କନକ ବ୍ୟୁରୋ: ସ୍ୱାଧୀନତାର ଦୀର୍ଘ ୭୭ ବର୍ଷ ବିତିଗଲା, ହେଲେ ମୌଳିକ ସୁବିଧା ମିଳିଲା ନାହିଁ । କେବଳ ସେତିକି ନୁହେଁ ପ୍ରଚାର ନାଁରେ ଗାଁକୁ ଆସି ଭାଇ ଭାଇ ଓ ବନ୍ଧୁ ପରିଜନଙ୍କ ମଧ୍ୟରେ ଝଗଡା ଲଗାଉଛନ୍ତି । ତେଣୁ ଆମ ମୌଳିକ ସୁବିଧା ପାଇଁ ଆମେ ଲଢିବୁ । ଏମିତି କହି ଗାଁକୁ ପ୍ରଚାର ପାଇଁ ଆସୁଥିବା ନେତାଙ୍କୁ ବିରୋଧ କରିଛନ୍ତି ଗ୍ରାମବାସୀ ।

  • ନେତାଙ୍କୁ ଜନତାଙ୍କ ଜବାବ ତଲବ
  • ‘ଦରକାର ନାହିଁ ତୁମ ସହଯୋଗ’
  • ‘ନିଜ ଅଧିକାର ପାଇଁ ନିଜେ ଲଢ଼ିବୁ’

ଗାଁର ପ୍ରବେଶ ପଥରେ ଲାଗିଛି ବ୍ୟାନର । ବ୍ୟାନରରେ ଲେଖା ହୋଇଛି ଗାଁରେ ରାଜନୈତିକ ଦଳଙ୍କ ପ୍ରଚାର ମନା । ଏହାକୁ ଟାଙ୍ଗିଛନ୍ତି ଖୋଦ୍ ଗ୍ରାମବାସୀ । ଏଭଳି ବିରୋଧ ପଛରେ ଅଛି ବର୍ଷ ବର୍ଷର ଦୁଃଖ, ଦୁର୍ଦଶା ଓ ସଂଘର୍ଷର କାହାଣୀ । ପ୍ରତି ନିର୍ବାଚନ ସମୟରେ ନେତାଏ ଗାଁକୁ ଆସନ୍ତି, ପ୍ରତିଶ୍ରୁତିର ପାହାଡ ଉପରେ ଜନତାଙ୍କୁ ଠିଆ କରି ଭୋଟ ନେଇ ଯାଆନ୍ତି । ବିଜୟ ମୁକୁଟ ପିନ୍ଧିବା ପରେ ଆଉ ଦେଖା ମିଳେ ନାହିଁ । ତେଣୁ ଏଥର ନେତାଙ୍କୁ ବିଲକୁଲ୍ ଗାଁ ଭିତରକୁ ପ୍ରବେଶ କରାଇ ଦେବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି ରାୟଗଡା କାଶୀପୁର ବ୍ଳକ ଗୋରଖପୁର ପଞ୍ଚାୟତ ଅନ୍ତର୍ଗତ କାହ୍ନୁଗୁଡା ଗ୍ରାମବାସୀ । ।

ଲୋକଙ୍କ ମୌଳିକ ଆବଶ୍ୟକତା ପୂରଣ କରିପାରୁ ନଥିବା ନେତାଏ ଗାଁରେ ପ୍ରଚାର ଆଳରେ ଭେଦଭାବ ସୃଷ୍ଟିି କରୁଛନ୍ତି । ଭାଇଚାରା ନଷ୍ଟ ହେବା ସହ ଅସନ୍ତୋଷ ଦେଖାଦେଉଛି । ରାଜନୈତିକ ଦଳର ନେତା ଓ କର୍ମୀ ଗାଁ ଏକତା ନଷ୍ଟ କରୁଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଗ୍ରାମସଭାର ନିଷ୍ପତି ଅନୁସାରେ, କୌଣସି ରାଜନୈତିକ ଦଳ କି ନେତା ନୁହେଁ, ସାମ୍ବିଧାନ ଓ ସାମ୍ବିଧାନିକ ବ୍ୟବସ୍ଥାକୁ ସମ୍ମାନ ଦେଇ ସ୍ୱାଧିନ ମତାଧିକାର ସାବ୍ୟସ୍ତ କରିବେ ବୋଲି କହିଛନ୍ତି ଗ୍ରାମବାସୀ ।

ପାହାଡ ପର୍ବତ ଘେରା କାହ୍ନୁଗୁଡା ଗାଁରେ ୧୮୦ଟି ପରିବାର ବାସ କରୁଛନ୍ତି । ପୂର୍ବରୁ ଗାଁରେ ବହୁ ସମସ୍ୟା ଥିଲା । ଗତ ଜାନୁୟାରୀ ୨୪ ତାରିଖରେ ଗାଁ ଲୋକ କାଶିପୁର ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ୩୬ ଘଣ୍ଟା ବସିବା ପରେ ଜିଲ୍ଲା ପ୍ରଶାସନ ମୌଳିକ ସୁବିଧା ଯୋଗାଇ ଦେଇଛି । ତେଣୁ ଏଥର ପ୍ରଚାର କି ନେତାଙ୍କ କଥାରେ ନୁହେଁ ନିଜ ଇଚ୍ଛାରେ ଭୋଟ ଦେବେ ବୋଲି ସ୍ଥିର କରିଛନ୍ତି ଗ୍ରାମବାସୀ ।