ଲଘୁଚାପର ରୂପ ନେଲା ଘୂର୍ଣ୍ଣିବଳୟ । ୧୮ ତାରିଖ ବେଳକୁ ଛୁଇଁବ ଉପକୂଳ । ପଢନ୍ତୁ, ଭିଜିବ କେଉଁ କେଉଁ ଜିଲ୍ଲା?

3,224

କନକ ବ୍ୟୁରୋ: ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେଇଛି । ଆଗାମୀ ୧୫ ତାରିଖ ବେଳକୁ ଏହା ଆଣ୍ଡାମାନ ଉପକୂଳରେ ପହଞ୍ଚିବ । ସେହିପରି ଅବପାତର ରୂପ ନେଇ ୧୮ ତାରିଖ ସଂଧ୍ୟାରେ ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ତେବେ ଏହା ଉପକୂଳ ଅତିକ୍ରମ କରିବା ସମୟରେ ଅଧିକ ଘନୀଭୂତ ହୋଇ ଗଭୀର ଅବପାତର ରୂପ ନେଇପାରେ । ଫଳରେ ଆନ୍ଧ୍ର ଉପକୂଳ ଏବଂ ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ।

ଗଞ୍ଜାମ, ଗଜପତି, ପୁରୀ, ରାୟଗଡା, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ଉପକୂଳ ଜିଲ୍ଲାଗୁଡିକରେ ମଧ୍ୟ ବର୍ଷା ହେବ । ତେବେ ଉପକୂଳ ଅତିକ୍ରମ କରିବା ସମୟରେ ୪୦ କିଲୋମିଟରରୁ କମ୍ ବେଗରେ ପବନ ବହିବ ବୋଲି କହିଛି ପାଣିପାଗ ବିଭାଗ । ସେପଟେ ନିମ୍ନ ଚାପରେଖା ପ୍ରଭାବରେ ଗତ ୨୪ ଘଣ୍ଟାରେ ରାଜ୍ୟର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ରେକର୍ଡ କରାଯାଇଛି । ସେହିପରି ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି । ଗଞ୍ଜାମ ଜିଲ୍ଲାର ଛତ୍ରପୁରରେ ସର୍ବାଧିକ ୧୩୭.୬ ଏବଂ ଆସ୍କାରେ ୧୨୫.୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।