ପଞ୍ଚାୟତ ଓ ପୌର ନିର୍ବାଚନ ପରେ ବି ଚଳଚଞ୍ଚଳ ବିଜେଡି ରାଜନୀତି । ରାଜ୍ୟସଭା ପାଇଁ ଲବି ଆରମ୍ଭ

193

କନକ ବ୍ୟୁରୋ: ଉଭୟ ଗାଁ ଓ ସହର ନିର୍ବାଚନରେ ବଡ଼ ସଫଳତା ପରେ ମଧ୍ୟ ଚଳଚଞ୍ଚଳ ରହିଛି ବିଜେଡି ରାଜନୀତି । ରାଜ୍ୟସଭା ନିର୍ବାଚନ ପାଇଁ ଲବି ଆରମ୍ଭ ହୋଇଥିବା ବେଳେ ମନ୍ତ୍ରୀମଣ୍ଡଳରେ ବଡ଼ ଧରଣର ଅଦଳବଦଳ ଓ ନିଗମ ଦାୟିତ୍ୱ ପରିବର୍ତ୍ତନ ହେବା ନେଇ ପାୱାର କରିଡରରେ ଜୋରଦାର ଚର୍ଚ୍ଚା ହେଉଛି । ଆଉ ଏହି ସୁଯୋଗକୁ ହାତଛଡ଼ା କରିବାକୁ ଚାହୁଁନାହାନ୍ତି ନେତା ।

  • ନିର୍ବାଚନ ସରିଲା ତଥାପି ନେତାଙ୍କୁ ଆଶ୍ୱସ୍ତି ନାହିଁ
  • ବିଜେଡି ଶିବିରରେ ଚାଲିଛି ଜୋରଦାର ଲବି

ରାଜ୍ୟସଭା ନିର୍ବାଚନ । ମନ୍ତ୍ରୀମଣ୍ଡଳ ଅଦଳବଦଳ । ନିଗମ ଦାୟିତ୍ୱ ପରିବର୍ତନ । ଏହି ତିନୋଟି ଦିଗ ଚାରିପାଖରେ ହିଁ ଘୁରିବୁଲୁଛି ବିଜେଡି ରାଜନୀତି । ନେତାଙ୍କ ଆକଳନ, ଖୁବଶୀଘ୍ର ୨୦୨୪ ପାଇଁ ନୂଆ ଟିମ୍ ଗଢିବେ ନବୀନ, ତେଣୁ ସୁଯୋଗ ହାତଛଡା ହୋଇଯିବା ଆଗରୁ ନେତା ଆରମ୍ଭ କରିସାରିଛନ୍ତି ଜୋରଦାର ଲବି । ସୂଚନା ଅନୁସାରେ, ୧୦ ତାରିଖ ପରେ ବିଜେଡିରେ ଆରମ୍ଭ ହେବ ସମୀକ୍ଷାର ପର୍ବ । ଯେଉଁଥିରେ ନେତାଙ୍କ ପ୍ରଦର୍ଶନ, ବିଭାଗୀୟ ନିଷ୍ପତି, ସାଂଗଠନିକ ଦକ୍ଷତା, ଆନୁଗତ୍ୟ ଏବଂ ସର୍ବୋପରି ଭାବମୂର୍ତିକୁ ଆଧାର କରି ରିପୋର୍ଟ ତିଆରି ହେବ । ସେହି ଆଧାରରେ ହିଁ ନବୀନଙ୍କ ଟିମ୍ ୨୦୨୪ ତିଆରି ହୋଇପାରେ ।

ପ୍ରଥମେ ରାଜ୍ୟ ନିଗମର ପୁର୍ନଗଠନ, ନେତାଙ୍କ ପଦ ଅଦଳବଦଳ, ପରେ ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ଆଉ ପରେ ରାଜ୍ୟସଭା ନିର୍ବାଚନ । ଅନ୍ଦର ମହଲରୁ ମିଳିଥିବା ସୂଚନା ଅନୁସାରେ ମେ’ ମାସ ୨ୟ ସପ୍ତାହ ଭିତରେ ମନ୍ତ୍ରୀମଣ୍ଡଳରେ ବଡ ପରିବର୍ତ୍ତନ ହୋଇପାରେ । ଏହି ସଂପ୍ରସାରଣରେ କିଛି ହେବିେଓଟ ତଥା ବିବାଦୀୟ ମନ୍ତ୍ରୀଙ୍କୁ ବାଦ ଦେଇ କିଛି ନୂଆ ମୁହଁ ଓ ଅଭିଜ୍ଞ ନେତାଙ୍କୁ ସାମିଲ କରିପାରନ୍ତି ନବୀନ ପଟ୍ଟନାୟକ । ଏପରିକି ପଞ୍ଚାୟତ, ପୌର ନିର୍ବାଚନରେ ନେତାଙ୍କ ପ୍ରଦର୍ଶନକୁ ମୂଲ୍ୟାୟନ କରି କିଛି ପୁରସ୍କାର ଦେଇପାରନ୍ତି ମଖ୍ୟମନ୍ତ୍ରୀ । ଆଉ ମନ୍ତ୍ରୀ ମଣ୍ଡଳ ଅଦଳବଦଳକୁ ନେଇ ପାଓାର କରିଡରରେ ଆରମ୍ଭ ହୋଇଗଲାଣି ଜୋରଦାର ଲବି ।

  • ଜୁଲାଇରେ ଖାଲି ହେବ ୪ ରାଜ୍ୟସଭା ଆସନ
  • କାହାକୁ ମିଳିବ ସୁଯୋଗ ! ସସ୍ମିତ ହେବେ କି ରିପିଟ?

ଆସନ୍ତା ଜୁଲାଇରେ ପ୍ରସନ୍ନ ଆଚାର୍ଯ୍ୟ, ଏନ ଭାସ୍କର ରାଓ ଓ ସସ୍ମିତ ପାତ୍ରଙ୍କ ରାଜ୍ୟସଭା କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି । ସାଂସଦରୁ କଟକ ମେୟର ବନିଥିବା ସୁବାସ ସିଂହ ମଧ୍ୟ ଖୁବଶୀଘ୍ର ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେବେ । ଅର୍ଥାତ ଜୁଲାଇ ମାସରେ ୪ଟି ରାଜ୍ୟସଭା ସିଟ ଖାଲି ହେବାକୁ ଯାଉଛି । ତେଣୁ କିଏ ସେହି ୪ ଚେହେରା । କାହାକୁ ଦିଲ୍ଲୀ ପଠେଇବେ ନବୀନ ।ତେବେ ୨୦୨୪ରେ ଷଷ୍ଠ ଥର କ୍ଷମତାକୁ ଆସିବାକୁ ଲଢିବ ବିଜେଡି । ତେଣୁ ଯୁବ ଭୋଟରଙ୍କୁ ନିଜ ଆଡକୁ ଆଣିବାକୁ ବିଜେଡି କିଛି ନୂଆ ଫର୍ମୁଲା ସାମ୍ନାକୁ ଆଣିବା ସମ୍ଭାବନା ଅଧିକ ।