କନକ ବ୍ୟୁରୋ : କୋଟିଆରେ ଆନ୍ଧ୍ରପ୍ରଦେଶ ପକ୍ଷରୁ ପଞ୍ଚାୟତ ନିର୍ବାଚନ କରିବା ପ୍ରସଙ୍ଗରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ଓଡ଼ିଶା ସରକାର। କୌଣସି ପରିସ୍ଥିତିରେ ବି ପଞ୍ଚାୟତ ନିର୍ବାଚନ କରାଇ ନ ଦେବା ପାଇଁ ଆଇନର ଆଶ୍ରୟ ନେବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ପ୍ରଶାସନିକ ତନାଘନା ଆରମ୍ଭ ହୋଇଥିବାରୁ ପୂରା ଘଟଣା ରୋଚକ ମୋଡ଼ ନେଇଛି। ସେହିପରି ମାମଲା କୋର୍ଟକୁ ଗଲେ ଆଗକୁ ଆନ୍ଧ୍ର ସରକାରଙ୍କ ପାଇଁ ଅଡ଼ୁଆ ବଢ଼ିବ ବୋଲି କୁହାଯାଉଛି। ଦୁଇ ଦିନ ଧରି କୋଟିଆ ପ୍ରସଙ୍ଗରେ ଅନେକ ବିଚାର ବିମର୍ଷ କରିଥିଲେ ରାଜ୍ୟ ସରକାର। ଶେଷରେ ସୁପ୍ରିମକୋର୍ଟଙ୍କ ଜରିଆରେ ଆନ୍ଧ୍ର ସରକାରଙ୍କୁ ଚେକ୍ ଦେବାକୁ ନିଷ୍ପତ୍ତି ନିଆଯାଇଥିଲା।
Kanak News is now on WhatsApp
Join and get latest news updates delivered to you via WhatsApp
ଏଥିପାଇଁ ଆବଶ୍ୟକ ଦଲିଲ ଏବଂ ଦସ୍ତାବିଜ୍ ସଂଗ୍ରହ ପରେ ଆଇନ ବିଭାଗ ପକ୍ଷରୁ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯାଇଛି। ଆଜି ରାଜ୍ୟ ଆଇନ ବିଭାଗ ଉପସଚିବ ଭଗବାନ ନାୟକଙ୍କ ପକ୍ଷରୁ ଆଡଭୋକେଟ୍ ଅନ୍ ରେକର୍ଡ ଶିବଶଙ୍କର ମିଶ୍ରଙ୍କୁ ଚିଠି ଲେଖାଯାଇଛି। ଚିଠି ନମ୍ବର ଆଭି.୧ ଏଲଆର-(ଏସ)-୨୦/୨୧ ୧୬୪୫/୯.୨.୨୦୨୧ରେ ପୂରା ବିବାଦ ସଂପର୍କରେ ଅବଗତ କରାଯାଇଛି। ସେହିପରି ଆନ୍ଧ୍ରପ୍ରଦେଶ ରାଜ୍ୟ ନିର୍ବାଚନ କମିସନଙ୍କ ପକ୍ଷରୁ ପ୍ରକାଶ ପାଇଥିବା ପଞ୍ଚାୟତ ନିର୍ବାଚନ ସଂପର୍କିତ ବିଜ୍ଞପ୍ତିକୁ ଚ୍ୟାଲେଞ୍ଜ କରି ରିଟ୍ ପିଟିସନ୍ ଫାଇଲ୍ କରିବାକୁ କୁହାଯାଇଛି। ମାମଲା ସଂପର୍କିତ ସମସ୍ତ ତଥ୍ୟ ଏବଂ ଦଲିଲ୍ ଆଦି ରାଜସ୍ବ ଓ ବିପର୍ୟ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଯୋଗାଇ ଦିଆଯିବ ବୋଲି ସୂଚନା ଦିଆଯାଇଛି।
