ଓଡିଶା ଇତିହାସରେ ସବୁଠାରୁ ବଡ ଭିଜିଲାନ୍ସ ରେଡ । ଅତିରିକ୍ତ ପିସିସିଏଫ ଅଭୟକାନ୍ତ ପାଠକଙ୍କ ୧୫ଟି ସ୍ଥାନରେ ଚଢାଉ । ଲକଡାଉନ ବେଳେ ଚାଟାର୍ଡ ପ୍ଲେନରେ ବୁଲୁଥିଲେ ଅଭୟ

487

କନକ ବ୍ୟୁରୋ : ଏକଥା ଜାଣିଲେ ହୁଏତ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ, ଅମାପ ସମ୍ପତିର ଅଧିକାରୀ ହେଉଛନ୍ତି ଜଣେ ସରକାରୀ ଅଧିକାରୀ । ତାଙ୍କର ଜୀବନଶୈଳୀ କଥା ଶୁଣିଲେ ଆପଣ ହୁଏତ ବିଶ୍ୱାସ କରିପାରିବେନି । ସେ ହେଉଛନ୍ତି ଓଡିଶାର ଜଣେ ଆଇଏଫଏସ ଅଫିସର ଅଭୟକାନ୍ତ ପାଠକ । ବର୍ତମାନ ଅତିରିକ୍ତ ପିସିସିଏଫ ଦାୟିତ୍ୱରେ ଥିବା ଏହି ବ୍ୟକ୍ତି ୧୯୮୭ ବ୍ୟାଚର ଆଇଏଫଏସ ଅଫିସର । କିନ୍ତୁ ଜଣେ ସରକାରୀ ଅଧିକାରୀଙ୍କ ଘରେ ଯେତେବେଳେ ଭିଜଲାନ୍ସ ପଶିଲା, ସେ ଭିଜଲାନ୍ସ ଅଧିକାରୀମାନେ ମଧ୍ୟ ତାଜୁବ ହୋଇଗଲେ । ଓଡିଶା ଇତିହାସରେ ବୋଧହୁଏ ଏଭଳି ବିଳାସପୂର୍ଣ୍ଣ ଜୀବନ ଯାପନ କଥା କେବେ ସାମନାକୁ ଆସିନଥିଲା ।

ଏହି ସରକାରୀ ଅଧିକାରୀ ଚାଟାର୍ଡ ଫ୍ଲାଇଟରେ ଲକଡାଉନ ସମୟରେ ଭ୍ରମଣ କରୁଥିଲେ । ଚାଟାର୍ଡ ଫ୍ଲାଇଟର ଅର୍ଥ ହେଉଛି ଆପଣ ପୁରା ବିମାନକୁ ଭଡାରେ ନେଇ ବିଦେଶ ବୁଲିବେ । ଥରେ ଚାଟାର୍ଡ ଫ୍ଲାଇଟର ଭଡା ନେଲେ ପ୍ରତି ଘଂଟାକୁ ୫ଲକ୍ଷ ଟଙ୍କା ଭଡା ଦେବାକୁ ପଡେ । ଏହି ବ୍ୟକ୍ତି ଜଣଙ୍କ ଲକଡାଉନ ସମୟରେ ୨୦ରୁ ଅଧିକ ଥର ଚାଟାର୍ଡ ଫ୍ଲାଇଟରେ ଭ୍ରମଣ କରିଛନ୍ତି । ପ୍ରଶ୍ନ ଉଠୁଛି, ଜଣେ ସରକାରୀ ଅଧିକାରୀ ଏତେ ଟଙ୍କା ଆଣିଲେ କେଉଁଠୁ ।

ରାଜ୍ୟ ତଥା ରାଜ୍ୟ ବାହାରେ ଅଭୟଙ୍କର ରହିଛି ଆଲିସାନ ବଙ୍ଗଳା । ଭୁବନେଶ୍ୱରରେ ଏହି ବାବୁଙ୍କର ୫ଟି ବିଳାସପୂର୍ଣ୍ଣ ଘର ରହିଛି । ମହାରାଷ୍ଟ୍ରର ମୁମ୍ବାଇ ଓ ପୁନେ, ବିହାର, ରାଜସ୍ଥାନ ଓ ଓଡିଶା ସମେତ ୧୪ଟି ଘର ଥିବା କୁହାଯାଉଛି ।ଏହି ଘର ଗୁଡିକର ସାଜସଜା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ ।

ରାଜ୍ୟରେ ଏଯାଏଁ ହୋଇଥିବା ଚଢାଉ ମଧ୍ୟରୁ ଏହି ଚଢାଉକୁ ସବୁଠୁ ବଡ ଘଟଣା ବୋଲ୍ି କୁହାଯାଉଛି । ଯେଉଁଥିରେ ସାମିଲ ଥିଲେ ୧୫୦ଜଣ ଭିଜଲାନ୍ସ ଅଧିକାରୀ । କେବଳ ୯ ନମ୍ବର ସ୍ଥିତ ବାସ ଭବନରେ ୩୦ ଅଧିକାରୀ ଏକକାଳୀନ ଚଢାଉ କରିଥିଲେ । ବିହାର ସ୍ଥିତ ପୈତୃକ ସମ୍ପତି ଠାରୁ ଆରମ୍ଭ କରି ଅଭୟଙ୍କ ଡ୍ରାଇଭର ଘରେ ହୋଇଥିଲା ରେଡ । ଏକକାଳୀନ ୧୫ଟି ସ୍ଥାନରେ ହୋଇଥିଲା ଚଢାଉ । ହେଲେ ଅଭୟକାନ୍ତ କହିଛନ୍ତି ସେ କୌଣସି ଆୟବହିର୍ଭୁତ ସମ୍ପତି ଠୁଳ କରିନାହାନ୍ତି ।

କିନ୍ତୁ ଅଭୟକାନ୍ତ ବୁଝାଇପାରିନାହାନ୍ତି, ଏତେ ପରିମାଣର ସମ୍ପତି ସେ ଆଣିଲେ କେଉଁଠୁ । ତାଙ୍କର ଲକର ମଧ୍ୟ ଚେକ କରାଯାଉଛି । ଆଗରୁ ଆହୁରି ସମ୍ପତିର ହିସାବ ଆସିପାରେ । କୁହାଯାଉଛି, ବନିକରଣ କାର୍ଯ୍ୟକ୍ରମରେ ଆସୁଥିବା କୋଟି କୋଟି ଟଙ୍କା ଏହି ସରକାରୀ ଅଧିକାରୀ ଖାଇ ଚାଲିଥିଲେ । ଏବଂ ଚାଟାର୍ଡ ଫ୍ଲାଇଟରେ ଆକାଶରେ ବୁଲୁଥିଲେ ।

Comments are closed.