କନକ ବ୍ୟୁରୋ : ଦୁଇଟି ବିସ୍ଫୋରଣରେ ଦୋହଲି ଗଲା ଲେବାନନ ରାଜଧାନୀ ବିରୁଟ୍ । ମାତ୍ର ୧୫ ମିନିଟ୍ ବ୍ୟବଧାନରେ ଦୁଇଟି ଶକ୍ତିଶାଳୀ ବିସ୍ଫୋର ଲେବାନନ ରାଜଧାନୀକୁ ଛାରଖାର କରିଦେଇଛି । ଏହି ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ପ୍ରାୟ ୨୪୦ କିଲୋମିଟର ଦୂର ଯାଏଁ ଏହାର ଶବ୍ଦ ଶୁଭିଥିବା କୁହାଯାଇଛି । ଜାତୀୟ ଗଣମାଧ୍ୟମ ସୂଚନା ଅନୁସାରେ ବିସ୍ଫୋରଣରେ ୭୦ ଜଣଙ୍କ ମୃତ୍ୟୁ ହୋଇଛି , ୩ ହଜାର ୫ ଶହରୁ ଅଧିକ ଲୋକ ଆହତ ହୋଇଛନ୍ତି । ଶହ ଶହ ଲୋକ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତି ହୋଇଥିବାରୁ ଆଗକୁ ମୃତ୍ୟୁ ସଂଖ୍ୟା ବଢିବା ଆଶଙ୍କା ରହିଛି ।
ଗୋଟିଏ ସହର ଭିତରେ ଅନ୍ୟ ବିସ୍ଫୋରଣଟି ବନ୍ଦର ନିକଟରେ ଘଟିଛି । ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ପ୍ରାୟ ଶହେ ମିଟର ଉପରକୁ ଉଠି ଯାଇଥିଲା ସମୁଦ୍ରର ପାଣି । ସେହିପରି ଅନ୍ୟ ବିସ୍ଫୋରଣରେ ଦେଖିବାକୁ ମିଳିଛି ଧୂଆଁର ଏକ ବିଶାଳ ବଳୟ ପ୍ରଥମେ ଉଠିବା ପରେ ପରେ ଲାଲ ରଙ୍ଗର ବିଶାଳ ଧୂଆଁ ଓ ବାଲି ମିଶା ବଳୟ ସହରକୁ ଛାଇ ଯାଇଥିଲା । ଏହି ବିସ୍ଫୋରଣ ପରେ ପରେ ଲେବାନନରେ ଜରୁରୀ ସ୍ଥିତି ଜାରି ହୋଇଛି । ଘଟଣା ନେଇ ଲେବାନନ ପ୍ରଧାନମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି ରାଷ୍ଟ୍ରପତି । ଲେବାନନ ପ୍ରଧାନମନ୍ତ୍ରୀଙ୍କ ସୂଚନା ଅନୁସାରେ ଦୀର୍ଘ ଦିନରୁ ଏକ ପରିତ୍ୟକ୍ତ ଓୟାର ହାଉସ ରହିଥିଲା ।
ସେଠାରେ ବିସ୍ଫୋରକ ଭରି ରହିଥିଲା । ତେବେ ଏହି ବିସ୍ଫୋରଣରେ ପ୍ରାୟ ୨ ହଜାର ୭୫୦ ଟନ୍ ସୋଡିୟମ ନାଇଟ୍ରେଟ୍ ବ୍ୟବହାର ହୋଇଥିବା ଲେବାନନ ପ୍ରଧାନମନ୍ତ୍ରୀ ପୁଷ୍ଟି କରିଛନ୍ତି । ଫଳରେ ଦେଖୁ ଦେଖୁ ଦୁଇଟି ବିସ୍ଫୋରଣରେ ପୁରା ସହର ଛାରଖାର ହୋଇଯାଇଛି । ସହରର ଉଚ୍ଚ ଅଟାଳିକା ଗୁଡିକର କାଚ ଭାଂଗି ଯାଇଛି । ହଜାର ହଜାର ଘର ବିସ୍ଫୋରଣ ତୀବ୍ରତାରେ ଭୁଷୁଡି ପଡିଛି । ଗାଡି ଗୁଡିକ ମଧ୍ୟ ଦୂରକୁ ଉଠିଯାଇ ପିଟି ହୋଇ ଓଲଟି ପଡିଛି ।
ତେବେ ଲେବାନନ ସୁରକ୍ଷା ପ୍ରମୁଖଙ୍କ ସୂଚନା ଅନୁସାରେ କିଛି ସମୟ ଆଗରୁ ବନ୍ଦରରେ ଏକ ଜାହାଜକୁ ଜବତ କରାଯାଇଥିଲା । ଏଥିରେ ଶକ୍ତିଶାଳୀ ବିସ୍ଫୋରଣ ଘଟିଛି । ତେଣୁ ଏଥିରେ ଅତ୍ୟନ୍ତ ବିସ୍ଫୋରକ ସାମଗ୍ରୀ ଥିବା ସନ୍ଦେହ କରାଯାଉଛି । ଏହି ବିସ୍ଫୋରଣର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଦେଖଣାହାରୀଙ୍କ କହିବା କଥା ୧୯୫୦ ଦଶକରେ ଲେବାନନରେ ଗୃହ ଯୁଦ୍ଧ ସମୟରେ ମଧ୍ୟ ଏପରି ଶକ୍ତିଶାଳୀ ବିସ୍ଫୋରଣ ଦେଖିବାକୁ ମିଳିନଥିଲା ।