ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପୂର୍ବରୁ ମହାଯଜ୍ଞ ଆରମ୍ଭ: ବେଦ ଉଚ୍ଚାରଣ ଓ ମନ୍ତ୍ରଧ୍ୱନିରେ ମୁଖରିତ ପରିବେଶ

73

କନକ ବ୍ୟୁରୋ: ମନ୍ତ୍ରପାଠରେ କମ୍ପୁଛି ଶ୍ରୀକ୍ଷେତ୍ର । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ଆରମ୍ଭ ହୋଇଛି ଯଜ୍ଞ । ଶ୍ରୀମନ୍ଦିର ରୋଷଶାଳାରୁ ଅଗ୍ନି ଆସି ଯଜ୍ଞକୁଣ୍ଡରେ ସଂଯୋଗ ହେବା ପରେ ଯଜ୍ଞ ଆରମ୍ଭ ହୋଇଛି । ବରଣ ହୋଇଥିବା ବ୍ରାହ୍ମଣମାନେ ଚଣ୍ଡୀପାଠ ସହ ଅନ୍ୟାନ୍ୟ ମନ୍ତ୍ରପାଠ କରୁଛନ୍ତି । ବେଦପାଠ ସାଙ୍ଗକୁ ନାମ ସଂକୀର୍ତନରେ ପ୍ରକମ୍ପିତ ହେଉଛି ଶ୍ରୀମନ୍ଦିର ଚାରି ଦ୍ୱାର । ଯଜ୍ଞ ସାଙ୍ଗକୁ ଶ୍ରୀମନ୍ଦିର ଚାରିଦ୍ୱାରରେ ୬୦ଜଣ ବିଦ୍ୟାର୍ଥୀମାନଙ୍କ ଦ୍ୱାରା ବେଦପାଠ ବ୍ୟବସ୍ଥା ହୋଇଛି । ସିଂହଦ୍ୱାରରେ ଋକ୍ବେଦ, ପଶ୍ଚିମଦ୍ୱାରରେ ସାମବେଦ, ଉତରଦ୍ୱାରରେ ଅର୍ଥବବେଦ ଏବଂ ଦକ୍ଷିଣ ଦ୍ୱାରରେ ଯର୍ଜୁବେଦ ପାଠ କରାଯିବ । ଆସନ୍ତାକାଲି ମଧ୍ୟ ଯଜ୍ଞ ଅନୁଷ୍ଠିତ ହେବ । ସେପଟେ ଶ୍ରୀମାର୍ଗ ଏବଂ ଶ୍ରୀସେତୁ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇସାରିଥିବା ବେଳେ ଏହା ଉପରେ ଟ୍ରାଏଲ ରନ କରାଯିବ । ୧୭ ଜାନୁଆରୀରେ ମୁଖ୍ୟମନ୍ତ୍ରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରିବେ । ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡି କରିଛି ପୁରୀ ପୋଲିସ । ସେପଟେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ପରିକ୍ରମା ପ୍ରକଳ୍ପର ସମୀକ୍ଷା କରିଛନ୍ତି । କହିଛନ୍ତି, ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ।