କନକ ବ୍ୟୁରୋ: ବଲାଙ୍ଗୀର ସହରରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ । ପ୍ରତିବାଦରେ ଜିଲ୍ଲା ପୋଲିସ କାର୍ଯ୍ୟାଳୟ ବାହାରେ ହୋମଯଜ୍ଞ କଲେ ସ୍ୱେଚ୍ଛାସେବୀ ସଂଗଠନ । ସହରରେ ବଢ଼ିଚାଲିଛି ଦୈନଦିନ ଚୋରି, ଡକାୟତି, ଲୁଟ, ରାହାଜାନୀ, ମାଡ଼ପିଟ ହତ୍ୟା ଭଳି ଘଟଣା ଘଟୁଛି । ଏଥିରେ ପୋଲିସ ପ୍ରଶାସନ ରୋକ ଲଗାଇ ପାରୁନାହିଁ । କଥା କଥାକେ ଏଠି ବନ୍ଧୁକର ଗୁଳି ଫୁଟୁଛି । ଖଣ୍ଡା ତଲୱାର ଅସ୍ତ୍ରଶସ୍ତ୍ର ବିଚ୍ ରାସ୍ତାରେ ବୁଲୁଛି । ନିଶା କାରବାର ବୃଦ୍ଧି ଯୋଗୁଁ ସାରା ଜିଲ୍ଲାରେ ଏବେ ନିଶା କବଳରେ ରହିଛନ୍ତି ଯୁବଗୋଷ୍ଠୀ । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାକୁ ଶାନ୍ତି, ଶୃଙ୍ଖଳା, ଅପରାଧମୁକ୍ତ, ନିଶାମୁକ୍ତ ହେବାକୁ ସ୍ୱେଚ୍ଛାସେବୀ ସଂଗଠନ ଦ୍ୱାରା ସହରରେ ଶାନ୍ତି ଶୋଭାଯାତ୍ରା ସହିତ ଶାନ୍ତି ଯଜ୍ଞ ଅନୁଷ୍ଠିତ କରାଯାଇଛି ।

Advertisment

କୋଶଲ କଳାମଣ୍ଡପ ପଡ଼ିଆରୁ ଶାନ୍ତି ଶୋଭାଯାତ୍ରା ହୋଇଥିଲା । ପରେ ଏହା ବଲାଙ୍ଗୀର ଜିଲ୍ଲା ପୋଲିସ ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲା ଏହି ଶୋଭାଯାତ୍ରା । ବଲାଙ୍ଗୀର ଆରକ୍ଷୀ ଅଧିକ୍ଷକଙ୍କୁ ଜିଲ୍ଲାରେ ଶାନ୍ତି ଶୃଙ୍ଖଳା ବଜାଇ ରଖିବା ପାଇଁ ୭ ଦାବି ନେଇ ଦାବିପତ୍ର ଦେଇଥିଲେ । କେବଳ ଏତିକି ନୁହେଁ ଜିଲ୍ଲା ପୋଲିସ ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତି ଯଜ୍ଞ କରିଥିଲେ ସ୍ୱେଚ୍ଛାସେବୀ ସଂଗଠନ ।

କିଛି ଦିନ ତଳେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ କର୍ମୀଙ୍କ ସହ ପାଟଣାଗଡ଼ରେ ଥାନା ଘେରିଥିଲେ ବିଜେପି ନେତା କନକ ବର୍ଦ୍ଧନ ସିଂଦେଓ । ଚୋରି, ରାହାଜାନୀ ପରି ବଡ଼ ବଡ଼ ଘଟଣା ଘଟୁଥିଲେ ବି ପୋଲିସ ଅଭିଯୁକ୍ତକୁ ଧରିବାରେ ବିଫଳ ବୋଲି କଲେ ଅଭିଯୋଗ କରି ପ୍ରତିବାଦ କରିଥିଲେ । ଏପରିକି ପୋଲିସ ସହ ଘଟଣାକୁ ନେଇ ଯୁକ୍ତିତର୍କ ହୋଇଥିବା ଦେଖିବାକୁ ମିଳିଥିଲା ।