କୋରାପୁଟ ଜିଲ୍ଲାର କୋଟିଆରେ ଆନ୍ଧ୍ରପ୍ରଦେଶର ପଞ୍ଚାୟତ ନିର୍ବାଚନକୁ ନେଇ ପୁଣିଥରେ ବିବାଦ ମୁଣ୍ଡଟେକିଛି। ଆସନ୍ତା ୧୩ ତାରିଖରେ ନିର୍ବାଚନ। ଏହିଭଳି ଏକ ପରିସ୍ଥିତିରେ ରାଜ୍ୟ ବିଜେପିର ଏକ ପ୍ରତିନିଧି ଦଳ ଆଜି କୋଟିଆ ଗସ୍ତ କରିଛି। ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ବେନର ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ, ପୂର୍ବତନ ସାଂସଦ ପର୍ଶୁରାମ ମାଝି, ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ ଓ ରାଜ୍ୟ ପ୍ରବକ୍ତା ବିରଞ୍ଚି ନାୟକଙ୍କ ନେତୃତ୍ବରେ ପ୍ରତିନିଧି ଦଳ କୋଟିଆ ଗସ୍ତ କରିଛନ୍ତି। କୋଟିଆ ଯିବା ବାଟରେ ବିଜେପିର ନେତାମାନେ ଆଜି ସନ୍ଧ୍ୟାରେ ବ୍ରହ୍ମପୁର ଜିଲ୍ଲା ବିଜେପି କାର୍ୟ୍ୟାଳୟରେ ପହଞ୍ଚିଥିଲେ। ଗଞ୍ଜାମ ଜିଲ୍ଲା ବିଜେପିର ପ୍ରାକ୍ତନ ସଭାପତି ତଥା ରାଜ୍ୟ କାର୍ୟ୍ୟକାରିଣୀ ସଦସ୍ୟ କାହ୍ନୁ ପତି ଏବଂ ଜିଲ୍ଲା ବିଜେପିର କର୍ମକର୍ତ୍ତା ପୁଷ୍ପଗୁଚ୍ଛ ଦେଇ ପ୍ରତିନିଧି ଦଳକୁ ସ୍ବାଗତ କରିଥିଲେ।
ଏହି ଅବସରରେ ବିଜେପି ରାଜ୍ୟ ସଭାପତି ଶ୍ରୀ ମହାନ୍ତି ଗଣମାଧ୍ୟମକୁ କହିଥିଲେ, ୧୯୩୬ ମସିହାରେ ଭାଷା ଭିତ୍ତିକ ସ୍ବତନ୍ତ୍ର ଓଡ଼ିଶା ଗଠନ ବେଳେ ଆନ୍ଧ୍ର ନ ଥିଲା। ସେହି ସମୟରୁ କୋଟିଆ ଓଡ଼ିଶାର। ଓଡ଼ିଶାର ଭାବାବେଗ ସହିତ କୋଟିଆ ଜଡ଼ିତ। କୋଟିଆର ଜନସାଧାରଣଙ୍କ ସହ ଆଲୋଚନା ଲାଗି ଆମେ ସେଠାକୁ ଗସ୍ତ କରୁଛୁ। କୋଟିଆ ବାସିନ୍ଦାଙ୍କ ସହ ଆଲୋଚନା କରିବୁ ଓ ବାସ୍ତବ ସ୍ଥିତି ଅନୁଧ୍ୟାନ କରିବୁ। ସେମାନେ ଯେଭଳି ଆନ୍ଧ୍ର ମତଦାନରେ ଭାଗ ନ ନେବେ ସେଥିଲାଗି ସେମାନଙ୍କୁ ବୁଝାଇବୁ ବୋଲି ସେ କହିଛନ୍ତି।
ଗଞ୍ଜାମ ଜିଲ୍ଲାର ପାତ୍ରପୁର ବ୍ଲକ୍ର କିଛି ଗାଁରେ ଆନ୍ଧ୍ର ନିର୍ବାଚନ ଲାଗି ପ୍ରସ୍ତୁତି ଚଳାଇଥିବା ପ୍ରଶ୍ନରେ ଶ୍ରୀ ମହାନ୍ତି କହିଛନ୍ତି , ସେ ଖବର ଆମ ନିକଟରେ ଅଛି। ଆନ୍ଧ୍ର ପ୍ରଶାସନ ଲୋକଙ୍କୁ ବିଭିନ୍ନ ପ୍ରକାର ପ୍ରୋତ୍ସାହନ ଦେଉଥିବାରୁ ସେ ଆଡ଼କୁ ଲୋକେ ଢଳୁଛନ୍ତି। ପାତ୍ରପୁର ଅଞ୍ଚଳର ବିଜେପି କର୍ମକର୍ତ୍ତା ଉକ୍ତ ସୀମାନ୍ତ ଗାଁ ଗୁଡ଼ିକୁ ଯାଇ ଲୋକଙ୍କ ସହ ଆଲୋଚନା କରିଛନ୍ତି। ଆନ୍ଧ୍ର ନିର୍ବାଚନରେ ଅଂଶଗ୍ରହଣ ନ କରିବା ଲାଗି ପରାମର୍ଶ ଦେଇଛନ୍ତି। ବିରୋଧୀ ଦଳ ନେତା ଶ୍ରୀ ନାୟକ କହିଛନ୍ତି, କୋଟିଆବାସୀଙ୍କ ସହ ଆଲୋଚନା କରି ସେମାନଙ୍କ ମନୋବଳ ଦୃଢ଼ କରିବା ଆମର ଲକ୍ଷ୍ୟ। ଆନ୍ଧ୍ର ମତଦାନରେ ଅଂଶଗ୍ରହଣ ନ କରିବାକୁ ସେମାନଙ୍କୁ ପରାମର୍ଶ ଦେବୁ ବୋଲି ସେ କହିଛନ୍ତି।