କନକ ବ୍ୟୁରୋ: ରାଜ୍ୟରେ ଗୋରୁଙ୍କୁ ଘାରିଛି ଲମ୍ପି ସ୍କିନ୍ ଭାଇରସ୍ ।  ଗୋଟିଏ ପରେ ଗୋଟିଏ ଜିଲ୍ଲାରେ ଗାଈଗୋରୁଙ୍କୁ ମାଡିଚାଲିଛି ଏହି ଡିଆଁ ରୋଗ । ଫଳରେ ୧୪ଟି ଜିଲ୍ଲାକୁ ଆଲର୍ଟ କରିଛି ପ୍ରାଣୀ ସମ୍ପଦ ବିଭାଗ ।

Advertisment

 ରାଜ୍ୟରେ ଗାଈଙ୍କ ବଇରୀ ସାଜିଛି ଲମ୍ପି ଭାଇରସ୍ । ଗାଈଗୋରୁଙ୍କ ଦେହରେ ମାଡିଚାଲିଛି ଚର୍ମବିଣ୍ଡି ବା ଲମ୍ପି ଭାଇରସ୍ ଚର୍ମ ରୋଗ ।  ଏବେ ଗଜପତିରେ ଏହି ରୋଗ କାୟା ବାସ୍ତାରେ କରିବାରେ ଲାଗିଛି । ଜିଲ୍ଲାରେ ୮୦ରୁ ଅଧିକ ଗାଈ ଏହି ରୋଗରେ ଆକ୍ରାନ୍ତ ହୋଇଥିବାବେଳେ କିଛି ଗାଈଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଫଳରେ ଭୟଭୀତ ହୋଇପଡିଛନ୍ତି ଗୋପାଳକ ।  ସୀମା ରାଜ୍ୟ ଆନ୍ଧ୍ରର ଶୀକାକୁଲମ୍ରେ ପ୍ରଥମେ ଏହି ଭୂତାଣୁ ଚିହ୍ନଟ ହେବା ପରେ ଏବେ ରାଜ୍ୟ ଭିତରକୁ ମାଡି ଆସିଛି ଏହି ଭୂତାଣୁ ।

 ଏହି ରୋଗ ଗୋଟିଏ ଗାଈ ଠାରୁ ଅନ୍ୟ ଗାଈଙ୍କୁ ଡେଉଁଛି । ଲମ୍ପି ରୋଗରେ ଗାଈଙ୍କ ଶରୀରରେ ଟଙ୍କା ଭଳି ଫୋଟକା ହୋଇଯାଇ କ୍ଷତ ସୃଷ୍ଟି ହେବା ସହ ଗୋଡ ଫୁଲୁଛି । ଏହାସହ ଗାଈ ଦେହରେ ଜ୍ୱର ମଧ୍ୟ ରହୁଛି । ଏଥିରୁ ମୁକ୍ତି ପାଇଁ ଗୋରୁଙ୍କୁ ଟିକାକରଣ କରାଯାଇଥିଲେ ବି ଏହା କାମ କରୁନଥିବା ଅଭିଯୋଗ ବାଢିଛନ୍ତି ସ୍ଥାନୀୟ ଗୋପାଳକ ।

ଅନ୍ୟପଟେ ଏହି ରୋଗ ଆରୋଗ୍ୟ ହୋଇପାରିବ । ଲକ୍ଷ୍ୟଣ ଦେଖାଯିବାର ୨୪ ଘଣ୍ଟା ଭିତରେ ଏହାର ଚିକିତ୍ସା କଲେ ଲମ୍ପିରୁ ଗୋରୁଙ୍କୁ ମୁକ୍ତି ମିଳପାରିବ ବୋଲି କୁହନ୍ତି ପ୍ରାଣୀ ଚିକିତ୍ସା ଅଧିକାରୀ । ଗାଈଙ୍କୁ ଲମ୍ପି ଆକ୍ରାନ୍ତ କରିବା ପରେ ଏବେ ଗାଈ କ୍ଷୀର କିମ୍ବା ଦୁଗ୍ଧ ଜାତୀୟ ଖାଦ୍ୟ ଖାଇବାକୁ ଡରୁଛନ୍ତି ଲୋକେ । ଫଳରେ ବ୍ୟବସାୟରେ କ୍ଷତି ସହୁଛନ୍ତି ଦୁଗ୍ଧ ବ୍ୟବସାୟୀ ।