ଖୁବଶୀଘ୍ର ଆସିବ ବିଜେପିର ବିଧାନସଭା ପ୍ରାର୍ଥୀ ତାଲିକା । ୭୦ରୁ ଅଧିକ ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଚୂଡାନ୍ତ ହୋଇଥିବା ସୂଚନା ।

କେଉଁ ବର୍ଗଙ୍କୁ ଗୁରୁତ୍ୱ ଦେବ ଦଳ, ତା ଉପରେ ନଜର

806

କନକ ବ୍ୟୁରୋ: ଯଦିଓ ରାଜ୍ୟରେ ବିଜେପି ଆଗ ଲୋକସଭା ପ୍ରାର୍ଥୀ ଘୋଷଣା କରିଛି କିନ୍ତୁ ବିଧାୟକ ପ୍ରାର୍ଥୀ ଘୋଷଣା କରିନି । ଏପରି ସ୍ଥିତିରେ ଖୁବଶୀଘ୍ର ବିଜେପି ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରିବ ବୋଲି ଜଣାପଡିଛି । ତେବେ ଗତକାଲି ବିଳମ୍ବିତ ରାତିରେ ଦିଲ୍ଲୀରେ ବିଜେପିର ବୈଠକ ବସିଥିଲା । ଏହି ବୈଠକରେ ଟିକେଟ୍ କାହାକୁ ମିଳିବ ଏବଂ କାହାର କଟିବ ସେ ବାବଦରେ ଆଲୋଚନା ହୋଇଛି । ଅନ୍ୟପଟେ କଟକ, କନ୍ଧମାଳ ଏବଂ ଯାଜପୁର ଲୋକସଭା ଆସନ ପାଇଁ କିଏ ହେବେ ବିଜେପି ପ୍ରାର୍ଥୀ ତା ଉପରେ ମଧ୍ୟ ରହିଛି ନଜର ।

ଦିଲ୍ଲୀରେ ରାଜ୍ୟ ବିଜେପି ନେତାଙ୍କ ସହ କେନ୍ଦ୍ରୀୟ ନେତୃତ୍ୱଙ୍କ ମାରାଥନ ବୈଠକ ବସିଛି । ଗୁରୁବାର ବିଳମ୍ବିତ ରାତି ଯାଏଁ ଓଡିଶାର ପ୍ରତିଟି ବିଧାନସଭା ପାଇଁ ସମ୍ଭାବ୍ୟ ପ୍ରାର୍ଥୀଙ୍କ ଉପରେ ବିଚାର ବିମର୍ଶ କରାଯାଇଛି ।

  • ଟିକେଟ ପାଇଁ ଦିଲ୍ଲୀରେ ଅଙ୍କକଷା
  • ଖୁବଶୀଘ୍ର ଆସିବ ବିଜେପି ପ୍ରାର୍ଥୀ ତାଲିକା

କୁହାଯାଉଛି ରାଜ୍ୟ ସଭାପତି ଦେଇଥିବା ତାଲିକା ଉପରେ ବାଜିଛି ଚୂଡାନ୍ତ ମୋହର । କେବଳ ଔପଚାରିକ ଘୋଷଣା ବାକିଥିବା ବେଳେ କାହାକୁ ଟିକେଟ୍ ମିଳିଛି ଏବଂ କାହାର କଟିଛି, ସେ ସଂପର୍କରେ କାହା ପାଖରେ ନାହିଁ ଖବର । ପୂର୍ବରୁ ୨୧ ଲୋକସଭା ଆସନରୁ ବିଜେପି ୧୮ ଆସନରେ ପ୍ରାର୍ଥୀ ଘୋଷଣା କରିସାରିଛି । ବାକି ୩ ଲୋକସଭା ଆସନରେ କାହାକୁ ମିଳୁଛି ଟିକେଟ ତା ଉପରେ ନଜର ରହିଛି । ଏପଟେ ୧୪୭ ବିଧାନସଭାର ସମ୍ଭାବ୍ୟ ତାଲିକା ମଧ୍ୟରୁ ୭୦ରୁ ଅଧିକ ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଚୂଡାନ୍ତ ହୋଇଛି ।

  • ବିଜେପି ଟିକେଟ ରଣନୀତି
  • କେଉଁ ବର୍ଗଙ୍କୁ ଗୁରୁତ୍ୱ ଦେବ ଦଳ?

ଚର୍ଚ୍ଚା ହେଉଛି ବିଧାନସଭା ଆସନ ପାଇଁ ମହିଳାଙ୍କ ଉପରେ ଏଥର ଦଳର ଫୋକସ ରହିବ । କାରଣ ନାରୀଶକ୍ତି ବନ୍ଦନ ଅଧିନିୟମ ବିଧେୟକ ଆଣିଛି ବିଜେପି । ତେଣୁ ଦଳର ୩୩ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥାରେ ମହିଳା ପ୍ରାର୍ଥୀଙ୍କୁ ଅଧିକ ଗୁରୁତ୍ୱ ଦେଇପାରେ । ଏହାଛଡା ରାଜ୍ୟରେ ୧ କୋଟି ୬୩ ଲକ୍ଷରୁ ଅଧିକ ମହିଳା ଭୋଟର ରହିଛନ୍ତି, ତା ସହିତ ୭୦ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀ ଉପରେ ଦଳର ଆଖି ରହିବ ।

ସେହିପରି ରାଜ୍ୟର ୭ ଲକ୍ଷ ୫୫ ହଜାର ଯୁବ ଭୋଟରଙ୍କୁ ମନାଇବାକୁ ଯୁବ ପ୍ରାର୍ଥୀଙ୍କୁ ମଧ୍ୟ ବିଜେପି ଗୁରୁତ୍ୱ ଦେଇପାରେ । ରୋଜଗାର ମେଳା, ଷ୍ଟାର୍ଟଅପ୍, ମୁଦ୍ରାଲୋନ ଭଳି ଯୋଜନା ଜରିଆରେ ଯୁବବର୍ଗଙ୍କ ନିକଟତର ହୋଇଥିବା ବିଜେପି ଏବେ ଭୋଟ ହାତେଇବାକୁ ଉଦ୍ୟମ କରିବ । ଅନ୍ୟପଟେ ୨୦୧୯ ନିର୍ବାଚନରେ କମ ବ୍ୟବଧାନରେ ହାରିଥିବା ନେତାଙ୍କୁ ବିଜେପି ରିପିଟ୍ କରିପାରେ । ରାଜ୍ୟର ୫୯ ଆସନରେ ୧୦ ହଜାରରୁ କମ ବ୍ୟବଧାନରେ ହାରିଥିବା ପ୍ରାର୍ଥୀଙ୍କୁ ଦଳ ପୁଣିଥରେ ସୁଯୋଗ ଦେଇପାରେ । ତେବେ ଟିକେଟ ଚର୍ଚ୍ଚା ଭିତରେ ରାଜ୍ୟ ବିଜେପିର ଆଖି ରହିବ ବିଜେଡି ଓ କଂଗ୍ରେସ ଉପରେ । ଦଳରୁ ଟିକେଟ ପାଉନଥିବା ଏବଂ ଅସନ୍ତୁଷ୍ଟ ନେତାଙ୍କୁ ବିଜେପି ନିଜ ଶିବିରକୁ ଆଣି ନିର୍ବାଚନ ଲଢେଇ ପାଇଁ ସୁଯୋଗ ଦେଇପାରେ ।