ବଦଳିଗଲା ୨୦୧୭ର ଦୃଶ୍ୟପଟ: ଏଥର ବିଜେପି, କଂଗ୍ରେସର ଗଡ ଭାଙ୍ଗିଦେଲା ବିଜେଡି 

161

କନକ ବ୍ୟୁରୋ: ୨୦୧୭ର ପଂଚାୟତ ନିର୍ବାଚନ ଫଳାଫଳ । ୨୧ଟି ଜିଲ୍ଲା ପରିଷଦ ଗଠନ କରିଥିଲା ବିଜେଡି । ବିରୋଧୀଙ୍କ ଖାତାକୁ ଯାଇଥିଲା ୯ଟି ଜିଲ୍ଲା । କଂଗ୍ରେସ କେବଳ ଝାରସୁଗୁଡ଼ାରେ ଜିଲ୍ଲା ପରିଷଦ ଗଠନ କରିବାକୁ ସମର୍ଥ ହୋଇଥିଲା । ସୁନ୍ଦରଗଡ଼ ଏବଂ ନୂଆପଡ଼ାକୁ ଛାଡିଦେଲେ ପଶ୍ଚିମ ଓଡ଼ିଶାର ଅନ୍ୟ ୬ଟି ଜିଲ୍ଲା ପରିଷଦ ଗଠନ କରିଥିଲା ବିଜେପି । ମାଲକାନଗିରି ଓ ମୟୁରଭଂଜରେ ମଧ୍ୟ ବିଜେପି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ହାତେଇଥିଲା ।

କିନ୍ତୁ ୨୦୨୨ ପଂଚାୟତ ନିର୍ବାଚନ, ସଂପୂର୍ଣ୍ଣ ଦୃଶ୍ୟପଟ ବଦଳାଇ ଦେଇଛି । ପ୍ରଥମ ଦୁଇ ଦିନର ଟ୍ରେଣ୍ଡ ଜାରି ରହିଲେ ସମସ୍ତ ଜିଲ୍ଲା ବିଜେଡି ହାତକୁ ଆସିଯିବ । ଧୀରେ ଧୀରେ ଏହା ସ୍ପଷ୍ଟ ହେବାରେ ଲାଗିଛି ।

ଗତ ନିର୍ବାଚନରେ ସମ୍ବଲପୁର, ସୋନପୁର, ବରଗଡ଼, କଳାହାଣ୍ଡି, ବଲାଙ୍ଗୀର, ଦେବଗଡ଼ରେ ବିଜେପି ଜିଲ୍ଲା ପରିଷଦ ଗଠନ କରିଥିଲା । କିନ୍ତୁ ଏଥର ଏସବୁ ଜିଲ୍ଲା ବିଜେଡି ହାତକୁ ଆସିବାକୁ ଯାଉଛି । ଦ୍ୱିତୀୟ ଦିନର ଟ୍ରେଣ୍ଡକୁ ଦେଖିଲେ, ବୋଧହୁଏ ପ୍ରଥମ ଥର ପାଇଁ ଓଡ଼ିଶା ରାଜନୈତିକ ଏଭଳି ଘଟଣା ଘଟିବାକୁ ଯାଉଛି । ଝାରସୁଗୁଡ଼ା କଂଗ୍ରେସ ହାତରୁ ଖସିଯାଇ ବିଜେଡି ହାତକୁ ଚାଲିଆସିବ । ଏବଂ ମାଲକାନଗିରି ଓ ମୟୂରଭଂଜ ଯେଉଁଠି ବିଜେପି ଜିଲ୍ଲା ପରିଷଦ ଗଠନ କରିଥିଲା, ସେଠାରେ ମଧ୍ୟ ବିଜୟ ଅଭିଯାନ ଜାରି ରଖିଛି ବିଜେଡି ।

ବିଜେଡିର ଏହି ବାଜିମାତ ରାଜନୈତିକ ସମୀକ୍ଷକଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଛି, ଖୋଦ ବିରୋଧୀ ଦଳର ନେତାମାନେ ବି ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ଯଦି ୩୦ରୁ ୩୦ ଜିଲ୍ଲା ପରିଷଦ ଗଠନ କରିବାରେ ବିଜେଡି ସକ୍ଷମ ହେଉଛି, ତେବେ ଓଡ଼ିଶା ରାଜନୀତି ବିରୋଧୀ ଶୁନ୍ୟ ହେବାର ଆଶଙ୍କା ସୃଷ୍ଟି ହୋଇଛି ।

ଓଡ଼ିଶା ରାଜନୀତି ମାନଚିତ୍ରରେ ଏପରି ଏକ ନିର୍ବାଚନୀ ବିଜୟକୁ ବିରୋଧୀ ଭିନ୍ନ ଦୃଷ୍ଟିରେ ଦେଖୁଛନ୍ତି । କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର କହିଥିଲେ, ଓଡ଼ିଶାବାସୀ ଏକଛତ୍ରବାଦ ଆଡକୁ ଭୋଟ ଦେଉଛନ୍ତି । ଏପଟେ ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି, ଏହା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ ।