ଗର୍ଜିଲା ବହୁତ, ବର୍ଷିଲା କମ୍ । ୬ ବର୍ଷ ମଧ୍ୟରେ ସବୁଠାରୁ କମ୍ ବର୍ଷା ସହ ଫେରିଗଲା ମୌସୁମୀ

7,481

କନକ ବ୍ୟୁରୋ : ସାମାନ୍ୟ ବର୍ଷା, ପ୍ରବଳ ଆଦ୍ରତା ଏବଂ ଅଧିକ ହାରାହାରି ତାପମାତ୍ରା ସହ ଆସିଥିବା ମୌସୁମୀ ସେପ୍ଟେମ୍ବର ମାସ ସରୁ ସରୁ ଭାରତରୁ ବିଦାୟ ନେଇଛି । ହେଲେ ଚଳିତ ଥର ମୌସୁମୀ ବର୍ଷା ଯେତିକି ହୋଇଛି ତାହା ଗତ ୬ବର୍ଷ ମଧ୍ୟରେ ସର୍ବନିମ୍ନ ବୃଷ୍ଟିପାତ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ଚନ୍ଦ୍ରଶେଖର ଆଜାଦ କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ପାଣିପାଗ ରିପୋର୍ଟ ମୁତାବକ ଗତ ୪ମାସ ମଧ୍ୟରେ ସମୁଦାୟ ବୃଷ୍ଟିପାତ ୭୨୮.୭ ମିଲିମିଟର ଥିଲା, ଯାହା କି ଗତବର୍ଷ ତୁଳନାରେ ୨୯୬.୯ ମିଲିମିଟର କମ୍ ।

କମ୍ ବର୍ଷାର କାରଣ ଏଲ୍ ନିନୋର ପ୍ରଭାବ ବୋଲି କୁହାଯାଉଛି । ଚଳିତ ମୌସୁମୀରେ ସାମାନ୍ୟ (ଅଞ୍ଚଳ ଭିତ୍ତିରେ) ଏକ ନୂଆ ଧାରା ଦେଖିବାକୁ ମିଳିଥିଲା । ଅର୍ଥାତ ଗୋଟିଏ ସ୍ଥାନରେ ବର୍ଷା ହେଉଥିବା ବେଳେ ତାର ସାମାନ୍ୟ ଦୂରରେ ଖରା ହେଉଥିଲା । ଏହା ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଦେଖିବାକୁ ମିଳିଥିଲା । ମୌସୁମୀ କାରଣରୁ ଯେତିକି ବର୍ଷା ହେବା କଥା ତା ନ ହେବାରୁ ତାପମାତ୍ରା ମଧ୍ୟ ବୃଦ୍ଧି ପାଇଥିଲା । ଫଳରେ ଗତବର୍ଷ ତୁଳନାରେ ସମାନ ସମୟରେ ହାରାହାରି ତାପମାତ୍ରା ଅଧିକ ରହିଥିଲା ।

ଗତ ୬ବର୍ଷରେ ସମଗ୍ର ବର୍ଷର ହାରାହାରି ତାପମାତ୍ରା ପ୍ରାୟ ୩୦ ରୁ ୩୧ ଡିଗ୍ରୀ ସେଲସିୟସ ରହିଥିବା ବେଳେ ଜୁଲାଇ ମାସର ତଥ୍ୟ ଆଧାରରେ ହାରାହାରି ସର୍ବାଧିକ ତାପମାତ୍ର ୩୨ ଡିଗ୍ରୀ ସେଲସିୟସ ରହିଛି । ତେବେ କିଛି ବର୍ଷ ମଧ୍ୟରେ ଏହି ତାପମାତ୍ରା ହ୍ରାସ ପାଇବାର ସମ୍ଭାବନା ରହିଛି ।