ପୁଣି ଚର୍ଚ୍ଚାକୁ ଫେରିଲା ଚନ୍ଦ୍ର ଅଭିଯାନ । ଚନ୍ଦ୍ରକୁ ଉପଗ୍ରହ ପଠାଇବାରେ ଜାପାନକୁ ସହାୟତା କରିବ ଭାରତ : ଲ୍ୟାଣ୍ଡର ପ୍ରସ୍ତୁତ କରିବ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ୨୦୨୩ରେ ଆରମ୍ଭ ହୋଇପାରେ ମିଶନ ମୁନ୍

591

କନକ ବ୍ୟୁରୋ : କରୋନା ସଂକଟ ଭିତରେ ଭାରତର ଚନ୍ଦ୍ର ଅଭିଯାନକୁ ନେଇ ନୂଆ ଖବର ସାମ୍ନାକୁ ଆସିଛି । ଜାପାନ ସହ ମିଳିତ ଭାବେ ଭାରତ ଆରମ୍ଭ କରିବାକୁ ଯାଉଛି ଲୁନାର ପୋଲାର ଏକ୍ସପ୍ଲୋରେସନ୍ । ଏହି ଅଭିଯାନରେ ପ୍ରଥମଥର ପାଇଁ ମିଳିତ ଭାବେ ଚନ୍ଦ୍ର ପୃଷ୍ଠରେ ଏକ ଲ୍ୟାଣ୍ଡର ଅବତରଣ କରାଇବେ ଉଭୟ ଦେଶ । ତେବେ ଏହି ଲ୍ୟାଣ୍ଡର ପ୍ରସ୍ତୁତିରେ ନେତୃତ୍ୱ ନେଉଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା- ଇସ୍ରୋ । ଜାପାନର ମହାକାଶ ଏଜେନ୍ସି ଜାକ୍ସାର ସୂଚନା ଅନୁସାରେ ୨୦୨୩ ପରେ ଏହି ଅଭିଯାନ ଆରମ୍ଭ ହେବ । ଜାପାନ ଜାରି କରିଥିବା ଚିତ୍ରରୁ ଜଣାପଡୁଛି ସଂପୂର୍ଣ୍ଣ ଲ୍ୟାଣ୍ଡିଂ ମୋଡ୍ୟୁଲକୁ ପ୍ରସ୍ତୁତ କରୁଛି ଜାପାନ ମହାକାଶ ଏଜେନ୍ସି ଜାକ୍ସା । ତେବେ ଲ୍ୟାଣ୍ଡର ସିଷ୍ଟମଟି ବିକାଶ କରୁଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା- ଇସ୍ରୋ । କିନ୍ତୁ ରୋଭରଟିକୁ ନିର୍ମାଣ କରୁଛି ଜାକ୍ସା । ଏହି ଅଭିଯାନ ଜାପାନରୁ ଆରମ୍ଭ ହେବ ବୋଲି ଜଣାପଡିଛି । ଏଥିପାଇଁ ଲଂଚ ଭେଇକିଲ ଏଚ-୩ ରକେଟ ନିର୍ମାଣ କରୁଛି ମିତସୁବିସି ହେଭି ଇଣ୍ଡଷ୍ଟ୍ରିଜ୍ । ୨୦୧୭ରେ ବେଙ୍ଗଳୁରୁଠାରେ ମଲ୍ଟି ସ୍ପେଶ ଏଜେନ୍ସି ବୈଠକ ବେଳେ ଏହି ଅଭିଯାନ ପାଇଁ ଭାରତ ଓ ଜାପାନ ସହମତ ହୋଇଥିଲେ । ୨୦୧୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜାପାନ ଗସ୍ତ ସମୟରେ ଏନେଇ ସରକାରୀ ସ୍ତରରେ ଆଲୋଚନା ହୋଇଥିଲା ।

ଗତବର୍ଷ ସେପ୍ଟେମ୍ବରରେ ଭାରତର ଚନ୍ଦାୟନ-୨ ଅଭିଯାନ ବିଫଳ ହୋଇଥିଲା । ଚନ୍ଦ୍ରର ସାଉଥ ପୋଲ ଅର୍ଥାତ ଦକ୍ଷିଣ ଭାଗରେ ଉପଗ୍ରହ ଓହ୍ଲାଇବାକୁ ଚେଷ୍ଟା କରିଥିଲା ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ । ତେବେ ଚନ୍ଦ୍ରର କକ୍ଷ ପଥରେ ଅର୍ବିଟରକୁ ସଫଳତାର ସହ ଅବସ୍ଥାପିତ କରାଇଥିଲେ ମଧ୍ୟ ଲ୍ୟାଣ୍ଡର ଓ ରୋଭର ଚନ୍ଦ୍ର ପୃଷ୍ଟରେ ଅବତରଣ କରିବା ପୂର୍ବରୁ ହାର୍ଡଲ୍ୟାଣ୍ଡ କରିଥିଲା । ଅର୍ଥାତ ଅତି କ୍ଷୀପ୍ର ବେଗରେ ଅବତରଣ କରିବାରୁ ଏହା ଚନ୍ଦ୍ର ପୃଷ୍ଠରେ ଶକ୍ତ ଧକ୍କା ଖାଇ ନଷ୍ଟ ହୋଇଯାଇଥିଲା । ଏପର୍ଯ୍ୟନ୍ତ ଆମେରିକା, ରୁଷିଆ ଏବଂ ଚୀନ ହିଁ ଚନ୍ଦ୍ର ପୃଷ୍ଠରେ ଉପଗ୍ରହ ପହଂଚାଇବାକୁ ସଫଳ ହୋଇଛନ୍ତି । କିନ୍ତୁ ଚନ୍ଦ୍ରର ଦକ୍ଷିଣ ଭାଗରେ ପହଂଚିବାକୁ ଚାହୁଁଥିଲା ଭାରତ, ଯେଉଁଠାରେ ଆଜି ପର୍ଯ୍ୟନ୍ତ କେହି ପହଂଚି ପାରି ନାହାନ୍ତି ।