କନକ ବ୍ୟୁରୋ: ଶିକାରୀ ବିଛାଇଥିବା କରେଣ୍ଟ ତାର ଲାଗି ଚାଲିଗଲା ଜୀବନ । ପରିବାର ଜାଣିଦେବା ଭୟରେ ମୃତଦେହକୁ ପୋତିଦେଲେ ଶିକାରୀ । ଏପଟେ ପରିବାର ଲୋକ ନିଖୋଜ ଭାବି ଖୋଜିବାର ବ୍ୟସ୍ତ ଥିଲେ । ୭ ମାସ ପରେ ମାଟି ତଳୁ ମୃତକଙ୍କ କଙ୍କାଳ ଉଦ୍ଧାର କଲା ପୋଲିସ । ଢ଼େଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବାଲିପସି ଗାଁରେ ଘଟିଛି ଏହି ଘଟଣା । ଗାଁର ସନାତନ ବେହେରା ଶୌଚ ପାଇଁ ଯାଇଥିବା ବେଳେ ଶିକାରୀ ବାରାହ ଶିକାର ପାଇଁ ବିଛାଇ ଥିବା କରେଣ୍ଟ ତାର ଲାଗି ତାଙ୍କ ମୃତ୍ୟୁ ହୋଇଥିଲା । ଆଉ ଏହି ଘଟଣାକୁ ଲୁଚାଇବାକୁ ମୃତଦେହ ପୋତିଦେଲେ ଶିକାରୀ ।

Advertisment

ସେପଟେ ପତ୍ନୀ ରୀନା ବେହେରା ସ୍ୱାମୀଙ୍କୁ ଖୋଜାଖୋଜି କରିବା ପରେ ଥାନାରେ ଅଭିଯୋଗ କରିଥିଲେ । ହେଲେ ସ୍ୱାମୀଙ୍କର କୌଣସି ଖୋଜ ଖବର ମିଳିନଥିଲା । କିଛି ଦିନ ତଳେ ଜଣେ ଅଭିଯୁକ୍ତ ରୀନାଙ୍କୁ ତାଙ୍କ ସ୍ୱାମୀଙ୍କୁ ମାରିଦେଇଥିବା କହିବା ପରେ ପୁଣି ଥରେ ଥାନାର ଦ୍ୱାରସ୍ତ ହୋଇଥିଲେ ମୃତ ସନାତନଙ୍କ ପରିବାର । ଘଟଣାରେ ପୋଲିସ ତଦନ୍ତ କରି ୨ଜଣଙ୍କୁ ଗିରଫ କରିଥିବା ବେଳେ ଜଣେ ଫେରାର ଥିବା ସୂଚନା ରହିଛି । ଆଜି ଘଟଣା ସ୍ଥଳରେ ସାଇଣ୍ଟିଫିକ୍ ଟିମ୍, ମାଜିଷ୍ଟେଟଙ୍କ ଉପସ୍ଥିତିରେ ସନାତନଙ୍କୁ ପୋତାଯାଇଥିବା ସ୍ଥାନରୁ ମାଟି ଖୋଳି କଙ୍କାଳ ଉଦ୍ଧାର କରିଥିଲା ପୋଲିସ ।