ସୀମା ବିବାଦକୁ ନେଇ ଚୀନ ଓ ପାକିସ୍ତାନ ଉପରେ ଗର୍ଜିଲେ ବିପିନ ରାୱତ୍ । ହିଂସା ପାଇଁ ପାକିସ୍ତାନକୁ ସାହାଯ୍ୟ କରୁଛି ଚୀନ । ସାମ୍ଭାବ୍ୟ ଯୁଦ୍ଧକୁ ଏଡାଇ ଦିଆଯାଇ ନପାରେ

195

କନକ ବ୍ୟୁରୋ : ଚୀନ ଓ ଭାରତ ମଧ୍ୟରେ ସୀମା ବିବାଦକୁ ନେଇ ଚାଲିଥିବା ଲଢେଇର ଅବସାନ ପାଇଁ ଅଷ୍ଟମ ପର୍ଯ୍ୟାୟ କମାଣ୍ଡର ସ୍ଥରୀୟ ଆଲୋଚନା ଅବ୍ୟାହତ ରହିଛି । ଠିକ୍ ଏହି ସମୟରେ ଭାରତର ଚିଫ୍ ଡିଫେନ୍ସ ଷ୍ଟାଫ୍ (ସିଡିଏସ୍‌) ଜେନେରାଲ ବିପିନ ରାୱତଙ୍କ ବୟାନକୁ ନେଇ ଭାରତୀୟ ମାନେ ଭୟଭିତ ହୋଇଛନ୍ତି । ‘ନ୍ୟାସନାଲ ଡିଫେନ୍ସ କଲେଜ’ ର ହୀରକ ଜୟନ୍ତୀ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଶ୍ରୀ ରାୱତ କହିଛନ୍ତି କି ପୂର୍ବ ଲଦାଖରେ ପରିସ୍ଥିତି ଏବେବି ଉତ୍ତେଜନାପୂର୍ଣ୍ଣ ରହିଛି । ହେଲେ ଏଠାରେ ଭାରତୀୟ ସୈନ୍ୟମାନେ ଯେଭଳି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ତାହା ଦେଖି ଚୀନର ପିପୁଲ୍ସ ଲିବରେସନ ଆର୍ମି ଅପ୍ରତ୍ୟାଶିତ ପରିଣାମର ସମ୍ମୁଖୀନ ହେଉଛନ୍ତି । କୌଣସି ପରିସ୍ଥିତିରେ ବି ଭାରତ ଏଲଏସିର କୌଣସି ପରିବର୍ତନକୁ ସ୍ୱୀକାର କରିବ ନାହିଁ । ଏହି କାରଣରୁ ଚୀନ ସହ ସାମ୍ଭାବ୍ୟ ଯୁଦ୍ଧକୁ ଏଡାଇ ଦିଆଯାଇ ପାରିବ ନାହିଁ ବୋଲି ସେ କହିଛନ୍ତି ।

ଏହା ସହ ଶ୍ରୀ ରାୱତ କହିଛନ୍ତି କି ଏଥିପାଇଁ ଦେଶର ଲୋକ ଓ ସେନାଙ୍କୁ ପ୍ରସ୍ତୁତ ରହିବାକୁ ପଡିବ । ସୀମାରେ ସୁଡଙ୍ଗ ତିଆରି ସହ ଯୁଦ୍ଧ ପାଇଁ ପ୍ରସ୍ତୁତି ଜାରି ରହିଛି । ଏହାକୁ ନଜର କଲେ ଯେ କୌଣସି ସମୟରେ ଚୀନ ସହ ଏକ ବଡ ସଂଘର୍ଷକୁ ଏଡାଇ ଦିଆଯାଇ ନପାରେ । ଚୀନ ସରକାର ସୀମାନ୍ତ ଆଇନର ଉଲଙ୍ଘନ, ସୀମାରେ ଅନାବଶ୍ୟକ ସଂଘର୍ଷ ଓ ଷଡଯନ୍ତ୍ର ସମୟକ୍ରମେ ବଡ ବିବାଦ ଆଡକୁ ଟାଣି ନେଉଛି । ଚୀନ ନିଜେ ଅଡୁଆ ଭିତରକୁ ପଶୁଥିବା ବେଳେ ପାକିସ୍ତାନକୁ ଉସକାଇ ଏହି ବିବାଦକୁ ଆହୁରି ଜଟିଳ କରିବାରେ ଲାଗିଛି । ସାମଗ୍ରିକ ନିରାପତ୍ତା ଆକଳନ ଅନୁସାରେ ବିବାଦକୁ ମେଣ୍ଟାଇ ହେବ ନାହିଁ । ଏନେଇ ଭାରତର ଆଭିମୁଖ୍ୟ ଓ ଆଚରଣ ଏବେ ବି ଅତ୍ୟନ୍ତ ସ୍ପଷ୍ଟ ରହିଛି । ଅନ୍ୟପଟେ ଜମ୍ମୁ କାଶ୍ମୀରରେ ପାକିସ୍ତାନ ତରଫରୁ କ୍ରମାଗତ ଭାବେ ସୀମାରେ ଅନୁପ୍ରବେଶ କରିବା ସହ ଅଶାନ୍ତି ସୃଷ୍ଟି କରୁଛି । ପାକିସ୍ତାନ ସଶସ୍ତ୍ର ବିଦ୍ରୋହ ଓ ଆତଙ୍କବାଦର ପେଣ୍ଠସ୍ଥଳୀ ପାଲଟିଛି । ଭାରତରେ ସାମାଜିକ ବିଭେଦ ସୃଷ୍ଟି କରିବାକୁ ପାକିସ୍ତାନ ସାମ୍ପ୍ରଦାୟିକତାର ମିଥ୍ୟା ପ୍ରଚାର ଚଳାଉଛି । ଏଥିପ୍ରତି ଦେଶବାସୀ ସତର୍କ ରହିବାକୁ ଶ୍ରୀ ରାୱତ ପରାମର୍ଶ ଦେଇଛନ୍ତି ।