ପ୍ରଥମେ ଲୋକସଭା ପରେ ରାଜ୍ୟସଭାରେ ପାରିତ ହେଲା କୃଷି ଆଇନ ପ୍ରତ୍ୟାହାର ବିଲ: ଏବେ ରାଷ୍ଟ୍ରପତିଙ୍କ ଅନୁମୋଦନକୁ ଅପେକ୍ଷା

143

କନକ ବ୍ୟୁରୋ: ସଂସଦ ଶୀତ ଅଧିବେଶନର ପ୍ରଥମ ଦିନରେ ପାରିତ ହୋଇଛି କୃଷି ଆଇନ ପ୍ରତ୍ୟାହାର ବିଲ । ପ୍ରଥମେ ଲୋକସଭା ପରେ ରାଜ୍ୟସଭାରେ କୃଷି ଆଇନ ପ୍ରତ୍ୟାହାର ବିଲ ପାରିତ ହୋଇଛି । ଏବେ ଏହା ଅନୁମୋଦନ ପାଇଁ ରାଷ୍ଟ୍ରପତିଙ୍କ ନିକଟକୁ ଯିବ । ପୂର୍ବ ଘୋଷଣା ଅନୁଯାୟୀ ଏହାକୁ ଲୋକସଭାରେ ଆଗତ କରିଥିଲେ କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର । ସେପଟେ କୃଷି ଆଇନ ପ୍ରତ୍ୟାହାର ବେଳେ ବିରୋଧିଙ୍କ ପ୍ରତିବାଦ ମଧ୍ୟ ଗୃହରେ ଦେଖିବାକୁ ମିଳିଛି ।

ସଂସଦର ଶୀତ ଅଧିବେଶନର ପ୍ରଥମ ଦିନରେ ବିବାଦୀୟ ୩ କୃଷି ଆଇନ୍କୁ ପ୍ରତ୍ୟାହାର ପାଇଁ ପାରିତ ହେଲା ବିଲ୍ । ୧ ବର୍ଷରୁ ଅଧିକ ସମୟ ଧରି ଯେଉଁ ବିଲକୁ ହଟାଇବା ପାଇଁ କୃଷକଙ୍କ ବ୍ୟାପକ ଆନ୍ଦୋଳନ ଜାରି ରହିଥିଲା, ସେହି କୃଷି ଆଇନକୁ ପ୍ରତ୍ୟାହାର କରିବା ପାଇଁ ମାତ୍ର କିଛି କ୍ଷଣ ଭିତରେ ବିଲ୍ ପାରିତ ହୋଇଛି । ଚାଷୀମାନଙ୍କ ଦାବି ଆଗରେ ମୁଣ୍ଡ ନୁଆଇଁ କୃଷି ଆଇନ ପ୍ରତ୍ୟାହାର ବିଲ ଶୀତ ଅଧିବେଶନର ଆଣିବାକୁ ଘୋଷଣା କରିଥିଲେ ମୋଦୀ ସରକାର । ଏହାକୁ ଅଧ୍ୟାଦେଶ ଆକାରରେ ଅଣାଯାଇଥିବାବେଳେ ପ୍ରବଳ ବିରୋଧ କରିଥିଲେ ବିରୋଧୀ ଦଳ । କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳ ଏହା ଉପରେ ଗୃହରେ ଆଲୋଚନା ପାଇଁ ଦାବି କରି ହଟ୍ଟଗୋଳ କରିଥିଲେ । ତଥାପି ବିରୋଧୀଙ୍କ ପାଟିତୁଣ୍ଡ ଭିତରେ ବାଚନିକ ଭୋଟରେ ବିଲ ଲୋକସଭାରେ ପାସ ହୋଇଛି । ସେପଟେ ଗୃହରେ ହଟ୍ଟଗୋଳ ନକରି ଆଲୋଚନା କରିବାକୁ ବିରୋଧିଙ୍କୁ ଅନୁରୋଧ କରିଛନ୍ତି ପ୍ରଧାନମନ୍ତ୍ରୀ ।

ସଂସଦରେ କୃଷି ଆଇନ ପ୍ରତ୍ୟାହାର ବିଲ ପାରିତ ହେବା ପରେ କଡା ପ୍ରତିକ୍ରିୟା ରଖିଛନ୍ତି ରାହୁଲ ଗାନ୍ଧୀ । ୩ଟି କଳା ଆଇନ ପ୍ରତ୍ୟାହାର ହେବା ଚାଷୀଙ୍କ ବିଜୟ ବୋଲି କହିଛନ୍ତି ରାହୁଲ । ସେହିପରି ବିଲ୍ ପ୍ରତ୍ୟାହାର ନେଇ କାହିଁକି ଆଲୋଚନା କରିବାକୁ ସରକାର ଡରୁଛନ୍ତି ସରକାରଙ୍କ ଉପରେ ବର୍ଷିଛନ୍ତି ରାହୁଲ ଗାନ୍ଧୀ । କୃଷି ଆଇନ ପ୍ରତ୍ୟାହାର ବିଲ ଉପରେ ଆଲୋଚନା ଚାହୁଁଥିଲେ ବିରୋଧୀ । ସଂସଦରେ ହୋହଲ୍ଲା ପରେ ବାହାରେ ପ୍ରତିବାଦ କରିଛନ୍ତି ବିରୋଧୀ । ଯାହାକୁ ନେଇ କେନ୍ଦ୍ର ମନ୍ତ୍ରୀ ପ୍ରହଲାଦ ଯୋଶୀ କହିଛନ୍ତି ଆଇନ ଆଣିଲା ବେଳେ ଚର୍ଚ୍ଚା ହୋଇଥିବାରୁ ପ୍ରତ୍ୟାହାର ବେଳେ ଆବଶ୍ୟକ ନଥିଲା ଆଲୋଚନା ।

ସୋମବାର ସଂସଦର ଶୀତକାଳିନ ଅଧିବେଶନ ଆରମ୍ଭ ହୋଇଥିବା ବେଳେ ଆରମ୍ଭରୁ ହଙ୍ଗାମା କରିଥିଲେ ବିରୋଧୀ । ଫଳରେ ବାଚସ୍ପତି ଓମ ବିର୍ଲା ଲୋକସଭାକୁ ପ୍ରଥମେ ଦିନ ୧୨ଟା ଯାଏଁ ମୁଲତବି ରଖିଥିଲେ । ୧୨ଟାରେ ଗୃହକାର୍ଯ୍ୟ ପୁଣି ଆରମ୍ଭ ହୋଇ ବିରୋଧୀଙ୍କ ହଟ୍ଟଗୋଳ ଭିତରେ କୃଷି ଆଇନ ପ୍ରତ୍ୟାହାର ବିଲକୁ ଲୋକସଭାରେ ପାରିତ କରାଇ ନେଇଛନ୍ତି ସରକାର ।