କନକ ବ୍ୟୁରୋ: ପ୍ରଶ୍ନ ପାଇଁ ଲାଞ୍ଚ ମାମଲାରେ ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କ ଅଡ଼ୁଆ ବଢ଼ି ବଢ଼ି ଚାଲିଛି । ମାମଲାର ରିପୋର୍ଟକୁ ଅନୁମୋଦନ ଦେଇଛି ସଂସଦୀୟ ସଦାଚାର କମିଟି । ଯାହା ପରେ କମିଟିର ୧୦ ଜଣ ସଦସ୍ୟଙ୍କ ମଧ୍ୟରୁ ୬ ଜଣ ତଦନ୍ତ ରିପୋର୍ଟକୁ ଅନୁମୋଦନ କରିବା ସପକ୍ଷରେ ମତ ଦେଇଥିଲେ । ସେହିପରି ୪ ଜଣ ସଦସ୍ୟ ଏହା ବିରୋଧରେ ଭୋଟ୍ ଦେଇଥିଲେ । ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କମିଟି ରିପୋର୍ଟରେ କହିଛି ଯେ, ମହୁଆ ମୋଇତ୍ରା ତାଙ୍କ ସାଂସଦ ଆକାଉଣ୍ଟର ଲଗ୍-ଇନ ଓ ପାସୱାର୍ଡ ବ୍ୟବସାୟୀ ଦର୍ଶନ ହୀରାନନ୍ଦାନିଙ୍କୁ ଦେଇଥିଲେ, ଯାହା ଜାତୀୟ ସୁରକ୍ଷା ପାଇଁ ବଡ଼ ବିପଦ । ଏହି ଅପରାଧ ପାଇଁ ମହୁଆ ମୈତ୍ରଙ୍କୁ କଠୋର ଦଣ୍ଡ ମିଳିବା ଦରକାର । ଏଥିସହ କମିଟି ମହୁଆଙ୍କୁ ଲୋକସଭା ସଦସ୍ୟ ପଦରୁ ଅଯୋଗ୍ୟ ଘୋଷଣା କରିବା ପାଇଁ ସୁପାରିସ କରିଛି ।

Advertisment

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏଥିକ୍ସ କମିଟି ନିଜ ସୁପାରିସରେ ଜାତୀୟ ସୁରକ୍ଷାକୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି ଦର୍ଶାଇଛି । କମିଟି ତା’ର ସୁପାରିସରେ କହିଛି ଯେ ମହୁଆ ତାଙ୍କ ସଂସଦୀୟ ଆକାଉଣ୍ଟର ଲଗ୍-ଇନ ବିବରଣୀ ଅନାଧିକୃତ ବ୍ୟକ୍ତିଙ୍କ ସହ ସେୟାର କରିଛନ୍ତି, ଯାହା ଜାତୀୟ ସୁରକ୍ଷା ଉପରେ ପ୍ରଭାବ ପକାଉଛି । ଏହା ଏକ ଗୁରୁତର ଅପରାଧ ବୋଲି କମିଟି ଜାଣିବାକୁ ପାଇଛି । ସଦାଚାର କମିଟିର ଏହି ରିପୋର୍ଟକୁ ଆଜି ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ପ୍ରଦାନ କରାଯିବ ।