ଶ୍ରୀମନ୍ଦିର ଚାରିପାଶ୍ୱର୍ରେ ଆଲୋକୀକରଣ ବ୍ୟବସ୍ଥା ବନ୍ଦ । ସବୁ ଲାଇଟ୍ ଖୋଲିନେଲେ ଠିକାଦାର । ସରକାର ବଦଳିବା ପରେ ଏଭଳି ହୋଇଥିବା ଅଭିଯୋଗ

6,405

କନକ ବ୍ୟୁରୋ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଅବସରରେ ଶ୍ରୀମନ୍ଦିରକୁ ସଂପୂର୍ଣ୍ଣ ଆଲୋକୀକରଣ କରାଯାଇଥିଲା । ଶ୍ରୀମନ୍ଦିରକୁ ଆଲୋକୀକରଣ ପାଇଁ ଚାରିପାର୍ଶ୍ୱରେ ଏକାଧିକ ଫୋକସିଂ ଲାଇଟ୍ ଲଗାଯାଇଥିଲା । ଏଭଳି ଆଲୋକୀକରଣ କରାଯାଇଥିଲା ଯେ ମେଘନାଦ ପାଚେରିଠାରୁ ଶ୍ରୀମନ୍ଦିର ନୀଳଚକ୍ର ପର୍ଯ୍ୟନ୍ତ ସ୍ପଷ୍ଟ ଦୃଶ୍ୟମାନ ହେଉଥିଲା । ଘନ ଅନ୍ଧକାରରେ ବି ଶ୍ରୀମନ୍ଦିର ସୌନ୍ଦର୍ଯ୍ୟ ଦୂରକୁ ସ୍ପଷ୍ଟ ଦୃଶ୍ୟମାନ ହେଉଥିଲା । ଶ୍ରୀମନ୍ଦିର କୁରୁମ ବେଢ଼ାରେ ବି ଏହି ଲାଇଟ୍ ଲଗାଯାଇଥିଲା । କିନ୍ତୁ ସରକାର ବଦଳିବା ପରେ ପରେ ଏହି ଆଲୋକୀକରଣ ବ୍ୟବସ୍ଥାକୁ ବନ୍ଦ କରି ଦିଆଯାଇଛି । ଆଉ ପୂର୍ବଭଳି ଶ୍ରୀମନ୍ଦିର ଆଲୋକମାଳାରେ ଝଲସୁନି । ଜାଣିଶୁଣି ଠିକାଦାର ଏଭଳି ଆଲୋକୀକରଣ ବ୍ୟବସ୍ଥାକୁ ବନ୍ଦ କରି ଦେଇଛନ୍ତି ଓ ଲାଇଟ୍ ସବୁ ଖୋଲି ନେଇଯାଇଛନ୍ତି ବୋଲି ଅଭିଯୋଗ ହୋଇଛି । ଶ୍ରୀମନ୍ଦିରକୁ ଆଲୋକୀକରଣ ପାଇଁ ଉତ୍ତରଦ୍ୱାର, ଦକ୍ଷିଣଦ୍ୱାର, ପଶ୍ଚିମଦ୍ୱାରରେ ବକ୍ସ ଭଳି ଏକାଧିକ ସ୍ଥାନରେ ବଡ଼ ବଡ଼ ଫୋକସିଂ ଲାଇଟ୍ ସବୁ ଲାଗିଥିଲା । ଏହି ଉଚ୍ଚକ୍ଷମତା ସଂପନ୍ନ ଲାଇଟ୍ ସିଧାସଳଖ ଶ୍ରୀମନ୍ଦିର ଓ ନୀଳଚକ୍ରରେ ପଡ଼ୁଥିଲା । ଏଥିରେ ଶ୍ରୀମନ୍ଦିର ସୌନ୍ଦର୍ଯ୍ୟ ଫୁଟି ବାହାରକୁ ସ୍ପଷ୍ଟ ଦୃଶ୍ୟମାନ ହେଉଥିଲା । ଶୁଣିବାକୁ ମିଳିଛି, ୪ ତାରିଖ ଫଳାଫଳ ଘୋଷଣା ପରେ ଏହି ଲାଇଟକୁ ଲଗାଇଥିବା ଠିକାଦାର ଖୋଲି ନେଇଛନ୍ତି । ଫଳରେ ଶ୍ରୀମନ୍ଦିର ଏବେ ଅନ୍ଧକାରମୟ ଦେଖାଯାଉଛି । ଏହାକୁ ନେଇ ଭକ୍ତ ଓ ସେବାୟତଙ୍କ ମହଲରେ ଅସନ୍ତୋଷ ଦେଖାଦେଇଛି । ତୁରନ୍ତ ଏହି ଆଲୋକୀକରଣ ବ୍ୟବସ୍ଥା ଚାଲୁ କରିବାକୁ ଦାବି କରିଛନ୍ତି ।