କନକ ବ୍ୟୁରୋ : ବରମୁଣ୍ଡା ବସଷ୍ଟାଣ୍ଡକୁ ନୂଆ ରୂପ ଦେବା ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି । ପ୍ରାୟ ୧୬୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଏହି ଆନ୍ତଃ ରାଜ୍ୟ ବସ୍ ଟର୍ମିନାଲକୁ ନେଇ ସରକାର ରାଜ୍ୟବାସୀଙ୍କୁ ଯେଉଁ ସ୍ବପ୍ନ ଦେଖାଇଛନ୍ତି, ସେଥିରେ ପ୍ରାୟ ୧୩୦ରୁ ଊର୍ଦ୍ଧ୍ୱ ଦୋକାନୀଙ୍କ ଜୀବିକା ବନ୍ଧା ପଡ଼ିଛି । ଦୀର୍ଘ ୨୫ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଏଠାରେ ଦୋକାନ କରି ଚଳୁଥିବା ଦୋକାନୀମାନଙ୍କ ଭାଗ୍ୟ ପ୍ରଶାସନ ଅନ୍ଧାରକୁ ଠେଲି ଦେବାକୁ ବସିଛି । ବସଷ୍ଟାଣ୍ଡ ଆଧୁନିକୀକରଣ କରିବା ଆଳରେ ସରକାରଙ୍କ ଉଚ୍ଛେଦ କରିବା ନିଷ୍ପତ୍ତି ଏହି ବ୍ୟବସାୟୀଙ୍କ ଜୀବିକାରେ ତାଲା ମାରିବାକୁ ବସିଛି। ପରିତାପର ବିଷୟ ହେଉଛି, କରୋନା ପାଇଁ ବ୍ୟବସାୟ ମାନ୍ଦା ଚାଲିଥିବା ବେଳେ ଜୀବିକା ସଂପୂର୍ଣ୍ଣ ମୂଳପୋଛ ହୋଇଯିବାକୁ ବସିଛି। ଠିକ୍ ଏତିକି ବେଳେ ସରକାରଙ୍କ ନିଷ୍ପତ୍ତି ଦୋକାନୀଙ୍କ ପାଇଁ ବେଡ଼ି ଉପରେ କରୋଡ଼ା ମାଡ଼ ହୋଇଛି ।
ସ୍ଥାନୀୟ ଗୋପବନ୍ଧୁ କ୍ଷୁଦ୍ର ବ୍ୟବସାୟୀ ସଂଘର ସୂଚନା ଅନୁଯାୟୀ, ଚଳିତ ବର୍ଷ ଜାନୁଆରିରେ ବସଷ୍ଟାଣ୍ଡର ନବକଳେବର କରାଇବାକୁ ନେଇ ଦୋକାନୀମାନଙ୍କୁ ଜାଗା ଖାଲି କରିବା ପାଇଁ ନୋଟିସ୍ ଆସିଥିଲା । ତେବେ ଏହା ବିରୋଧରେ ସଂଘ କୋର୍ଟରେ କେସ୍ ନଂ ୨୫୫୨ ଏତଲା ଦାଏର କରିଥିଲା । ପରେ ହାଇକୋର୍ଟ ବ୍ୟବସାୟୀଙ୍କୁ ଥଇଥାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହା ସହ ମାମଲାର ରାୟକୁ ମଧ୍ୟ ସଂରକ୍ଷିତ କରି ପୂର୍ବ ପରି ସ୍ଥିତାବସ୍ଥା ବଜାୟ ରଖିବାକୁ ନିର୍ଦ୍ଦେଶ ମିଳିଥିଲ। ମାତ୍ର ବସଷ୍ଟାଣ୍ଡ ଉନ୍ନତୀକରଣ ପାଇଁ କାମ କରୁଥିବା ବ୍ରିଜ୍ ଆଣ୍ଡ୍ ରୁଫ୍ କର୍ପୋରେସନ ସଂସ୍ଥା ହାଇକୋର୍ଟଙ୍କ ନିର୍ଦ୍ଦେଶାନାମାକୁ ବେଖାତିର୍ କରି ସଂପୃକ୍ତ ଦୋକାନ ଗୁଡ଼ିକ ସମ୍ମୁଖ ଖୋଳି ଗାତ କରିଦେଇଥିବାରୁ ଦୋକାନକୁ ଲୋକ ଯିବା ଆସିବା କରୁନାହାନ୍ତି। ଯାହାଦ୍ବାରା ଏହି ଛୋଟ ଛୋଟ ବ୍ୟବସାୟୀମାନେ ଗଭୀର କ୍ଷତି ସହୁଥିବା କହିଛନ୍ତି । ଏହା ସହ ଆଗାମୀ ଦିନରେ ଯଦି ସରକାର ବ୍ୟବସାୟୀମାନଙ୍କୁ ଥଇଥାନ ନକରି ଦୋକାନ ଉଚ୍ଛେଦ କରିବାକୁ ଉଦ୍ୟମ କରନ୍ତି, ତେବେ ଉକ୍ତ ୧୩୦ ପରିବାର ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।
ଏନେଇ ବିଡିଏ ଉପାଧ୍ୟକ୍ଷ ପ୍ରେମଚନ୍ଦ୍ର ଚୌଧରୀ କହିଛନ୍ତି ଯେ, ବରମୁଣ୍ଡା ବସଷ୍ଟାଣ୍ଡର ଉନ୍ନତୀକରଣ କାମ ଦୁଇଦିନ ହେଲା ଆରମ୍ଭ ହୋଇଛି। ଏବେ ଖାଲି ସ୍ଥାନରେ ନିର୍ମାଣ କାମ ଆରମ୍ଭ ହେଉଛି। ଖୁବ୍ ଶୀଘ୍ର ଖଣ୍ଡଗିରି ନିକଟସ୍ଥ ଅସ୍ଥାୟୀ ବସ୍ ଡିପୋକୁ ବସ୍ଗୁଡ଼ିକ ସ୍ଥାନାନ୍ତର ହେବ। ଏହାପରେ ଜୋରଦାର୍ କାମ ହେବ। ସେଠାରେ ବସଷ୍ଟାଣ୍ଡରେ ଏବେ ବ୍ୟବସାୟ କରୁଥିବା ବ୍ୟବସାୟୀମାନଙ୍କୁ ଓଏସ୍ଆରଟିସି ଅସ୍ଥାୟୀ ଦୋକାନ ଯୋଗାଇ ଦେବ। ଉନ୍ନତୀକରଣ ପରେ ସେମାନଙ୍କୁ ବରମୁଣ୍ଡାରେ ନୂଆ ଦୋକାନ ଘର ମିଳିବ। ଏବେ ଆମେ କୌଣସି ଦୋକାନ ଭାଙ୍ଗୁନୁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/08/baramunda-bus3.jpg)