କନକ ବ୍ୟୁରୋ: ନେତା ନାଚିଲେ ଭୋଟ ମିଳେ କି । ନେତାଙ୍କ ନାଚକୁ ନେଇ ଏବେ ସବୁଠି ଚର୍ଚ୍ଚା । କୌଣସି ପର୍ବ ପର୍ବାଣି ହେଉ କି ସାଂସ୍କୃତିକ କାର୍ଯ୍ୟକ୍ରମ ହେଉ, ମଂଚରେ ନେତାଙ୍କ ନାଚ ଦେଖିବାକୁ ମିଳୁଛି । ଏସବୁ ଭିତରେ ଏବେ ବିଜେଡ଼ି ଓ କଂଗ୍ରେସ ନେତା ମିଶି ନାଚ କରିବା ଭିଡ଼ିଓ ଭାଇରାଲ ହେଉଛି । କଂଗ୍ରେସର ଟାଣୁଆ ନେତା ତଥା ଜୟପୁର ବିଧାୟକ ତାରା ବାହିନିପତି ଓ କୋରାପୁଟର ବିଜେଡି ବିଧାୟକ ରଘୁରାମ ପୋଡ଼ାଲଙ୍କ ନାଚ କଥା । ଜଣେ କଂଗ୍ରେସକୁ ଆଉ ଜଣେ ବିଜେଡି ନେତା, କିନ୍ତୁ ଦୁହେ ଦୁହିଁଙ୍କୁ ଆଲିଙ୍ଗନ କରିବା ସହ ଡ଼େମସାର ତାଳେ ତାଳେ ନାଚୁଛନ୍ତି । କେତେବେଳେ ବିଧାୟକ ତାରା ବାହିନି ପତି ହାତରେ ଫୁଲ ଝାଡ଼ୁ ଧରି ନାଚୁଛନ୍ତି ତ ଆଉ କେତେବେଳେ ରଘୁରାମ ପୋଡ଼ାଲ । ହେଲେ ସାଙ୍ଗ ଛାଡ଼ୁ ନାହାନ୍ତି । ତାରାଙ୍କ ସହ କେବଳ ରଘୁରାମ ପୋଡ଼ାଲ ନୁହଁନ୍ତି ବିଜେଡ଼ିର ଜିଲ୍ଲାସ୍ତରର ନେତା ଓ କର୍ମୀ ବି ରହିଛନ୍ତି ।

Advertisment

ନେତା ନାଚିବା କିଛି ନୁଆ କଥା ନୁହେଁ । କିନ୍ତୁ ଏଇ କିଛି ଦିନ ହେବ କୋରାପୁଟ ଜିଲ୍ଳାକୁ ଯିଏ ଆସୁଛି ସିଏ ନାଚୁଛି । ନେତାଙ୍କ ନାଚରେ ଭୋଟ ମିଳୁକି ନମିଳୁ କିନ୍ତୁ ଲୋକଙ୍କ ଭିଡ ଜମୁଛି । ପ୍ରାୟ ସବୁ ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ନେତାଙ୍କ ନାଚ ୨୦୨୪ ନିର୍ବାଚବ ପୂର୍ବର ସଜବାଜ ବୋଲି କୁହାଯାଉଛି । ପୁର୍ବରୁ ପୁର୍ବତନ ମୁଖ୍ୟମନ୍ତ୍ରୀ ଗିରିଧାରି ଗୋମାଙ୍ଗୋ ଢ଼ାମ୍ପ ବାଦ୍ୟ ବଜାଇ ଚର୍ଚ୍ଚାକୁ ଆସିଛନ୍ତି । କୋରାପୁଟ ସାଂସଦ ସପ୍ତଗିରି ଉଲାକା, ବିଜେଡ଼ି ନେତା ରବି ନାରାୟଣ ନନ୍ଦ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ନଚୁଥିବା ଦେଖିବାକୁ ମିଳିଛି । ନେତାଙ୍କ ନାଚରେ ସବୁଠି ଲୋକଙ୍କ ଭିଡ଼ ମଧ୍ୟ ଜମୁଛି । ନେତାଙ୍କ ଏହି ନାଚ ଲୋକ ପ୍ରୀୟତା ସାଉଁଟିବା ପାଇଁ ନା ଭୋଟ ପାଇଁ ତାକୁ ନେଇ ଏବେ କୋରାପୁଟରେ ରାଜନୈତିକ ଚର୍ଚ୍ଚା ଜୋର ଧରିଛି ।