ପୂରା ଓଡ଼ିଶାରେ ସକ୍ରିୟ ହେଲା ମୌସୁମୀ : ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା; ୟେଲୋ ୱାର୍ଣ୍ଣିଂ ଜାରି

556

କନକ ବ୍ୟୁରୋ : ଅବଶିଷ୍ଟ ଅଞ୍ଚଳକୁ ଛୁଇଁବା ସହ ଆଜି ସାରା ରାଜ୍ୟରେ ମୌସୁମୀ ସକ୍ରିୟ ହୋଇଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ସବୁ ଜିଲ୍ଲାରେ ବର୍ଷା ହୋଇଯାଇଛି । ତେବେ କେନ୍ଦ୍ରାପଡ଼ାର ଗରଦପୁରଠାରେ ସର୍ବାଧିକ ୧୧୪ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ଅନ୍ୟପକ୍ଷରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବଳୟ ଏବେ ବି ଉତ୍ତର-ପଶ୍ଚିମ ବଙ୍ଗୋପସାଗର ସଂଲଗ୍ନ ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ ରହିଛି । ଏହା ଧୀରେଧୀରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ଆସନ୍ତା ୨ରୁ ୩ଦିନରେ ଓଡ଼ିଶା, ଝାଡ଼ଖଣ୍ଡ ଓ ଉତ୍ତର ଛତିଶଗଡ଼ ଅତିକ୍ରମ କରିବ । ଫଳରେ ଆସନ୍ତା ୨ଦିନ ରାଜ୍ୟରେ ବର୍ଷା ଲାଗି ରହିବ ଓ ୧୬ ତାରିଖ ପର୍ଯ୍ୟନ୍ତ ବର୍ଷା ରାଜ୍ୟରେ ପାଗ ମେଘୁଆ ରହିବ। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି ।

କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ସମ୍ବଲପୁର, ଦେବଗଡ଼ ଆଦି ଜିଲ୍ଲାରେ ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା ହେବ । ସେହିପରି କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, କଟକ, ବରଗଡ଼ ଓ ଯାଜପୁର ଆଦି ଜିଲ୍ଲାର କିଛି କିଛି ସ୍ଥାନରେ ବି ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଏଣୁ ଏସବୁ ଜିଲ୍ଲା ପାଇଁ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ୧୫ତାରିଖ ଦିନ ମୟୂରଭଞ୍ଜ, ସୁନ୍ଦରଗଡ଼, ଅନୁଗୁଳ, ଦେବଗଡ଼, କେନ୍ଦୁଝର ଓ ସମ୍ବଲପୁର ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି । ଗତ ୨୪ ଘଣ୍ଟାରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା ହୋଇଯାଇଥିଲେ ହେଁ ବୌଦ୍ଧ, କୋରାପୁଟ ଓ ମାଲକାନଗିରିରେ ସବୁଠାରୁ କମ୍‌ ଓ ଅଭାବୀ ବର୍ଷା ହୋଇଥିବା ଜଣାପଡ଼ିଛି ।

ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ପଶ୍ଚିମବଙ୍ଗ ଓ ସଂଲଗ୍ନ ଉତ୍ତର ଭାରତରେ ଥିବା ଲଘୁଚାପ ବିହାର ଓ ପୂର୍ବ ଉତ୍ତରପ୍ରଦେଶ ଆଡ଼କୁ ମୁହାଁଉଛି । ଏହା ଓଡ଼ିଶା ନିକଟରେ ଅଧିକ ଘନୀଭୂତ ହେବ ନାହିଁ । ଆକଳନ କରାଯାଉଛି ଯେ ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମେଘୁଆ ରହିବ । ଦକ୍ଷିଣ ଓଡ଼ିଶାରେ ବିକ୍ଷିପ୍ତ ସ୍ବଳ୍ପ ବର୍ଷା ହେବ । ଉତ୍ତର ଓଡ଼ିଶାରେ ମଧ୍ୟମଧରଣର ବର୍ଷା ସହିତ ଗୋଟିଏ ଦୁଇଟି ସ୍ଥାନରେ ଭାରୀ ବର୍ଷା ହେବ। ଭୁବନେଶ୍ବର, ପୁରୀ ଓ କଟକରେ ୧୬ପର୍ଯ୍ୟନ୍ତ ସ୍ବଳ୍ପରୁ ମଧ୍ୟମଧରଣର ବର୍ଷା ହୋଇପାରେ । ଓଡ଼ିଶା ସହିତ ଛତିଶଗଡ଼ ଓ ଦକ୍ଷିଣ ଝାଡ଼ଖଣ୍ଡରେ ବିଶେଷ ବର୍ଷା ନଥିବାରୁ ନଦୀ ଫୁଲିବାର ସମ୍ଭାବନା ନାହିଁ ।