ଆସନ୍ତା ସପ୍ତାହରେ ଓଡିଶାକୁ ଆସିପାରନ୍ତି ପଙ୍ଗପାଳ: ସତର୍କ କରାଇଲା ଫୁଡ ଆଣ୍ଡ ଏଗ୍ରିକଲଚର ଅର୍ଗାନାଇଜେସନ; ବାତ୍ୟା ଅମ୍ପାନ ପରେ ପଶ୍ଚିମ ବାୟୁ ପ୍ରବାହ ସହ ଓଡିଶା ମୁହାଁ ପ୍ରବାସୀ ପତଙ୍ଗ

2,107

କନକ ବ୍ୟୁରୋ: ଆସନ୍ତା ସପ୍ତାହରେ ବିହାର ଓ ଓଡିଶାକୁ ଆସିପାରେ ପଙ୍ଗପାଳ । ଫୁଡ ଆଣ୍ଡ ଏଗ୍ରିକଲଚର ଓର୍ଗାନାଇଜେସନ ଏନେଇ ସତର୍କ କରାଇ ଦେଇଛି । ସାମୁଦ୍ରିକ ଝଡ ଅମ୍ଫାନ ପରେ ପଶ୍ଚିମ ବାୟୁ ପ୍ରବାହ ଯୋଗୁଁ ଏହା ଆଗକୁ ଓଡିଶା, ବିହାର ଆଡକୁ ମାଡି ଆସିପାରେ । ତେବେ ପଙ୍ଗପାଳକୁ ନିୟନ୍ତ୍ରଣ କରିବାକୁ ଉଦ୍ୟମ କରାଯାଉଥିହା କହିଛି ଫାଓ । ତେବେ ମୌସୁମୀ ବାୟୁ ପ୍ରବାହ ସକ୍ରିୟ ହେବା ପରେ ଏହାର ଗତପଥ ବଦଳିଯାଇପାରେ ।

ପବନର ଗତି ସହ ଏହି ପ୍ରବାସୀ ପତଙ୍ଗ ଗୋଟିଏ ସ୍ଥାନରୁ ଅନ୍ୟସ୍ଥାନକୁ ଯାଉଥିବାରୁ ଆଗାମୀ ଦିନରେ ଓଡିଶା ଆସିବା ସମ୍ଭାବନାକୁ ଏଡାଇ ଦେଇ ହେବ ନାହିଁ । କେବଳ ଫାଓ ନୁହେଁ ପିଟିଆଇ ମଧ୍ୟ ପଙ୍ଗପାଳ ଓଡିଶା, ବିହାର ଆସିବା ନେଇ ପୂର୍ବାନୁମାନ କରିଛି । ଚଳିତ ସପ୍ତାହରେ ଓଡିଶା କୃଷି ବିଶ୍ୱବିଦ୍ୟାଳୟ ମଧ୍ୟ ପଙ୍ଗପାଳ ଓଡିଶା ଆସିବା ନେଇ ସମାନ କଥା କହିଥିଲା । ଏତେ ବଡ଼ ସମ୍ଭାବ୍ୟ ସଂକଟକୁ ଦୃଷ୍ଟିରେ ରଖି ଓଡ଼ିଶାର କୃଷି ବିଭାଗ ଏକ ବଡ଼ ଧରଣ ପ୍ରସ୍ତୁତି ଆରମ୍ଭ କରିଛି ।

କରୋନା, ଅମ୍ଫାନ ପରେ କୃଷି ପ୍ରଧାନ ରାଜ୍ୟ ଓଡିଶାକୁ ଯଦି ପଙ୍ଗପାଳ ଆସେ ତେବେ ଖାଦ୍ୟ ସୁରକ୍ଷା ଓ ଅର୍ଥନୀତି ଉପରେ ଗଭୀର ପ୍ରଭାବ ପକାଇବ । ଆଗାମୀ ଦିନରେ ଏହା ବିହାର ଓଡିଶା ଦେଇ ନେପାଳ ଓ ବାଂଲାଦେଶକୁ ମାଡିଯିବ ବୋଲି ପୂର୍ବାନୁମାନ କରିଛି ଫାଓ । ପୂର୍ବ ଆଫ୍ରିକାରେ ଅଦିନିଆ ବର୍ଷାରୁ ଉତ୍ପତି ହୋଇଥିବା ଏହି ପଙ୍ଗପାଳ ପାକିସ୍ତାନ ଦେଇ ପର୍ଯ୍ୟାୟକ୍ରମେ ଭାରତର ଏକାଧିକ ରାଜ୍ୟରେ ପହଂଚି ସାରିଲେଣି । ଏହି ପତଙ୍ଗ ରାଜସ୍ଥାନ, ପଞ୍ଜାବ, ଗୁଜରାଟ, ମଧ୍ୟପ୍ରଦେଶ ସମେତ ୟୁପିର ଝାନସି ଜିଲ୍ଲା ଓ ମହାରାଷ୍ଟ୍ରର ରାମଟେକ ସିଟିରେ ପଙ୍ଗପାଳ ଦେଖା ଦେଇଛନ୍ତି ।