ଆରମ୍ଭ ହେଲା ସଂସଦର ଶୀତ ଅଧିବେଶନ । ପ୍ରଥମ ଦିନରେ ମୋଦୀ ମୋଦୀ ନାରାରେ କମ୍ପିଲା ଗୃହ । ବିଜୟର ଖୁସି ମନାଇଲେ ବିଜେପି ସାଂସଦ

86

କନକ ବ୍ୟୁରୋ: ସଂସଦର ଶୀତ ଅଧିବେଶନ ସୋମବାରଠାରୁ ଆରମ୍ଭ ହୋଇଛି । ଆଉ ଗୃହରେ ଦେଖିବାକୁ ମିଳିଛି ବିଜେପି ବିଜୟର ପ୍ରଭାବ । ମୋଦୀ ମୋଦୀ ନାରା ସହ କମ୍ପି ଉଠିଥିଲା ସଂସଦ ଭବନ । ସେପଟେ, ପରାଜୟର ରାଗ ଗୃହରେ ନ ବାହାର କରିବାକୁ ବିରୋଧୀ ସାଂସଦଙ୍କୁ ଅପିଲ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ।

  • ଲୋକସଭାରେ ଝଲସିଲା ବିଜୟ ଖୁସି
  • ମୋଦୀ ନାରାରେ କମ୍ପିଲା ଗୃହ

ସୋମବାର ଠାରୁ ଆରମ୍ଭ ହୋଇଛି ସଂସଦର ଶୀତ ଅଧିବେଶନ । ଆଉ ପ୍ରଥମ ଦିନରେ ବିଜେପି ସାଂସଦଙ୍କ ଖୁସି ଝଲସିଛି ଲୋକସଭା ଗୃହରେ । ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡରେ ବିପୁଳ ବିଜୟ ପରେ ବିଜେପି ସାଂସଦ ଆଜି ଗୃହରେ ଉତ୍ସବ ପାଳନ କରିଥିବାର ନଜର ଆସିଛନ୍ତି । ସାଂସଦମାନେ ବାର-ବାର ମୋଦୀ ସରକାରର ନାରା ଦେଉଥିବାର ଦେଖିବାକୁ ମିିଳିଥିଲା ଗୃହରେ । ଚଳିତ ଶୀତ ଅଧିବେଶନ ସୋମବାର ୪ ଡିସେମ୍ବରରୁ ଆରମ୍ଭ ହୋଇଥିବାବେଳେ ଏହା ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ ।

  • ବିରୋଧୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅପିଲ
  • ‘ପରାଜୟର ରାଗ ସଂସଦରେ ବାହାର କରା ନଯାଉ’

ସେପଟେ ଶୀତ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ବିରୋଧୀଙ୍କୁ ଅପିଲ କରି କିଛି ଏହିପରି ମନ୍ତବ୍ୟ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବିରୋଧୀଙ୍କୁ ଅପିଲ କରି ସେ କହିଛନ୍ତି, ‘ପରାଜୟର ରାଗ ସଂସଦରେ ପ୍ରକାଶ କରାନଯାଉ । ସଂସଦକୁ ସକରାତ୍ମକ ମନଭାବନା ନେଇ ଆସନ୍ତୁ । ଗଣତନ୍ତ୍ରର ମନ୍ଦିରକୁ ରାଜନୀତିର ପ୍ଲାଟଫର୍ମରେ ପରିଣତ କରନ୍ତୁ ନାହିଁ ।’

  • କମାଲ ଦେଖାଇଲା ମୋଦୀ ମ୍ୟାଜିକ୍
  • ୩ ରାଜ୍ୟରେ ବିଜେପିର କ୍ଲିନ୍ ସ୍ୱିପ୍

ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡରେ ବିଜେପିର ବିପୁଳ ବିଜୟ ସଭିଁଙ୍କୁ ଚକିତ କରିଛି । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପିର ଏକ ବଡ ବିଜୟ ଭାବେ ଏହା ଜଣାଯାଉଛି । ଆଉ ଏହା ପଛରେ ରହିଛି ଭାରତୀୟ ଜନତା ପାର୍ଟିର ଏକ ଖାସ୍ ରଣନୀତି । ଏଥର ବିଧାନସଭା ନିର୍ବାଚନରେ ଆଞ୍ଚଳିକ ନେତାଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଓ ସାଂସଦଙ୍କୁ ମଧ୍ୟ ମଇଦାନକୁ ଓହ୍ଲାଇଥିଲା ଦଳ । ୫ କେନ୍ଦ୍ରମନ୍ତ୍ରୀ ଓ ୧୯ ସାଂସଦଙ୍କୁ ବିଧାନସଭା ନିର୍ବାଚନରେ ପ୍ରାର୍ଥୀ କରାଇଥିଲା । ମଧ୍ୟପ୍ରଦେଶରେ ୩ କେନ୍ଦ୍ରମନ୍ତ୍ରୀଙ୍କ ସମେତ ୬ ସାଂସଦଙ୍କୁ ପ୍ରାର୍ଥୀ କରିଥିଲା ବିଜେପି । ରାଜସ୍ଥାନରେ ୭ ସାଂସଦଙ୍କୁ ବିଜେପି ପ୍ରାର୍ଥୀ କରିଥିଲା । ଛତିଶଗଡରେ ୨ କେନ୍ଦ୍ରମନ୍ତ୍ରୀ ଓ ଜଣେ ସାଂସଦ ନିର୍ବାଚନୀ ମଇଦାନକୁ ଓହ୍ଲାଇଥିଲେ । ଆଉ ଏହି ରଣନୀତି ଦଳ ପାଇଁ ଲାଭଦାୟକ ସାବ୍ୟସ୍ତ ହୋଇଛି । ଏହାସହ ମୋଦୀ ମ୍ୟାଜିକ୍ ବି ଦଳ ପାଇଁ ବଡ ବିଜୟ ଆଣିଛି । ପ୍ରତି ରାଜ୍ୟରେ ପ୍ରଧାନମନ୍ତ୍ରୀ ନିଜେ ର୍ୟାଲି ଓ ରୋଡ୍ ଶୋ କରିବା ବିଜେପି ବିଜୟର ଅନ୍ୟତମ ପ୍ରମୁଖ କାରଣ ବୋଲି କୁହାଯାଉଛି ।

ତେବେ ତିନି ରାଜ୍ୟକୁ ବିଜେପି ଦଖଲ କରିଛି । ଏହି ବିଜୟ ପରେ ବିଜେପି ପୁଣିଥରେ ଆଗାମୀ ସାଧାରଣ ନିର୍ବାଚନରେ ହ୍ୟାଟ୍ରିକ୍ କରିବ ବୋଲି ଦଳ ପକ୍ଷରୁ ଦୃଢୋକ୍ତି ପ୍ରକାଶ କରାଯାଉଛି ।