ରାସ୍ତାରେ ଚାଲିଲେ ମଦ ମାଫିଆ । ଗାଁରେ ମଦ ବିକ୍ରି ବନ୍ଦ କରିବାକୁ ବାରମ୍ବାର ମନା କଲା ପରେ ବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ନାହିଁ ପୋଲିସ, ଆଇନକୁ ହାତକୁ ନେଲେ ଗ୍ରାମବାସୀ

356

କନକ ବ୍ୟୁରୋ : ମଦ ମାଫିଆଙ୍କୁ ରାସ୍ତାରେ ଚଲାଇଲେ ମହିଳା । ଏମିତି ଏକ ଚିତ୍ର ଭଦ୍ରକ ଜିଲ୍ଲା ତିହିଡି ଥାନା କୋହ୍ଲକମାରିଆ ଗାଁରୁ ଆସିଛି । ଗାଁରେ ମଦ ବିକ୍ରି ବନ୍ଦ କରିବା ପାଇଁ ବାରମ୍ବାର ପୁଲିସକୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିଲା । ଏଥିରେ ଅସନ୍ତୁଷ୍ଟ ଗ୍ରାମବାସୀ ଏବେ ଆଇନକୁ ହାତକୁ ନେଇଛନ୍ତି ।

ଗାଁକୁ ମଦ ବିକ୍ରି କରିବାକୁ ଆସିଥିବା ମାଫିଆଙ୍କୁ କାବୁ କରି ବେକରେ ମଦ ପେଟି ଝୁଲାଇ ମହିଳାମାନେ ରାସ୍ତାରେ ଏଭଳି ଚଲାଇ ଚଲାଇ ନେଇଛନ୍ତି । ଝାଡୁରେ ପିଟିବା ସହ ତିହିଡି ଥାନାକୁ ଆଣି ପୁଲିସ ଜିମା ଦେଇଛନ୍ତି । ଏପରିକି ଜବତ ମଦକୁ ଥାନା ସମ୍ମୁଖରେ ଢାଳି ଦେଇଛନ୍ତି । ଏହି ଘଟଣା ଏବେ ଚର୍ଚାର ବିଷୟ ପାଲଟିଥିବା ବେଳେ ମଦ ମାଫିଆ ଗୋରା ସାହାକୁ ଗିରଫ କରି ତିହିଡି ପୁଲିସ ତଦନ୍ତ ଆରମ୍ଭ କରିଛି ।