ଶେଷ ଇଚ୍ଛା ଶୁଣିବେନି ସରକାର ! ନିର୍ଭୟା ଦୁଷ୍କର୍ମକାରୀଙ୍କୁ ପଚରା ଯିବନି ଶେଷ ସମୟର କଥା । କଣ କହୁଛି ଜେଲ୍ ମାନୁଆଲ ଜାଣନ୍ତୁ…

1,609

କନକ ବ୍ୟୁରୋ: ମୃତ୍ୟୁର ପରୱାନା ଉପରେ ଲାଗିଲା ମୋହର । ଶେଷରେ ଚଳିତ ମାସ ୨୨ ତାରିଖରେ ତିହାର ଜେଲର ଫାଶୀ ଖୁଂଟରେ ଝୁଲିିବେ ଦିଲ୍ଲୀର ବହୁଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟାକାଣ୍ଡର ୪ ଦୋଷୀ । ତେବେ କୌଣସି କଏଦୀକୁ ଫାଶୀ ଦେବା ପୂର୍ବରୁ ସାଧାରଣତଃ ତାର ଶେଷ ଇଚ୍ଛା କଣ ବୋଲି ପଚରାଯାଇଥାଏ । ଯାହାକୁ ପୁରଣ ମଧ୍ୟ କରାଯାଇଥାଏ । ହେଲେ ନିର୍ଭୟା ମାମଲାରେ କିନ୍ତୁ ଅପରାଧୀଙ୍କୁ ସେମାନଙ୍କର ଶେଷ ଇଚ୍ଛା ସଂପର୍କରେ ପଚରା ଯିବ ନାହିଁ ।

କେବଳ ନିର୍ଭୟା ହତ୍ୟାକାରୀଙ୍କୁ ନୁହେଁ ଦେଶ ସ୍ୱାଧୀନ ହେବା ପରଠୁ ଏଯାବତ୍ ଯେତେ ଜଣଙ୍କୁ ବି ଫାଶୀ ଖୁଂଟରେ ଝୁଲାଯାଇଛି ସେମାନଙ୍କୁ ସେମାନଙ୍କର ଶେଷ ଇଚ୍ଛା ପଚରାଯାଇ ନାହିଁ । ତିହାର ଜେଲର ପୂର୍ବତନ ଡିଜି ଅଜୟ କଶ୍ୟପଙ୍କ କହିବା ଅନୁସାରେ, ଫାଶୀ ଅଭିଯୁକ୍ତଙ୍କୁ ସେମାନଙ୍କର ଶେଷ ଇଚ୍ଛା ପଚରାଯିବାର ପରମ୍ପରା କେବଳ ସିନେମାରେ ହିଁ ଦେଖାଯାଇଥାଏ । ଅସଲରେ କିନ୍ତୁ ଏହା ହୋଇନଥାଏ । ବହୁ ଚର୍ଚ୍ଚିତ ମୁମ୍ବାଇ ଆକ୍ରମଣର ଆତଙ୍କୀ ମହମ୍ମଦ ଅଜବଲ କଶାବ ଏବଂ ସଂସଦ ଆକ୍ରମଣର ମାଷ୍ଟରମାଇଣ୍ଡ ଅଫଜଲ ଗୁରୁ ସହିତ ଏପ୍ରକାରର କୌଣସି ବି ପ୍ରକ୍ରିୟା କରାଯାଇନଥିଲା । ଏପରିକି ଜେଲ ମାନୁଆଲରେ ବି ଏସଂପର୍କରେ କୌଣସି ବିବରଣୀ ମଧ୍ୟ ଉଲ୍ଲେଖ କରାଯାଇନାହିଁ । ତେବେ ଜାଣିବାର କଥା ହେଲା କି, ଆଇନ ଅନୁସାରେ ଫାଶୀ ଦେବା ସମୟରେ ଶେଷ ଇଚ୍ଛା ପଚରା ଯିବାର କୌଣସି ନିୟମ ହିଁ ନାହିଁ ।

ଅଜୟ କଶ୍ୟପଙ୍କ ସୂଚନା ମୁତାବକ, ଫାଶୀ ଦେବା ଏକ ନ୍ୟାୟିକ ନିର୍ଦ୍ଦେଶ । ଯାହାକୁ କୌଣସି ବି ପରିସ୍ଥିତିରେ ଧାର୍ଯ୍ୟ ସମୟରେ କାର୍ଯ୍ୟକାରୀ କରାଯାଇଥାଏ । କାହିଁକି ନା ଯଦି କୌଣସି ଅପରାଧୀ ଫାଶୀ ସମୟରେ ନିଜ ଶେଷ ଇଚ୍ଛାରେ ଫାଶୀ ନଦେବାକୁ ଇଚ୍ଛାବ୍ୟକ୍ତ କରେ ତେବେ ଏଭଳି ପରିସ୍ଥିତିରେ କଣ କରାଯିବ । ଅଜୟ କଶ୍ୟପଙ୍କ କହିବାନୁସାରେ, ଫାଶୀ ଦେବା ପୂର୍ବରୁ ଏସଡିଜିଏମଙ୍କ ସାମ୍ନାରେ ଅଭିଯୁକ୍ତର ବସିୟତ କରାଯାଇଥାଏ । ଯାହା ଦ୍ୱାରା ସ୍ଥିର କରାଯାଇଥାଏ କି ଅପରାଧୀର ମୃତ୍ୟୁ ପରେ ତାର ସଂପତିର ଉତ୍ତରାଧିକାରୀ କିଏ ହେବ ଆଉ ତାର ଅନ୍ତିମ ସଂସ୍କାର କିଏ କରିବ ।

ତେବେ କଏଦୀର ଉଚ୍ଚତା ଏବଂ ଓଜନକୁ ଦେଖି ସଜଡା ହୋଇଥାଏ ଫାଶୀ ଖୁଂଟ । ଫାଶୀ ପାଇବା ଦିନ ବଡି ଭୋରରୁ ଦୋଷୀଙ୍କୁ ଉଠାଇ ଦିଆଯିବା ସହ ସେମାନଙ୍କୁ ପେଟପୂରା ଖାଇବାକୁ ଦିଆଯାଇଥାଏ । ଏହାପରେ ଅପରାଧୀକୁ ଧଳା ପାଇଜାମା ବଦଳରେ କଳା ପୋଷାକ ପିନ୍ଧାଇ ଦିଅନ୍ତି ଜେଲ କର୍ମଚାରୀ । ସେହିଭଳି ଫାଶୀ ଦେବା ପୂର୍ବରୁ ଦୋଷୀର ହାତ ସହ ଗୋଡ ବି ବାନ୍ଧି ଦିଆଯାଏ । ମୁହଁରେ କଳାପଟି ବାନ୍ଧିବା ପରେ ଅପରାଧୀଙ୍କୁ ଫାଶୀ ଖୁଂଟରେ ଝୁଲାଇଦିଆଯାଏ । ତେବେ ଫାଶୀ ପରେ ଅପରାଧୀକୁ ଅଧଘଂଟା କାଳ ସେହିଭଳି ଫାଶୀ ଖୁଂଟରେ ଝୁଲାଇ ରଖାଯାଇଥାଏ ଆଉ ଡାକ୍ତରୀ ଯାଂଚ ପରେ ମୃତଦେହକୁ ତଳକୁ ଓହ୍ଲାଯିବା ସହ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଅପରାଧିର ମୃତଦେହ ହସ୍ତାନ୍ତର କରାଯାଇଥାଏ ।