ରାଉରକେଲାରେ ଲମ୍ବିଚାଲିଛି ଜିଏସଟି ଠକେଇ ମାମଲାର ତାଲିକା : ପୁଣି ପରିବା ବିକାଳିଙ୍କ ନାଁରେ ୧୧୦ କୋଟି ଟଙ୍କାର ଜାଲିଆତି; ଆସିଲା ନୋଟିସ

166

କନକ ବ୍ୟୁରୋ : ରାଉରକେଲାରେ ଜିଏସଟି ଠକେଇର ନୂଆ ନୂଆ ମାମଲା ସାମ୍ନାକୁ ଆସୁଛି । ନିରୀହ, ଗରିବ ଓ ବେରୋଜଗାରଙ୍କୁ ମୋହରା ବନେଇ କିଭଳି କୋଟି କୋଟି ଟଙ୍କା ସରକାରୀ ରାଜସ୍ୱକୁ ହଡପ କରାଯାଉଛି, ତାର ଜ୍ୱଳନ୍ତ ଉଦାହରଣ ହେଉଛି ଇସ୍ପାତନଗରୀରୁ ସାମ୍ନାକୁ ଆସୁଥିବା ଗୋଟିଏ ପରେ ଗୋଟିଏ ଜିଏସଟି ଠକେଇ ମାମଲା । ସହରରେ ଜିଏସଟି ଠକେଇ ମାମଲାର ତାଲିକା ଲମ୍ବି ଲମ୍ବି ଚାଲିଥିବା ବେଳେ ଏବେ ସେଥିରେ ଜଣେ ପରିବା ବିକାଳୀଙ୍କ ନାଁ ଯୋଡ଼ି ହୋଇଯାଇଛି ।

ରାସ୍ତାକଡ଼ରେ ଏକ ଛୋଟିଆ ଗୁମୁଟିରେ ପରିବା ବିକି ଗୁଜରାଣ ମେଂଟାଉଥିବା କାର୍ତିକ କାମିଲା ନାମକ ଏହି ପରିବା ବିକାଳୀଙ୍କ ନାଁରେ ଜିଏସଟି ଠକେଇ ହୋଇଛି । ଏନେଇ ବ୍ୟବସାୟୀଙ୍କୁ ଜିଏସଟି କତୃପକ୍ଷଙ୍କ ନୋଟିସ ବି ଆସିଛି । ଉକ୍ତ ବ୍ୟବସାୟୀଙ୍କୁ କୋଏଲନଗର ସି ବ୍ଲକ ସ୍ଥିତ ମାର୍କେଟ କମ୍ପେକ୍ସର ମାଲିକ ଦର୍ଶାଇ ଲିଙ୍ଗରାଜ ଟ୍ରେଡ଼ିଂ ନାମକ ଜାଲ ବ୍ୟବସାୟିକ ସଂସ୍ଥା ପ୍ରାୟ ୧୧୦ କୋଟି ଟଙ୍କାର ବ୍ୟବସାୟ କରିଥିବା ଜଣାପଡ଼ିଛି ।

ଇନପୁଟ ଟ୍ୟାକ୍ସ କେଡ୍ରିଟ ବାବଦକୁ ଜାଲ ବ୍ୟାଙ୍କ ଆକାଉଂଟ ମାଧ୍ୟମରେ ୧୦ କୋଟିରୁ ଅଧିକ ଟଙ୍କା ହଡ଼ପ କରିଥିବା ମଧ୍ୟ ଅଭିଯୋଗ ହୋଇଛି । କିନ୍ତୁ ଉକ୍ତ କ୍ଷୁଦ୍ର ବ୍ୟବସାୟୀ ଜଣଙ୍କ ସେହି ମାର୍କେଟ କମ୍ପେକ୍ସର ମାଲିକ ନଥିବା ଜଣାପଡ଼ିଛି । ପୂର୍ବରୁ ଦିନ ମଜୁରିଆ, ରାସ୍ତାକଡ଼ରେ ଥିବା ଜଳଖିଆ ଦୋକାନୀ, ଗୁପଚୁପ ବିକାଳୀ, ଅଟୋ ଡ୍ରାଇଭର, ଠିକା ଶ୍ରମିକ, ଗୃହିଣୀ, କଲେଜ ପଢ଼ୁଆ ଛାତ୍ରଙ୍କ ନାଁ ଠକେଇ ହୋଇଥିବା ବେଳେ ଏବେ ପରିବା ବିକାଳୀ ନାଁରେ ଜିଏସଟି ଠକେଇ ମାମଲା ।