ଭଙ୍ଗା ପଲଙ୍କରେ ଶୋଉଛନ୍ତି ମହାପ୍ରଭୁ । ଭାଙ୍ଗିଯାଇଛି ଗଜଦନ୍ତ ରତ୍ନ ପଲଙ୍କ ।

266

କନକ ବ୍ୟୁରୋ: ଭଙ୍ଗା ପଲଙ୍କରେ ଶୋଉଛନ୍ତି ମହାପ୍ରଭୁ । ଶ୍ରୀଜିଉଙ୍କ ଗଜଦନ୍ତ ରତ୍ନ ପଲଙ୍କ ଭାଙ୍ଗିଯାଇଛି । ପଲଙ୍କ ଗୋଡ଼ ସହ ଅନ୍ୟାନ୍ୟ ସ୍ଥାନ ସବୁ ଦୋହଲି ଗଲାଣି । ଗଜଦନ୍ତ ବି କ୍ରମଶଃ ଘୋରି ହୋଇ ସରି ଆସିଲାଣି । ଲାଗିଥିବା ରୂପା ବି ଛାଡ଼ିଗଲାଣି । ଏହାର ମରାମତି ପାଇଁ ବହୁ ଦିନୁ ଦାବି ହେଉଥିଲେ ବି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଉନାହିଁ । ଆଉ ଏହି ଭଙ୍ଗା ପଲଙ୍କରେ ସବୁ ନୀତିକାନ୍ତି ହେଉଛି । ଯେଉଁ ଶେଯ ପଡ଼ିଛି, ତାହା ମଧ୍ୟ ପୁରୁଣା ହୋଇଗଲାଣି । ଶ୍ରୀମନ୍ଦିରର ବିଭିନ୍ନ ଦ୍ୱାର ରୂପା ଚାଦରରେ ଆଚ୍ଛାଦିତ କରାଯାଇଥିବା ବେଳେ ମହାପ୍ରଭୁଙ୍କ ଏହି ଭଙ୍ଗା ଗଜଦନ୍ତ ପଲଙ୍କ ମରାମତି କରିବା ସହ ନୂଆ ଶେଯ ଓ ମାଣ୍ଡି ଆଦି ବ୍ୟବସ୍ଥା କରିବାକୁ ଦାବି ହୋଇଛି ।

ଶ୍ରୀମନ୍ଦିର ଦକ୍ଷିଣ ପାଶ୍ୱର୍ ଭଣ୍ଡାର ଘର ସମ୍ମୁଖରେ ଶ୍ରୀଜିଉଙ୍କ ଶୟନ କକ୍ଷ ରହିଛି । ଏହିଠାରେ ଶ୍ରୀଜିଉଙ୍କ ଗଜଦନ୍ତ ପଲଙ୍କ ପଡିଛି । ଭଙ୍ଗା ପଲଙ୍କ ଓ ପୁରୁଣା ଶେଯ ସଂପର୍କରେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମାଧବ ଚନ୍ଦ୍ର ମହପାତ୍ର କହିଛନ୍ତି, ମରାମତିରେ ପଲଙ୍କ ବେଶୀ ଦିନ ଯିବନାହିଁ । ଶ୍ରୀମନ୍ଦିର ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେବା ଆବଶ୍ୟକ । ଆଉ ଗୋଟିଏ ଗୋଟିଏ ସେଟ୍ ପଲଙ୍କ ତିଆରି ହେବା ଦରକାର । ହାତୀ ଦାନ୍ତ ଆଣିବା ଏବେ ସମ୍ଭବ ନୁହେଁ, ତେଣୁ ଯେଉଁ ନୂଆ ପଲଙ୍କ ହେବ,ସେଥିରେ ଏହି ଦାନ୍ତ ଲାଗି ପାରିବ । ଶ୍ରୀମନ୍ଦିର ଖୁଂଟିଆ ନିଯୋଗ ସଭାପତି ହଜୁରୀ କୃଷ୍ଣଚନ୍ଦ୍ର ଖୁଂଟିଆ କହିଛନ୍ତି, ପଲଙ୍କ ଭାଙ୍ଗିଥିବା ବିଷୟରେ ସମସ୍ତେ ଜାଣିଛନ୍ତି, ଜିଲ୍ଲାପାଳଙ୍କୁ ବି ଏ ସଂପର୍କରେ ଅବଗତ କରାଯାଇଛି । ଏବଂ ପଲଙ୍କ ସହ ନୂଆ ଶେଯ ଓ ମାଣ୍ଡି ତିଆରି କରାଯିବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି ।