୍ର ସରକାର କି ପଦକ୍ଷେପ ନେଉଛନ୍ତି ତାକୁ ଅପେକ୍ଷା କରାଯାଇଛି ।
ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ ଫେବୃଆରୀ ୧୩ ତାରିଖ ସୁଦ୍ଧା ୩୫ଟି ଶୁଣାଣି କରିଛି । ଓଡିଶା ଦ୍ୱାରା ଦାଖଲ ମଧ୍ୟବର୍ତୀକାଳୀନ ଆବେଦନର ଶୁଣାଣି ସରିଛି । କିନ୍ତୁ ଏ ଯାଏଁ ରାୟ ପ୍ରକାଶ ପାଇନାହିଁ । ଓଡିଶାର ମୂଳ ଆବେଦନର ଶୁଣାଣି ପ୍ରକ୍ରିୟା ଆରମ୍ଭ ହୋଇନାହିଁ । ତେବେ ଅବଧି ବୃଦ୍ଧି ପାଇନଥିବାରୁ ଓଡିଶା ଓ ଛତିଶଗଡ ସୁପ୍ରିମକୋର୍ଟ ଯିବାକୁ ପ୍ରସ୍ତୁତ ହେଉଛନ୍ତି ବୋଲି କୁହାଯାଉଛି । ଏପଟେ ମହାନଦୀ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିରୋଧୀ ।
କେନ୍ଦ୍ର ସରକାର ସବୁ ଜଳବିବାଦର ସମାଧାନ ପାଇଁ ଏକକ ଟ୍ରିବ୍ୟୁନାଲ ଗଠନ ପ୍ରସ୍ତାବ ରଖିଛନ୍ତି । ଏ ନେଇ ଲୋକସଭାରେ ବିଲ୍ ପାଶ ହୋଇଛି । ରାଜ୍ୟସଭାରେ ଖୁବଶୀଘ୍ର ବିଲ ପାଶ କରିବା ପାଇଁ ଯୋଜନା କରିଛନ୍ତି କେନ୍ଦ୍ର । ତେଣୁ ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ ଅବଧି ବୃଦ୍ଧିକୁ କେନ୍ଦ୍ର ସରକାର ବିଳମ୍ବ କରୁଥାଇପାରନ୍ତି ବୋଲି ଅନୁମାନ କରାଯାଉଛି ।