ବାହାନଗାରେ ଏକାଦଶାହ ପାଳିଲେ ସ୍ଥାନୀୟ ଲୋକ । ମୃତକଙ୍କ ଆତ୍ମାର ସଦଗତି ପାଇଁ କଲେ ପ୍ରାର୍ଥନା

178

କନକ ବ୍ୟୁରୋ: କରମଣ୍ଡଳ ଦୁର୍ଘଟଣା ସମୟରେ ତୁରନ୍ତ ଦୁର୍ଘଟଣାସ୍ଥଳରେ ପହଞ୍ଚି ଯେମିତି ଉଦ୍ଧାର କାମ ଆରମ୍ଭ କରିଦେଇଥିଲେ ସ୍ଥାନୀୟ ଲୋକେ । ଆଜି ସେମିତି ୧୧ଦିନରେ ମୃତକଙ୍କ ଆତ୍ମାର ସଦଗତି ପାଇଁ କର୍ମ କରିଛନ୍ତି । ଏବଂ ଶାନ୍ତି ପ୍ରତିଷ୍ଠା ପାଇଁ ପୂଜାପାଠ ମଧ୍ୟ କରାଯାଇଛି । ତେବେ ମୃତକଙ୍କ ମଧ୍ୟରେ ସବୁ ଧର୍ମର ଯାତ୍ରୀ ଥିବାରୁ ସମସ୍ତଙ୍କ ଆତ୍ମାର ସଦଗତି ନିମନ୍ତେ ସର୍ବଧର୍ମ ସଭା ଆୟୋଜିତ ହୋଇଛି ।

ଦୁର୍ଘଟଣା ସମୟରେ ଯେଉଁଭଳି ମାନବିକତା ଦେଖାଇଥିଲେ ବାହାନଗାବାସୀ, ଏକାଦଶାହ ସମୟରେ ସେହିଭଳି ଦାୟିତ୍ୱ ମଧ୍ୟ ତୁଲାଇଛନ୍ତି । ମୃତକଙ୍କ ଆତ୍ମାର ସଦଗତି ପାଇଁ ପ୍ରଥା ଓ ପରମ୍ପରା ଅନୁସାରେ କର୍ମ କରାଯାଇଛି । ଶାନ୍ତି ପ୍ରତିଷ୍ଠା ପାଇଁ ପୂଜାପାଠ କରାଯାଇଛି । କେବଳ ଯେ, ହିନ୍ଦୁ ରୀତିନୀତି ଅନୁସାରେ ଏକାଦଶାହ ହୋଇଛି ତାହା ନୁହେଁ । ବରଂ ମୃତକଙ୍କ ମଧ୍ୟରେ ସବୁ ଧର୍ମର ଯାତ୍ରୀ ଥିବାରୁ ସମସ୍ତଙ୍କ ଆତ୍ମାର ସଦଗତି ନିମନ୍ତେ ସର୍ବଧର୍ମ ସଭାର ଆୟୋଜନ କରାଯାଇଛି । ଯେଉଁମାନେ ଅଘଟଣରେ ଚାଲିଗଲେ ସେମାନ ତ’ ଆଉ ଫେରିବେନି । କିନ୍ତୁ ସେମାନଙ୍କର ଆତ୍ମାର ଶାନ୍ତିରେ ରହୁ, ଏହା ହିଁ ଏକମାତ୍ର କାମନା ।

ଏକାଦଶାହ ଅବସରରେ ବାହାନଗା, ସୋର ତଥା ସାମଗ୍ରିକ ଭାବେ ବାଲେଶ୍ୱର ଜିଲ୍ଳର ଏକାଧିକ ସମାଜିକ ସଂଗଠନର କର୍ମକର୍ତା ଏଭଳି ଏକ ମହତ୍ କାର୍ଯ୍ୟକ୍ରମର ଆୟୋଜନ କରିଛନ୍ତି । ଏଥିରେ ବିଶ୍ୱଶାନ୍ତି ମହାଯଜ୍ଞ, ଅଷ୍ଟପ୍ରହରୀ ନାମ ସଂକୀର୍ତନ, ଗାୟତ୍ରୀମନ୍ତ୍ର ଜପ ଆଦି କରାଯାଇଛି । କାର୍ଯ୍ୟକ୍ରମରେ ପ୍ରଶାସନିିକ ଅଧିକାରୀ ଏବଂ ଜନପ୍ରତିନିଧି ସାମିଲ ହୋଇ, ବାହାନଗା ବାସୀଙ୍କ ଏହି ଉଦ୍ୟମକୁ ପ୍ରଶଂସା କରିଛନ୍ତି ।

ଘଟଣାକୁ ଏହାରି ଭିତରେ ୧୧ଦିନ ବିତିଯାଇଛି, ହେଲେ ଆଜି ବି ଆଖି ବନ୍ଦ କରିଦେଲେ ସେଦିର ଚିତ୍ର ସବୁ ଜଳଜଳ ହୋଇଦେଖାଯାଉଛି । ଏଭଳି ସ୍ଥିତିରେ ଅଘଟଣକୁ ଭୁଲି, ଆଗକୁ ବଢ଼ିବା ହୁଏତ ବର୍ତମାନ ସମୟର ବଡ଼ ଆହ୍ୱାନ । ଆଉ ଏ ଦିଗରେ ଯଥୋଚିତ ଉଦ୍ୟମ କରୁଛନ୍ତି ସ୍ଥାନୀୟ ବାସିନ୍ଦା ।