କନକ ବ୍ୟୁରୋ : ମାଲକାନଗିରି ସହରର ୧୪ ବର୍ଷୀୟ ବାଳକ ଲକ୍ଷ୍ମଣ । ଫୋନ କଲ ପାଇବା ମାତ୍ରେ ଆନିମାଲ ଆମ୍ବୁଲାନ୍ସ ନେଇ ସହ-ଦଳବଳେ ଛୁଟି ଆସନ୍ତି । ଅସୁବିଧାରେ କିମ୍ବା କୌଣସି ଦୁର୍ଘଟଣାର ଶିକାର ହୋଇଥିବା ଗୋ-ମାତାଙ୍କ ଚିକିତ୍ସା କରନ୍ତି । ମାଲକାନଗିରି ବସଷ୍ଟାଣ୍ଡ ନିକଟରେ ବଳଦଟିଏ ଦୁର୍ଘଟଣାର ଶିକାର ହୋଇଥିବା ପାଇ ସେଠାରେ ପହଁଚି ଯାଇଛି ଲକ୍ଷ୍ମଣ ଓ ତାଙ୍କ ଟିମ୍ । ତୁରନ୍ତ ପ୍ରାଥମିକ ଚିକିତ୍ସା ଯୋଗାଇ ଦେଇଦେବା ଚିକିତ୍ସା ପରେ ଆହତ ଗାଇ-ଗୋରୁଙ୍କୁ ନିଜ ଆନିମାଲ ଶେଲଟର ହୋମକୁ ନେଇ ଯତ୍ନ କରନ୍ତି ପଶୁ ପ୍ରେମି ଲକ୍ଷ୍ମଣ ଛତ୍ରୀ ।
ଗାଇ ଗୋରୁଙ୍କ ସେବା ଲାଗି ଲକ୍ଷ୍ମଣ ବିଭିନ୍ନ ସାମାଜିକ ଗଣମାଧ୍ୟମ ଜରିଆରେ କଲ ପାଉ ଥିବା ବେଳେ ତାଙ୍କୁ ତାଙ୍କ ବାପାଙ୍କ ଦୋକାନର କର୍ମଚାରୀ ଓ ସାଙ୍ଗ ସାଥୀମାନେ ସହଯୋଗ କରନ୍ତି । ପଶୁଙ୍କ ପ୍ରାଥମିକ ଚିକିତ୍ସାର ସାମାନ୍ୟ ଜ୍ଞାନ ଆରୋହଣ କରିବା ପରେ ଗତ ଏକ ବର୍ଷ ଧରି ଗାଇ ଗୋରୁଙ୍କ ଚିକିତ୍ସା ଯୋଗାଉଛନ୍ତି ନବମ ଶ୍ରେଣୀ ଛାତ୍ର ଲକ୍ଷ୍ମଣ ଛତ୍ରୀ । ଏଥିପାଇଁ ବାପା ବିମଲ ଛତ୍ରୀ ତାଙ୍କୁ ଗୋଟିଏ ପିକଅପ୍ ଭ୍ୟାନ ଯୋଗାଇବା ସହ ଔଷଧ ପତ୍ର ପାଇଁ ମଧ୍ୟ ସମସ୍ତ ସହାୟତା କରନ୍ତି । ନିଜ ଘରେ ଗୋଟିଏ ଆନିମାଲ ଶେଲଟର ହୋମ ସହ ପ୍ରଧାନିଗୁଡା ଓ ପୋଟେରୁ ଠାରେ ମଧ୍ୟ ଶେଲଟର ହୋମ ଖୋଲିଛନ୍ତି ଲକ୍ଷ୍ମଣ ।
ମାଲକାନଗିରି ଗୋ-ସେବକ ଲକ୍ଷ୍ମଣଙ୍କ କାମକୁ ଚାରିଆଡେ ପ୍ରଶଂସା କରାଯାଉଛି । ଏଭଳି ପଦକ୍ଷେପ ପାଇଁ ନବମ ଶ୍ରେଣୀର ଛାତ୍ରଙ୍କୁ ସାବାସୀ ଦେବା ସହ ତାଙ୍କ ମହତ ଉଦେଶ୍ୟକୁ ଚାରିଆଡେ ଚର୍ଚ୍ଚା କରାଯାଉଛି ।