କନକ ବ୍ୟୁରୋ: ରଙ୍ଗୀନ ଦୁନିଆକୁ ଦେଖିବା ଆଗରୁ ରଙ୍ଗହୀନ କଅଁଳ ଶିଶୁଙ୍କ ଜୀବନ... । ଆଖିରୁ ହଜିଯାଉଛି ଜ୍ୟୋତି,  ଅନ୍ଧାକାର ହୋଇଯାଉଛି ଜୀବନ.. । ବାପା-ମାଆଙ୍କ କୋଳରେ ଥାଇ ହୁଏତ ଏମାନେ କହୁଥିବେ, ଆମକୁ ଡାକ୍ତରଖାନା ନିଅ, ଆମ ଆଖିର ଚିକିତ୍ସା କରାଅ, ଆମେ ସୁସ୍ଥ ହୋଇ ଏଇ ସୁନ୍ଦର ଦୁନିଆକୁ ଦେଖିବୁ । କଅଁଳ ଶିଶୁଙ୍କ ଏ ଅକୁହା ବେଦନକୁ ବାପା-ମାଆ ବି ବେଶ ଭଲଭାବେ ବୁଝିପାରୁଛନ୍ତି । ଦିନରାତି ପିଲାଙ୍କୁ ଦେଖି ଆଖିରୁ ଲୁହ ଗଡାଉଛନ୍ତି । ହେଲେ ଅର୍ଥାଭାବ ସେମାନଙ୍କ ଗୋଡରେ ବେଢି ହୋଇରହିଛି ।

Advertisment

ବାପା-ମାଆଙ୍କ କୋଳରେ ଅଛନ୍ତି ଯାଆଁଳା ଶିଶୁପୁତ୍ର । ଦୁନିଆର ସବୁଠାରୁ ସୁରକ୍ଷିତ ସ୍ଥାନରେ ଥାଇ ବି ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ଦୁଇ ନିଷ୍ପାପ ଶିଶୁ । ବିଧିର ବିଧାନ କେଡେ ବିଚିତ୍ର, ଦୁନିଆ କଣ ଜାଣିବା ଆଗରୁ ଚକ୍ଷୁ କର୍କଟ ରୋଗରେ ପୀଡିତ ଏମାନେ । ଦୁଇ ପୁଅଙ୍କୁ ଦେଖି ଅହରହ ଆଖିରୁ ଲୁହ ଗଡାଉଛନ୍ତି ଅଟୋ ଚାଳକ ବାପା ଜିତେନ୍ଦ୍ର ଓ ମାଆ ଝୁମୁରି । ପିଲାଙ୍କ ଚିକିତ୍ସା କ୍ଷେତ୍ରରେ ନିଜର ଅକ୍ଷମତାକୁ ପ୍ରକାଶ କରି ସହାୟତା ପାଇଁ ଆକୁଳ ନିବେଦନ କରିଛନ୍ତି ଗଂଜାମ ବେଗୁନିଆପଡା ବ୍ଲକ କେ.ବରିଡା ଗାଁର ଜିତେନ୍ଦ୍ର ବେହେରା ।

ଦୁଇ ଝିଅଙ୍କ ପରେ ଜନ୍ମ ହୋଇଛନ୍ତି ଯାଆଁଳା ପୁଅ । ପୁଅ ଜନ୍ମ ହେବା ପରେ ଘର ହସ ଖୁସିରେ ଭରି ଯାଇଥିଲା । ସ୍ନେହରେ ପୁଅଙ୍କ ନାଁ ଶିବାଂଶୁ ଓ ଦେବାଂଶୁ ରଖିଥିଲେ ବାପା-ମାଆ । ହେଲେ ସେ ଖୁସି ବେଶ ଦିନ ରହିଲା ନୁହେଁ । ପରିବାର ପାଇଁ ଖୁସି ଆଣିଥିବା ଦୁଇ ଶିଶୁଙ୍କ ଦୁନିଆ ଅନ୍ଧାର ହୋଇଗଲା.. । ଜନ୍ମର ୮ ମାସ ପରେ ପ୍ରଥମେ ଦେବାଂଶୁ ଆଖି ଧଳା ପଡିଲା, ତାକୁ ଡାକ୍ତରଖାନାକୁ ନେଇ ଚିକିତ୍ସା କରିବା ସମୟରେ ଶିବାଂଶୁ ଠାରେ ମଧ୍ୟ ସମାନ ସମସ୍ୟା ଦେଖାଗଲା । ଆଉ ଚିକିତ୍ସା କରୁଥିବା ଡାକ୍ତର କହିଲେ, ପିଲା ଦୁଇ ଜଣଙ୍କୁ ଚକ୍ଷୁ କର୍କଟ ହୋଇଛି । ସେମାନଙ୍କ ଚିକିତ୍ସା ପାଇଁ ଲକ୍ଷାଧିକ ଟଙ୍କାର ଆବଶ୍ୟକ । ଏହା ଶୁଣିବା ପରେ ବାପା-ମାଆଙ୍କ ସୁଖ ସବୁ ଲୁହରେ ବଦଳିଯାଇଛି ।

ପିଲାଙ୍କୁ କେମୋ ଦେବା ପାଇଁ ଡାକ୍ତର କହିଥିବା ବେଳେ ଆପଣମାନଙ୍କ ସହଯୋଗ ଅପେକ୍ଷାରେ ଅଛନ୍ତି ଏହି ଦୁଇ ନିଷ୍ପାପ ଶିଶୁ । ତେବେ ସରକର କି ବେସରକାରୀ ସୂତ୍ରରୁ ସାହାଯ୍ୟ ମିଳିଲେ ଦୁଇ ନିଷ୍ପାପ ଶିଶୁଙ୍କ ଜୀବନ ବଂଚି ଯାଆନ୍ତା । କେହି ସହଯୋଗ କରିବାକୁ ଚାହୁଁଥିଲେ ଜିତେନ୍ଦ୍ରଙ୍କୁ ଯୋଗାଯୋଗ କରି ଏହି ଆକାଉଂଟରେ ସହଯୋଗ କରିପାରିରେ ।